ARTICLE AD BOX
ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ବ୍ଲକ୍ର ଜରାସିଂହାଠାରେ ଆଜିଠାରୁ ପାଞ୍ଚ ଦିନ ଧରି ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମୂଳାଷ୍ଟମୀ ତିଥିରୁ ମନ୍ଦିରରେ ଚାଲିଥିବା ଷୋଳ ଉପଚାର ପୂଜା ଶେଷ ହେବା ପରେ ମା’ ପାଟଖଣ୍ଡାଙ୍କ ଖଣ୍ଡା ଧୁଆ ପରମ୍ପରା ପାଳନ କରାଯାଇଥିଲା।
୩୨ ଜଣ ଦେହୁରୀ ଏକ ପଟୁଆରରେ ମନ୍ଦିରରୁ ବାହାରି ସୋନଗଡ଼ ନଦୀକୁ ଯାଇ ଖଣ୍ଡା ଧୋଇ ଆଣିଥିଲେ। ଏହାପରେ ପାଟ ସିନ୍ଦୂର ରବିବାର ରାତିରେ ମନ୍ଦିରରେ ପହଞ୍ଚିଥିଲା।
ଜରାସିଂହା ଗାଁ ଲୋକାରଣ୍ୟ
ପାରମ୍ପରିକ ରୀତିନୀତି ଅନୁଯାୟୀ, ଗାଁ ଲୋକଙ୍କ ସହ ୩୨ ଜଣ ଦେହୁରୀ ଗାଁ ମୁଣ୍ଡକୁ ଯାଇ ପାଟଣାଗଡ଼ର ମା’ ପାଟଣେଶ୍ୱରୀ ମନ୍ଦିରରୁ ପାଟ ସିନ୍ଦୂର ଧରି ପାଦରେ ଚାଲି ଚାଲି ଆସିଥିବା ସେବକଙ୍କୁ ସ୍ୱାଗତ କରିଥିଲେ। ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟ ସିନ୍ଦୂରକୁ ବରଣ କରି ମନ୍ଦିର ଭିତରକୁ ନେବା ସମୟରେ ଜରାସିଂହା ଗାଁ ଲୋକାରଣ୍ୟ ହୋଇପଡ଼ିଥିଲା।
ପାଟଣାଗଡ଼ର ମା’ ପାଟଣେଶ୍ୱରୀ ମନ୍ଦିରରୁ ଦୁଇଜଣ ସେବକ ପାଟ ଓ ସିନ୍ଦୂର ଧରି ଚାଲି ଚାଲି ଜରାସିଂହାରେ ପହଞ୍ଚିଥିଲେ। ଏହାପରେ ମନ୍ଦିର ଭିତରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ଗାଁର ଗୌନ୍ତିଆ, ଝାଙ୍କର ଓ ସେବକମାନଙ୍କ ଘରେ ମଧ୍ୟ ପାଟ ସିନ୍ଦୂରର ପୂଜାର୍ଚ୍ଚନା କରାଯାଇଥିଲା।
ସେହିପରି ପାଟଖଣ୍ଡା ମନ୍ଦିରରେ ପୂଜା ପାଉଥିବା ମା’ ପାଟଖଣ୍ଡାଙ୍କ ପ୍ରତୀକ ଖଣ୍ଡାକୁ ୩୨ ଜଣ ଦେହୁରୀ ଏକ ପଟୁଆରରେ ମନ୍ଦିରରୁ ସୋନଗଡ଼ ନଦୀକୁ ନେଇ ଧୋଇବାର ପରମ୍ପରା ରହିଛି।
ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା
ଆଜି ଅପରାହ୍ଣରେ ଗୁଡ଼ଭେଳା ବ୍ଲକ୍ର ନଅଗାଁ ନିକଟସ୍ଥ ଦେଝାର ଜଙ୍ଗଲରେ ବରୁଆଙ୍କ ଦେହରେ ମା’ ପାଟଖଣ୍ଡା ଆବିର୍ଭାବ ହୋଇ ଜରାସିଂହା ଅଞ୍ଚଳକୁ ଆସିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।
ରାଜୁଡ଼ା ଅମଳରୁ ଚାଲିଆସୁଥିବା ଏହି ପାରମ୍ପରିକ ଯାତ୍ରା ପାଞ୍ଚ ଦିନ ଧରି ତିନୋଟି ଖଳାରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥାଏ।

1 hour ago
1


