ARTICLE AD BOX
ନୂଆଦିଲ୍ଲୀ: ଦେଶରେ ଇ୨୦ ପେଟ୍ରୋଲ ବିକ୍ରି ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ରଖିଛି। ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି ଇସ୍ତାହାରରେ କୁହାଯାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯେତେବେଳେ ବହୁ ଅଧିକ ହୋଇଯାଇଥିଲା ସେତେବେଳେ ଗ୍ରାହକଙ୍କୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି ଦ୍ବାରା ଲିଟର ପିଛା ପ୍ରାୟ ୩୦ ଟଙ୍କାର ସଞ୍ଚୟ ହୋଇପାରିଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୩୫ ଡଲାରରେ ପହଞ୍ଚି ଥିବା ସମୟରେ ଯଦି ଇଥାନଲ ମିଶା ଯାଇ ନଥାନ୍ତା ତାହେଲେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୨୫ ଟଙ୍କାକୁ ବଢ଼ି ଯାଇଥାନ୍ତା।
ଇଥାନଲ ମିଶ୍ରଣ କାରଣରୁ କେବଳ ପେଟ୍ରୋଲ ଦର ବୃଦ୍ଧିକୁ ରୋକାଯାଇ ପାରିନାହିଁ ବରଂ ଗ୍ରାହକଙ୍କ ପାଇଁ ଲିଟର ପିଛା ୩୦ ଟଙ୍କା ସଞ୍ଚୟର ଅବସର ସୃଷ୍ଟି ହୋଇଛି। ଗ୍ରାହକମାନେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସାରେ କ୍ରୟ କରିବାର ସୁଯୋଗ ଏଥିପାଇଁ ପାଇଥିଲେ ଯେ ସେଥିରେ ଏକପଞ୍ଚମାଂଶ ବା ୨୦ ପ୍ରତିଶତ ଇଥାନଲ ମିଶିଥିଲା ଏବଂ ତାହା ଦେଶ ଭିତରେ ଉତ୍ପାଦନ ହୋଇଥିଲା।ଏଥିସହିତ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟଶସ୍ୟ କିମ୍ବା ଭାରତୀୟ ଖାଦ୍ୟ ନିଗମ ଦ୍ବାରା ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଚାଉଳକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଛି ବୋଲି ହେଉଥିବା ଦାବିକୁ ମଧ୍ୟ ମନ୍ତ୍ରାଳୟ ଖଣ୍ଡନ କରିଛି।
ଆହୁରି ପଢନ୍ତୁ: Nalco's net profit : ନାଲ୍କୋ ର ୨୦୦୨.୩୮କୋଟି ନିଟ୍ ଲାଭ
ପେଟ୍ରୋଲରେ ଇଥାନଲ ମିଶ୍ରଣର ଲକ୍ଷ୍ୟ ହେଲା ଅଶୋଧିତ ତେଲ ଆମଦାନି ଉପରୁ ନିର୍ଭରଶୀଳତା ହ୍ରାସ କରିବା। କାରଣ ଭାରତ ଏହାର ମୋଟ ଆବଶ୍ୟକତାର ୮୮ ପ୍ରତିଶତ ଅଶୋଧିତ ତେଲ ଆମଦାନି କରିଛି। ଏହା ଦୈନନ୍ଦିନ ମୂଲ୍ୟ ନିର୍ଦ୍ଧାରଣ ରଣନୀତି ନୁହେଁ ବରଂ ଅନ୍ତର୍ଜାତୀୟସ୍ତରରେ ତୈଳ ମୂଲ୍ୟ ବୃଦ୍ଧି ବିରୋଧରେ ଏହା ଏକ ବୀମା ବୋଲି ମନ୍ତ୍ରାଳୟ କହିଛି। ଖାଦ୍ୟ ସୁରକ୍ଷାକୁ ଦୃଷ୍ଟି ଦେବା ସହିତ କୃଷକଙ୍କ ଆୟ ବଢ଼ାଇବା, ଅଶୋଧିତ ତୈଳ ଆମଦାନିର ନିର୍ଭରଶୀଳତାକୁ କମାଇବା ଏବଂ ଭାରତର ଶକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

3 hours ago
1


