Pankaj Dheer Birth Anniversary: ୩୦୦ ଟଙ୍କା ଦରମାରୁ ଆରମ୍ଭ, ‘ମହାଭାରତ’ର କର୍ଣ୍ଣ ହୋଇ ବଦଳାଇଥିଲେ ଭାଗ୍ୟ; ଜାଣନ୍ତୁ ପଙ୍କଜ ଧୀରଙ୍କ ସଂଘର୍ଷର କାହାଣୀ

4 days ago 5
ARTICLE AD BOX

ମୁମ୍ବାଇ: ଟେଲିଭିଜନ ଜଗତରେ ଏପରି କିଛି କଳାକାର ଅଛନ୍ତି, ଯେଉଁମାନଙ୍କ ପରିଚୟ ସେମାନଙ୍କ ଅଭିନୀତ ଚରିତ୍ର ହିଁ ପାଲଟିଯାଏ। ପଙ୍କଜ ଧୀର ମଧ୍ୟ ସେହିଭଳି ଜଣେ କଳାକାର ଥିଲେ। ବି ଆର୍ ଚୋପ୍ରାଙ୍କ 'ମହାଭାରତ' ଧାରାବାହିକରେ କର୍ଣ୍ଣ ଭୂମିକାରେ ଅଭିନୟ କରି ସେ ଏପରି ଛାପ ଛାଡ଼ିଥିଲେ ଯେ, ଲୋକେ ତାଙ୍କୁ ପ୍ରକୃତ ନାମ ଅପେକ୍ଷା କର୍ଣ୍ଣ ନାମରେ ଅଧିକ ଚିହ୍ନିବାକୁ ଲାଗିଥିଲେ।

କିନ୍ତୁ ଏହି ସଫଳତା ପଛରେ ରହିଛି ଏକ ଏପରି କାହାଣୀ, ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଯେଉଁ ବିଆର୍ ଚୋପ୍ରା ପରବର୍ତ୍ତୀ ସମୟରେ ତାଙ୍କୁ କର୍ଣ୍ଣ ଭୂମିକାରେ ସୁଯୋଗ ଦେଇଥିଲେ, ସେହି ବିଆର୍ ଚୋପ୍ରା ଦିନେ ତାଙ୍କୁ ନିଜ ଅଫିସରୁ ବାହାର କରିଦେଇଥିଲେ। ଏହାର କାରଣ ଥିଲା ତାଙ୍କ ନିଶ। ପ୍ରଥମେ ପଙ୍କଜଙ୍କୁ ଅର୍ଜୁନ ଭୂମିକା ମିଳିଥିଲା। କିନ୍ତୁ ନିଶ କାଟିବାକୁ ମନା କରିବାରୁ ତାଙ୍କ ଚୁକ୍ତିନାମା ମଧ୍ୟ ଚିରି ଦିଆଯାଇଥିଲା। ପ୍ରାୟ ୬ ମାସ ଧରି କାମ ପାଇଁ ଘୂରି ବୁଲିଥିବା ପଙ୍କଜଙ୍କ ଭାଗ୍ୟ ପରେ ଏପରି ବଦଳିଥିଲା ଯେ, ସେ ଟେଲିଭିଜନ ଜଗତର ସବୁଠାରୁ ସ୍ମରଣୀୟ କର୍ଣ୍ଣ ପାଲଟି ଯାଇଥିଲେ। ନଭେମ୍ବର ୯ ତାରିଖରେ ତାଙ୍କ ଜୟନ୍ତୀ ଅବସରରେ ଜାଣନ୍ତୁ ଏହି ଅଭିନେତାଙ୍କ ଜୀବନର କିଛି ଅଜଣା କାହାଣୀ, ଯାହା ପରଦା ପଛର ତାଙ୍କ ପ୍ରକୃତ ସଂଘର୍ଷକୁ ସାମ୍ନାକୁ ଆଣିଥାଏ।

ନିଜ ଜିଦ୍ ପାଇଁ ହାତଛଡ଼ା ହୋଇଥିଲା ଅର୍ଜୁନ ଭୂମିକା

ପଙ୍କଜ ଧୀରଙ୍କ ଜୀବନର ସବୁଠାରୁ ବଡ଼ ମୋଡ଼ 'ମହାଭାରତ'ର ଅଡିସନ୍ ସହ ଜଡ଼ିତ। ପ୍ରଥମେ ତାଙ୍କୁ କର୍ଣ୍ଣ ନୁହେଁ, ବରଂ ଅର୍ଜୁନଙ୍କ ଚରିତ୍ର ପାଇଁ ପ୍ରସ୍ତାବ ମିଳିଥିଲା। ଅଡିସନ୍‌ରେ ସଫଳ ହେବା ପରେ ଏହି ଭୂମିକା ପାଇଁ ତାଙ୍କୁ ଚୟନ ମଧ୍ୟ କରାଯାଇଥିଲା। କିନ୍ତୁ କାହାଣୀରେ ଏପରି ଏକ ମୋଡ଼ ଆସିଥିଲା, ଯାହା ତାଙ୍କ ହାତରୁ ଏହି ବଡ଼ ସୁଯୋଗ ଛଡ଼ାଇ ନେଇଥିଲା। ପ୍ରକୃତରେ ବିଆର୍ ଚୋପ୍ରା ଚାହୁଁଥିଲେ ଯେ, ପଙ୍କଜ ଅର୍ଜୁନଙ୍କ ସହ ବୃହନ୍ନଳା ଚରିତ୍ରରେ ମଧ୍ୟ ଅଭିନୟ କରନ୍ତୁ। ଏଥିପାଇଁ ତାଙ୍କୁ ନିଜ ନିଶ କାଟିବାକୁ ପଡ଼ିଥାନ୍ତା। କିନ୍ତୁ ପଙ୍କଜ ଏଥିପାଇଁ ଆଦୌ ରାଜି ନଥିଲେ। ନିଶ ନଥିଲେ ତାଙ୍କ ଚେହେରା ଭଲ ଦେଖାଯିବ ନାହିଁ ବୋଲି ସେ ଭାବୁଥିଲେ। ତାଙ୍କ ଏହି ଜିଦ୍‌ରେ ବିଆର୍ ଚୋପ୍ରା ରାଗି ଯାଇଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ଯଦି ନିଶ କାଟିବାକୁ ରାଜି ନୁହଁ, ତେବେ ଅଫିସରୁ ବାହାରିଯାଅ ଏବଂ ଆଉ କେବେ ଫେରିବ ନାହିଁ। ଏପରିକି ତାଙ୍କ ଚୁକ୍ତିନାମାକୁ ମଧ୍ୟ ଚିରି ଦିଆଯାଇଥିଲା।

 ଏକ ସାକ୍ଷାତକାରରେ ପଙ୍କଜ ଧୀର ନିଜେ ଏହି ଘଟଣା ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ ଯେ, ଏହା ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି କାମ ନଥିଲା। ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ଡବିଂ କାମ କରିବାକୁ ପଡ଼ିଥିଲା। କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଆଉ କିଛି ଭାବି ରଖିଥିଲା। ୬ ମାସ ପରେ ବିଆର୍ ଚୋପ୍ରା ତାଙ୍କୁ ପୁଣି ଡାକିଥିଲେ ଏବଂ ଏଥର କର୍ଣ୍ଣ ଭୂମିକା ଯାଚିଥିଲେ। ପଙ୍କଜ ପ୍ରଥମେ ପଚାରିଥିଲେ ଯେ, ଏହି ଭୂମିକା ପାଇଁ ନିଶ କାଟିବାକୁ ପଡ଼ିବ କି? ଯେତେବେଳେ ଉତ୍ତର ମିଳିଥିଲା ଯେ ନିଶ କାଟିବାକୁ ପଡ଼ିବ ନାହିଁ, ସେ ସଙ୍ଗେ ସଙ୍ଗେ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ।

ମୃତ୍ୟୁ ଦୃଶ୍ୟ ଦେଖି କାନ୍ଦିଥିଲେ ଦର୍ଶକ

୧୯୮୮ ମସିହାରେ ଦୂରଦର୍ଶନରେ 'ମହାଭାରତ' ଧାରାବାହିକର ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ପରେ ପଙ୍କଜ ଧୀରଙ୍କ ଜୀବନ ବଦଳି ଯାଇଥିଲା। କର୍ଣ୍ଣ ଚରିତ୍ରରେ ତାଙ୍କ ଅଭିନୟ, ଗମ୍ଭୀର ସ୍ୱର ଏବଂ ବ୍ୟକ୍ତିତ୍ୱ ଦର୍ଶକଙ୍କ ଉପରେ ଏପରି ପ୍ରଭାବ ପକାଇଥିଲା ଯେ, ଲୋକେ ତାଙ୍କୁ ପ୍ରକୃତ ନାମ ବଦଳରେ କର୍ଣ୍ଣ ବୋଲି ଡାକିବାକୁ ଲାଗିଥିଲେ।ଧାରାବାହିକରେ ଯେତେବେଳେ କର୍ଣ୍ଣଙ୍କ ମୃତ୍ୟୁ ଦୃଶ୍ୟ ପ୍ରସାରିତ ହୋଇଥିଲା, ସେତେବେଳେ ଅନେକ ଦର୍ଶକ ଭାବବିହ୍ୱଳ ହୋଇପଡ଼ିଥିଲେ। ଏକ ସାକ୍ଷାତକାରରେ ପଙ୍କଜ ବସ୍ତରର ଏକ ଘଟଣା ବିଷୟରେ କହିଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଲୋକେ ତାଙ୍କୁ ପ୍ରକୃତ କର୍ଣ୍ଣଙ୍କ ଭଳି ସମ୍ମାନ ଦେବାକୁ ଲାଗିଥିଲେ। କର୍ଣ୍ଣାଲ ଏବଂ ବସ୍ତରରେ ତାଙ୍କ କର୍ଣ୍ଣ ଚରିତ୍ରର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଥିଲା।ଯେଉଁ ଚରିତ୍ର ପାଇଁ ଦିନେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେହି ଚରିତ୍ର ହିଁ ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ସବୁଠାରୁ ବଡ଼ ପରିଚୟ ପାଲଟିଥିଲା।

ପଙ୍କଜ ଧୀରଙ୍କ ପରିଚୟ ଜଣେ ଅଭିନେତା ଭାବେ ହୋଇଥିଲେ ମଧ୍ୟ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ଆରମ୍ଭ ହୋଇଥିଲା। ତାଙ୍କ ବାପା ସିଏଲ୍ ଧୀର ମଧ୍ୟ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିଲେ। ପଙ୍କଜଙ୍କ ଦେହାନ୍ତ ପରେ ମୁକେଶ ଖାନ୍ନା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ, ପଙ୍କଜ ତାଙ୍କ ପ୍ରଥମ ଫିଲ୍ମ 'ରୁହି'ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ସେହି ସମୟରେ ତାଙ୍କୁ ମାସକୁ ମାତ୍ର ୩୦୦ ଟଙ୍କା ମିଳୁଥିଲା।

ପତ୍ନୀ ଅନୀତା ଓ ପୁଅଙ୍କ ସହ ସୁଖମୟ ପରିବାର

ପଙ୍କଜ ଧୀରଙ୍କ ପତ୍ନୀଙ୍କ ନାମ ଅନୀତା ଧୀର। ତାଙ୍କ ପୁଅ ନିକିତିନ ଧୀର ମଧ୍ୟ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶାହରୁଖ ଖାନଙ୍କ ଫିଲ୍ମ 'ଚେନ୍ନାଇ ଏକ୍ସପ୍ରେସ୍‌'ରେ ଥଙ୍ଗବାଲି ଚରିତ୍ରରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ପଙ୍କଜ ଧୀରଙ୍କ ବୋହୂ କୃତିକା ସେଙ୍ଗର ମଧ୍ୟ ଟେଲିଭିଜନ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ପଙ୍କଜ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗଣମାଧ୍ୟମର ଚର୍ଚ୍ଚାଠାରୁ ଦୂରରେ ରଖିଥିଲେ।

Box Office Collection: ଦୀପାବଳିରେ ‘ରାମାୟଣ’ର ରେକର୍ଡ, ୪ ଦିନରେ ବିଶ୍ୱବ୍ୟାପୀ ଆୟ ୪୯୯ କୋଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.