ARTICLE AD BOX
କଟକ: ପରଲୋକରେ କନକ ନ୍ୟୁଜ୍ର ବରିଷ୍ଠ ସାମ୍ବାଦିକ ବିଭୂତି ପତି। ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଭୁବନେଶ୍ବରରୁ ସେ ଘରୋଇ ଗାଡ଼ିରେ କଟକ ଆସିଥିଲେ। ତାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ବିଭୂତି ପତିଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। କଟକ ସିଡିଏ ସେକ୍ଟର-୧୦ରେ ସେ ରହୁଥିଲେ।
ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ
ସେ କନକ ନ୍ୟୁଜ୍ ପାଇଁ ନୂଆଦିଲ୍ଲୀରୁ ରିପୋର୍ଟିଂ କରୁଥିଲେ। ବିଭୂତି ପତି ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ବାରା ପ୍ରକାଶିତ ଇଂରାଜି ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ। ତାଙ୍କର ଅନେକ ସାକ୍ଷାତକାର ଓ ଫିଚର୍ ପ୍ରଜାତନ୍ତ୍ର ସାପ୍ତାହିକୀ ଓ ‘ରବିବାର’ ସମ୍ବାଦରେ ପ୍ରକାଶିତ ହୋଇଛି। ଏହାଛଡ଼ା ସେ ଅନେକ ଜାତୀୟ ଗଣମାଧ୍ୟମ ସହ ବି ଜଡ଼ିତ ଥିଲେ।
ସେ ହେଉଛନ୍ତି ଓଡ଼ିଶାରେ ଅବସ୍ଥାପିତ ଜଣେ ପ୍ରମୁଖ ସ୍ୱାଧୀନ ଅନୁସନ୍ଧାନମୂଳକ ତଥା ପରିବେଶ ସାମ୍ବାଦିକ। ପରିବେଶ ସମ୍ବନ୍ଧୀୟ ସମ୍ବେଦନଶୀଳ ପ୍ରସଙ୍ଗ, ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ରାଜନୀତି ଉପରେ ତୃଣମୂଳ ସ୍ତରରେ ରିପୋର୍ଟିଂ ପାଇଁ ସେ ପରିଚିତ। ତାଙ୍କ ବିୟୋଗରେ ସାମ୍ବାଦିକମହଲରେ ଶୋକର ଛାୟା ଖେଳିଯାଇଛି। ବିଭୂତି ପତିଙ୍କ ବିୟୋଗରେ ସମ୍ବାଦ-କନକ ନ୍ୟୁଜ୍ର ସଂପାଦକ ତନୟା ପଟ୍ଟନାୟକ ଓ ସମ୍ବାଦ ଗ୍ରୁପ୍ର ବାର୍ତ୍ତା ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

50 minutes ago
1


