ARTICLE AD BOX
ନ୍ୟୁଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସଂସଦରେ ଜାରି ଥିବା ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହମନ୍ତ୍ରୀଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଲୋକସଭାରେ ସେ କହିଛନ୍ତି, ଅମିତ ଶାହଙ୍କ ନାମ ଶୁଣିଲେ ଆତଙ୍କବାଦୀମାନେ ଥରହର ହୁଅନ୍ତି। ଏଭଳି ଜଣେ ଗୃହମନ୍ତ୍ରୀଙ୍କୁ ଅପମାନିତ କରିବା ନିନ୍ଦନୀୟ।
ବିରୋଧୀ ଦଳଗୁଡ଼ିକ ଅମିତ ଶାହଙ୍କ ଏକ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ। ସଦନରେ ଆଲୋଚନା ବେଳେ ଶାହ କହିଥିଲେ ଯେ, ସରକାର ଓ ଦେଶ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକଙ୍କ ପାଇଁ ଯଦି ବିରୋଧୀ ଦଳର ଲୁହ ଝରୁଛି, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବିରୋଧୀମାନଙ୍କ ଅଭିଯୋଗ ହେଉଛି, ଏହି ମନ୍ତବ୍ୟ ଦିଲ୍ଲୀ ସହ ବିଭିନ୍ନ ସ୍ଥାନରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ଛାତ୍ର ଓ ପ୍ରଦର୍ଶନକାରୀଙ୍କୁ ଅପମାନିତ କରିଛି। ଏହାକୁ ନେଇ ସେମାନେ ଗୃହମନ୍ତ୍ରୀଙ୍କଠାରୁ କ୍ଷମାପ୍ରାର୍ଥନା ଦାବି କରିଥିଲେ।
ଏହାର ଜବାବରେ କିରଣ ରିଜିଜୁ କହିଥିଲେ, ଗୃହମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟକୁ ପ୍ରସଙ୍ଗରୁ ଅଲଗା କରି ବିକୃତ ଭାବେ ଉପସ୍ଥାପନ କରାଯାଉଛି। ସେ କହିଥିଲେ, ଅମିତ ଶାହ ଦୀର୍ଘ ସମୟ ଧରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା, ଆତଙ୍କବାଦ ଓ ନକ୍ସଲବାଦ ବିରୋଧରେ କଠୋର ପଦକ୍ଷେପ ନେବାରେ ନେତୃତ୍ୱ ନେଇଆସିଛନ୍ତି। ବିରୋଧୀ ଦଳ ସଦନରେ ନୀତିଗତ ପ୍ରସଙ୍ଗରେ ଆଲୋଚନା କରିବା ପରିବର୍ତ୍ତେ ଅନାବଶ୍ୟକ ହଙ୍ଗାମା କରୁଛି। ଗୃହମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ଶୁଣିଲେ ସ୍ପଷ୍ଟ ହେବ ଯେ ତାଙ୍କ କଥାକୁ ଭୁଲ ଭାବେ ପ୍ରଚାର କରାଯାଉଛି। ଏଭଳି ଆଚରଣ ସଂସଦର ସୁଚାରୁ କାର୍ଯ୍ୟଧାରାକୁ ବାଧାପ୍ରାପ୍ତ କରୁଛି ବୋଲି ସେ କହିଥିଲେ।
Rahul: ନିକୋବର ବିକାଶ ପ୍ରକଳ୍ପକୁ ନେଇ ରାହୁଲଙ୍କୁ ଟାର୍ଗେଟ୍ କଲେ କିରଣ ରିଜିଜୁ, ପରିବେଶ ଚିନ୍ତାକୁ କଲେ ଖଣ୍ଡନ
ଅନ୍ୟପକ୍ଷରେ, କଂଗ୍ରେସ ସମେତ ବିରୋଧୀ ଦଳମାନେ ନିଜ ଦାବିରେ ଅଟଳ ରହିଥିଲେ। ସେମାନେ କହିଛନ୍ତି, ଗୃହମନ୍ତ୍ରୀ ସଦନକୁ ଆସି ଛାତ୍ରବିରୋଧୀ ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ଲୋକସଭା ଓ ରାଜ୍ୟସଭାରେ ବାରମ୍ବାର ହଟ୍ଟଗୋଳ ହେବାରୁ ସଦନର କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଉଭୟ ସଦନକୁ ସୋମବାର ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

1 hour ago
2


