Pension Yojana: ଲୋକଙ୍କ ସରକାର ଘୋଷଣାରେ ନୁହେଁ, କାର୍ଯ୍ୟକାରିତାରେ ବିଶ୍ୱାସ କରେ: ମନ୍ତ୍ରୀ

1 hour ago 2
ARTICLE AD BOX

ଛତ୍ରପୁର: ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ସିଂହଭାଗ। ଜିଲ୍ଲାର ୫୯,୦୩୧ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଏକକାଳୀନ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ନୂତନ ଭାବେ ସାମିଲ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ଗଞ୍ଜାମ ଜିଲ୍ଲାର। ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ସମୟୋଚିତ ଭାବେ ଭତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ଏବଂ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମ ଅବସରରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଲ୍ଲେଖ କରିଛନ୍ତି। 

ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଜି ଗଞ୍ଜାମ ଜିଲ୍ଲା ପାଇଁ ଏକ ଖୁସି ଓ ଐତିହାସିକ ଦିନ। ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପୂର୍ବରୁ ନିର୍ଦ୍ଧାରିତ କୋଟା ବ୍ୟବସ୍ଥା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେବା ସହ ଅପେକ୍ଷା କରୁଥିଲେ। ଏବେ ସେହି ବ୍ୟବସ୍ଥାର ଅବସାନ ଘଟିଛି। ନୂତନ ପୋର୍ଟାଲ ମାଧ୍ୟମରେ ଆବେଦନ, ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟା ସହଜ ହେବା ସହ ଯୋଗ୍ୟ ବ୍ୟକ୍ତିମାନେ ଠିକ୍ ସମୟରେ ଭତ୍ତା ପାଇପାରିବେ। ଏହା ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଲୋକଙ୍କ ସରକାର କେବଳ ଘୋଷଣାରେ ନୁହେଁ, ବରଂ କାର୍ଯ୍ୟକାରିତାରେ ବିଶ୍ୱାସ କରନ୍ତି ବୋଲି ସେ କହିଥିଲେ।

ରାଜ୍ୟରେ ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ରାଜ୍ୟରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି। ନୂତନ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬୨୫ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବେ। ଏହି ବୃହତ୍ ପଦକ୍ଷେପରେ ଗଞ୍ଜାମର ୫୯,୦୩୧ ଜଣ ହିତାଧିକାରୀ ସାମିଲ ହୋଇଥିବାରୁ ଜିଲ୍ଲାରେ ମୋଟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୩.୭୨ ଲକ୍ଷରେ ପହଞ୍ଚିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଭୁବନେଶ୍ବର: ୫୦୦ଟଙ୍କା ବଢିଲା ମଧୁବାବୁ ପେନସନ୍। ବୃଦ୍ଧି କଲେ ରାଜ୍ୟ ସରକାର।

ମନ୍ତ୍ରୀ ଜେନା ମଧ୍ୟ ଗଞ୍ଜାମ ଜିଲ୍ଲାର ବନ୍ୟା ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲାବାସୀଙ୍କ ସହଯୋଗ ଏବଂ ଜିଲ୍ଲାପାଳଙ୍କ ସମେତ ପ୍ରଶାସନର ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରିଥିଲେ। ବନ୍ୟାରେ ଗଞ୍ଜାମ ସମେତ ଗଜପତି ଓ କନ୍ଧମାଳ ଜିଲ୍ଲାର କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ସରକାର ତତ୍ପର ଅଛନ୍ତି। ବନ୍ୟା ଯୋଗୁଁ କୃଷକମାନେ ବ୍ୟାପକ କ୍ଷତି ସହିଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସଂକଳ୍ପବଦ୍ଧ।

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଥିଲେ ଯେ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଥିବାବେଳେ ଗଞ୍ଜାମରେ ପାଖାପାଖି ୬୦ ହଜାର ଲୋକ ଏକକାଳୀନ ଭତ୍ତା ପାଇବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାକୁ ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି। ବନ୍ୟା ପୂର୍ବରୁ ସମସ୍ତ ସହଯୋଗ ତାସହିତ ବନ୍ୟା ପରେ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କାର ସହାୟତା ତ୍ୱରିତ ଭାବେ ପହଞ୍ଚାଇବା ସହ ପୁନରୁଦ୍ଧାର କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଏତେ ବଡ଼ ବନ୍ୟା ପରେ ମାତ୍ର ୮ରୁ ୧୦ ଦିନ ମଧ୍ୟରେ ଗଞ୍ଜାମ ପୁଣି ମୁଣ୍ଡ ଟେକି ଠିଆ ହୋଇପାରିଛି। ଏଥିପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ସହଯୋଗ ପ୍ରଶଂସନୀୟ ବୋଲି ସେ କହିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.