ARTICLE AD BOX
ରାଉରକେଲା: ଦୀର୍ଘ ବାଦବିବାଦ ପରେ ଶେଷରେ ବଦଳିଛନ୍ତି ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବଦଳି ନିର୍ଦ୍ଦେଶାନାମା ଅନୁଯାୟୀ, ଶ୍ରୀ ମଲ୍ଲିକ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ଯୋଗଦେବେ। ତାଙ୍କ ସ୍ଥାନରେ ଯୋଗଦେବେ ଭବାନୀପାଟଣାର ପୂର୍ବତନ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା।
ଉଲ୍ଲେଖଯୋଗ୍ୟ, ଶ୍ରୀ ମଲ୍ଲିକ ପାନପୋଷ ଉପଜିଲ୍ଲାପାଳ ଭାବେ ଯୋଗଦେବା ଦିନଠାରୁ ବିବାଦରେ ରହିଥିଲେ। ତେବେ ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଜୀବନ୍ତ ଗୁଳି ସହ ଅପରାଧୀ ଗିରଫ ଘଟଣାରେ ତାଙ୍କର ବେଆଇନ କାର୍ଯ୍ୟକଳାପ ପଦାରେ ପଡ଼ିଯାଇଥିଲା। ଆପରାଧିକ ଗ୍ୟାଙ୍ଗ୍ର ମୁଖିଆ କହାଯାଉଥିବା ପ୍ରକାଶ ପାଶୱାନଙ୍କୁ ବେଆଇନ ଭାବେ ସର୍କିଟ୍ ହାଉସ୍ ଯୋଗାଇଥିଲେ। ଅପରାଧୀମାନଙ୍କୁ ପ୍ରାୟ ୨୪ ଦିନ ଧରି ମାଗଣାରେ ତଥା ସର୍ବାଧିକ ଆତିଥ୍ୟ ସହ ରୁମ୍ ଯୋଗେଇ ଦେଇଥିଲେ। ଏହି ଘଟଣାରେ ରାଉରକେଲା ପୁଲିସ ତାଙ୍କୁ ଜେରା ବି କରିଥିଲା। ତେବେ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ଆକୁଣ୍ଠ ସମର୍ଥନ ଯୋଗୁ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ତେବେ ନିକଟ ଅତିତରେ ରାଜସ୍ବ ମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତ ସମୟରେ ସର୍କିଟ୍ ହାଉସ୍ ଘଟଣା ଉପରେ ମୁହଁ ଖୋଲିବାପରେ ଶ୍ରୀ ମଲ୍ଲିକଙ୍କ ବଦଳି ଚର୍ଚ୍ଚା ଜୋର ଧରିଥିଲା।
ଉଲ୍ଲେଖଯୋଗ୍ୟ, ଶ୍ରୀ ମଲ୍ଲିକ ୨୦୨୧ ଫେବ୍ରୁଆରି ୧୨ ତାରିଖରେ ରାଉରକେଲାର ୩୧ତମ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଠାରେ ୩ ବର୍ଷ ୨ ମାସ ତହସିଲଦାର ଦାୟିତ୍ବ ନିର୍ବାହ କରିବାପରେ ୩୦ ଏପ୍ରିଲ ୨୦୨୪ରେ ତାଙ୍କର ବଦଳି ହୋଇଥିଲା। ତେବେ ବଦଳି ଜିଲ୍ଲା ବାହାରକୁ ନୁହେଁ, ବରଂ ରାଉରକେଲା ସହର ଭିତରେ ହିଁ ସୀମିତ ରହିଥିଲା। ସେ ୨୦୨୪ ମେ’ ୧ ତାରିଖରେ ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆର୍ଡିଏ)ର ସେକ୍ରେଟେରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପଦବିରେ ପ୍ରାୟ ୧୦ ମାସ ରହିବାପରେ ୨୩ ଫେବ୍ରୁଆରି ୨୦୨୫ରେ ବଦଳି ହୋଇ ନଗର ଉନ୍ନୟନ ନିର୍ଦ୍ଦେଶାଳୟର ଓଏସ୍ଡି ଓ ପରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍)ର ଓଏସ୍ଡି ଭାବେ ଦାୟିତ୍ବ ନେଇଥିଲେ। ସେଠାରେ କେବଳ ୧୪ ମାସ ଦାୟିତ୍ବ ତୁଲାଇବାପରେ ପୁଣିଥରେ ରାଉରକେଲାକୁ ଫେରି ପାନପୋଷ ଉପଜିଲ୍ଲାପାଳ ଭାବେ ୨୦୨୬ ମେ’ ୭ ତାରିଖରେ ଯୋଗଦେଇଥିଲେ।

56 minutes ago
1


