ARTICLE AD BOX
ଭାରତର ସମୟ ପ୍ରଣାଳୀରେ ଏକ ଐତିହାସିକ ଓ ବୈଷୟିକ ସଂସ୍କାର ହେବାକୁ ଯାଉଛି। କେନ୍ଦ୍ର ସରକାର ସମଗ୍ର ଦେଶର ଡିଜିଟାଲ୍ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଏକମାତ୍ର ସଠିକ୍ ସମୟ ଚକ୍ର ସହିତ ଯୋଡ଼ିବା ପାଇଁ 'ଏକ ଦେଶ ଏକ ସମୟ' ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଶେଷ କରିଛନ୍ତି। ଏହା ଅଧୀନରେ 'ଲିଗାଲ ମେଟ୍ରୋଲୋଜି (ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ) ରୁଲ୍ସ, ୨୦୨୬' କାର୍ଯ୍ୟକାରୀ କରିବାର ଯୋଜନା ରହିଛି, ଯାହା ମାର୍ଚ୍ଚ ୨୦୨୭ ରୁ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହେବ। ଏହି ନୂତନ ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ଡିଜିଟାଲ୍ ସର୍ଭର ଏବଂ ସରକାରୀ ତନ୍ତ୍ରରେ ଥିବା ସମୟର ମାମୁଲି ପାର୍ଥକ୍ୟକୁ ଦୂର କରିବା।
ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ବିହାରରେ ପହଞ୍ଚିଲେ ବିଶାଳ ମାଛ! ପରାମର୍ଶ ଜାରି କଲେ ସରକାର
ଆପଣଙ୍କ ଦୈନନ୍ଦିନ ଜୀବନ ଏବଂ ଘଡ଼ିଗୁଡ଼ିକ ଉପରେ କ’ଣ ପଡ଼ିବ ପ୍ରଭାବ
ଏହି ନୂତନ ନୀତି କାର୍ଯ୍ୟକାରୀ ହେବା ଦ୍ୱାରା ସାଧାରଣ ନାଗରିକମାନଙ୍କୁ ସେମାନଙ୍କର ହାତ ଘଡ଼ି, କାନ୍ଥ ଘଡ଼ି କିମ୍ବା ସ୍ମାର୍ଟଫୋନରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଭାରତର ପ୍ରତ୍ୟେକ ନାଗରିକ ପୂର୍ବପରି ଭାରତୀୟ ମାନକ ସମୟ ପାଳନ କରୁଥିବେ। ପ୍ରକୃତ ପରିବର୍ତ୍ତନ ଆପଣଙ୍କ ଉପକରଣରେ ନୁହେଁ, ବରଂ ସେହି ଡିଜିଟାଲ୍ ପ୍ରଣାଳୀ ଓ ବ୍ୟାକଏଣ୍ଡ ସର୍ଭରଗୁଡ଼ିକରେ ହେବ ଯାହା ଉପରେ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳିତ ହୁଏ। ଆଜିର ଡିଜିଟାଲ୍ ଯୁଗରେ ସମୟର ସୂକ୍ଷ୍ମ ସଠିକତାର ବଡ଼ ମହତ୍ତ୍ୱ ରହିଛି। ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ରାତି ୧୧.୫୯ ମିନିଟରେ ୟୁପିଆଇ ମାଧ୍ୟମରେ କୌଣସି ଆର୍ଥିକ କାରବାର କରନ୍ତି ଓ ବ୍ୟାଙ୍କ ସର୍ଭରର ସମୟ ଆପଣଙ୍କ ଫୋନ୍ ଠାରୁ ମାତ୍ର ଦୁଇ ସେକେଣ୍ଡ ଅଲଗା ଥାଏ, ସେତେବେଳେ ପ୍ରାୟତଃ ପଇସା ଅଟକିଯାଏ ବା ଟ୍ରାଞ୍ଜାକ୍ସନ ଫେଲ୍ ହୋଇଯାଏ। ଠିକ୍ ଏହିପରି ଭାବରେ ସେୟାର ବଜାର କାରବାର, ରେଳବାଇ ଟିକେଟ୍ ବୁକିଂ ଓ ଏୟାରଲାଇନ୍ସ ସୂଚୀରେ ମିଲିସେକେଣ୍ଡର ପାର୍ଥକ୍ୟ ମଧ୍ୟ ବଡ଼ ଗଣ୍ଡଗୋଳ ସୃଷ୍ଟି କରିଥାଏ। ନୂତନ ବ୍ୟବସ୍ଥା ଅଧୀନରେ ଦେଶର ପ୍ରତ୍ୟେକ ଆଇନଗତ, ଆର୍ଥିକ, ପ୍ରଶାସନିକ ଓ ବୈଷୟିକ ଢାଞ୍ଚା ସିଧାସଳଖ ଦିଲ୍ଲୀସ୍ଥିତ ନ୍ୟାସନାଲ ଫିଜିକାଲ ଲ୍ୟାବୋରେଟ୍ରି ର ପରମାଣୁ ଘଡ଼ି ସହିତ ସଂଯୁକ୍ତ ହୋଇଯିବ।
କିପରି ହୁଏ ସମୟ ଗଣନାର ସମ୍ପୂର୍ଣ୍ଣ ଗଣିତ?
ସମୟ ନିର୍ଦ୍ଧାରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆମ ପୃଥିବୀର ପ୍ରାକୃତିକ ଗତି ସହିତ ଜଡ଼ିତ। ପୃଥିବୀ ନିଜ ଅକ୍ଷରେ ପଶ୍ଚିମରୁ ପୂର୍ବ ଦିଗକୁ ଘୂର୍ଣ୍ଣନ କରେ ଓ ଗୋଟିଏ ସମ୍ପୂର୍ଣ୍ଣ ଚକ୍କର ଲଗାଇବା ପାଇଁ ପ୍ରାୟ ୨୪ ଘଣ୍ଟା ସମୟ ନେଇଥାଏ। ଭୂଗୋଳବିତ୍ମାନେ ସମଗ୍ର ବିଶ୍ୱକୁ ବୁଝିବା ପାଇଁ ପୃଥିବୀର କାଳ୍ପନିକ ମାନଚିତ୍ରରେ ୩୬୦ଟି ରେଖା ଟାଣିଛନ୍ତି, ଯାହାକୁ ଦେଶାନ୍ତର ରେଖା କୁହାଯାଏ।
ଯେହେତୁ ପୃଥିବୀ ୨୪ଘଣ୍ଟାରେ ୩୬୦ଡିଗ୍ରୀ ଘୂର୍ଣ୍ଣନ କରେ, ତେଣୁ ଗାଣିତିକ ହିସାବରେ ୧ ଡିଗ୍ରୀ ଦେଶାନ୍ତର ଅତିକ୍ରମ କରିବାକୁ ୪ମିନିଟ୍ ସମୟ ଲାଗିଥାଏ। ଏହି ଆଧାରରେ ପ୍ରତ୍ୟେକ ୧୫ ଡିଗ୍ରୀ ଦୂରତାରେ ସମୟରେ ଠିକ୍ ୧ ଘଣ୍ଟାର ପାର୍ଥକ୍ୟ ଆସିଯାଏ। ସୂର୍ଯ୍ୟ ସର୍ବଦା ପୂର୍ବ ଦିଗରେ ପ୍ରଥମେ ଉଦୟ ହୁଅନ୍ତି, ତେଣୁ ବିଶ୍ୱର ପୂର୍ବ ଅଞ୍ଚଳଗୁଡ଼ିକରେ ଦିନର ଆରମ୍ଭ ପଶ୍ଚିମ ଅଞ୍ଚଳ ତୁଳନାରେ ପୂର୍ବରୁ ହୋଇଥାଏ।
ଆହୁରି ପଢ଼ନ୍ତୁ: ଅଗଷ୍ଟରେ ୧.୯୯ ଲକ୍ଷ କୋଟିର ଜିଏସ୍ଟି ଆଦାୟ
ଜିଏମ୍ଟି ରୁ ୟୁଟିସି ଯାତ୍ରା
୧୯ ଶତାବ୍ଦୀରେ ଯେତେବେଳେ ସମଗ୍ର ବିଶ୍ୱରେ ରେଳଗାଡ଼ି ଏବଂ ଟେଲିଗ୍ରାଫ୍ର ଜାଲ ବିଛାଇବା ଆରମ୍ଭ ହେଲା, ସେତେବେଳେ ସହରଗୁଡ଼ିକର ଅଲଗା ଅଲଗା ସ୍ଥାନୀୟ ସମୟ ଯୋଗୁଁ ପ୍ରବଳ ଅରାଜକତା ଦେଖାଦେଲା। ଏହି ସମସ୍ୟାର ସମଧାନ ପାଇଁ ୧୮୮୪ ମସିହାରେ ୱାଶିଂଟନ୍ ଡିସିରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥିର କରାଗଲା ଯେ ବ୍ରିଟେନର ଲଣ୍ଡନସ୍ଥିତ ରୟାଲ ଗ୍ରୀନୱିଚ୍ ଅବଜର୍ଭେଟୋରି ଦେଇ ଅତିକ୍ରମ କରୁଥିବା ଦେଶାନ୍ତର ରେଖାକୁ ଶୂନ୍ୟ ଡିଗ୍ରୀ ଧରି ବିଶ୍ୱର ମାନକ ସମୟ ସ୍ଥିର କରାଯିବ। ଏହାକୁ ଗ୍ରୀନୱିଚ୍ ମିନ୍ ଟାଇମ୍ ନାମ ଦିଆଗଲା।
ସମୟ ସହିତ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ପୃଥିବୀର ଘୂର୍ଣ୍ଣନ ଗତି ସର୍ବଦା ସମ୍ପୂର୍ଣ୍ଣ ସ୍ଥିର ରହେ ନାହିଁ ଏବଂ ଏଥିରେ ଅତି ସୂକ୍ଷ୍ମ ପରିବର୍ତ୍ତନ ଘଟିଥାଏ। ଏଣୁ ଜିଏମ୍ଟି ସ୍ଥାନରେ ଅଧିକ ସଠିକ୍ କୋଅର୍ଡିନେଟେଡ୍ ୟୁନିଭର୍ସାଲ ଟାଇମ୍ ଗ୍ରହଣ କରାଗଲା। ଆଧୁନିକ ଯୁଗରେ ୟୁଟିସି ର ନିର୍ଦ୍ଧାରଣ ଅତ୍ୟନ୍ତ ଉନ୍ନତ ପରମାଣୁ ଘଡ଼ି ମାଧ୍ୟମରେ କରାଯାଏ। ଏହି ଘଡ଼ିଗୁଡ଼ିକ 'ସିଜିୟମ୍-୧୩୩ ପରମାଣୁର ଏକ ସେକେଣ୍ଡରେ ହେଉଥିବା ଅସଂଖ୍ୟ କମ୍ପନର ସିଦ୍ଧାନ୍ତରେ କାମ କରେ। ଏଗୁଡ଼ିକର ସଠିକତା ଏତେ ଜୋରଦାର ହୋଇଥାଏ ଯେ ଲକ୍ଷ ଲକ୍ଷ ବର୍ଷରେ ମଧ୍ୟ ଏଥିରେ ଗୋଟିଏ ସେକେଣ୍ଡର ଭୁଲ୍ ହୁଏ ନାହିଁ।
ଭାରତୀୟ ମାନକ ସମୟ ଆଇଏସ୍କଟି କ’ଣ?
ଭାରତର ଆଧୁନିକ ସମୟକୁ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ୍ କୁହାଯାଏ। ଦେଶର ଆଧୁନିକ ସମୟର ନିର୍ଦ୍ଧାରଣ ୮୨.୫ ଡିଗ୍ରୀ ପୂର୍ବ ଦେଶାନ୍ତର ରେଖା ଆଧାରରେ କରାଯାଇଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ଦେଶାନ୍ତର ରେଖା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଦେଇ ଅତିକ୍ରମ କରିଥାଏ। ଭୂଗୋଳିକ ଗଣିତ ଅନୁଯାୟୀ ଭାରତର ମାନକ ସମୟ ଗ୍ରୀନୱିଚ୍ ମିନ୍ ଟାଇମ୍ ଏବଂ ୟୁଟିସି ଠାରୁ ଠିକ୍ ୫ ଘଣ୍ଟା ୩୦ ମିନିଟ୍ ଆଗରେ ରହିଥାଏ। ସରଳ ଭାବରେ ବୁଝିଲେ, ଯେତେବେଳେ ଲଣ୍ଡନରେ ଦ୍ୱିପ୍ରହର ୧୨ଟା ବାଜିଥାଏ, ସେତେବେଳେ ଭାରତରେ ସନ୍ଧ୍ୟା ୫ଟା ୩୦ ମିନିଟ୍ ହୋଇଥାଏ। ଭାରତ ଏବଂ ଶ୍ରୀଲଙ୍କା ଉଭୟ ଏହି ମାନକ ସମୟକୁ ପାଳନ କରନ୍ତି।
ଭାରତରେ ଗୋଟିଏ ମାନକ ସମୟ କାହିଁକି ଜରୁରୀ?
ଭାରତପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପ୍ରାୟ ୨୯୩୩ କିଲୋମିଟରର ବିଶାଳ ପରିସରରେ ବିସ୍ତୃତ ଥିବା ଏକ ଦେଶ। ଦେଶର ଭୂଗୋଳିକ ବିସ୍ତାର ୬୦ ଡିଗ୍ରୀ ପୂର୍ବ ଦେଶାନ୍ତରରୁ ଆରମ୍ଭ କରି ୯୭ ଡିଗ୍ରୀ ପୂର୍ବ ଦେଶାନ୍ତର ପର୍ଯ୍ୟନ୍ତ ରହିଛି। ଏହାର ଅର୍ଥ ହେଉଛି ଭାରତର ସବୁଠାରୁ ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ସବୁଠାରୁ ପଶ୍ଚିମ ରାଜ୍ୟ ଗୁଜରାଟ ମଧ୍ୟରେ ପ୍ରାୟ ୩୦ଡିଗ୍ରୀ ଦେଶାନ୍ତର ରେଖାର ବ୍ୟବଧାନ ରହିଛି। ୧ ଡିଗ୍ରୀରେ ୪ ମିନିଟ୍ ହିସାବରେ ୩୦ଡିଗ୍ରୀ ଦେଶାନ୍ତର ମଧ୍ୟରେ ପ୍ରାୟ ୧୨୦ ମିନିଟ୍ ଅର୍ଥାତ୍ ସମ୍ପୂର୍ଣ୍ଣ ୨ ଘଣ୍ଟାର ପାର୍ଥକ୍ୟ ସୃଷ୍ଟି ହୋଇଥାଏ। ଯଦି ଭାରତରେ ଗୋଟିଏ ମାନକ ସମୟ ନ ଥା'ନ୍ତା, ତେବେ ଗୁଜରାଟ ଏବଂ ଅରୁଣାଚଳ ପ୍ରଦେଶର ସ୍ଥାନୀୟ ଘଡ଼ିଗୁଡ଼ିକରେ ଦୁଇ ଘଣ୍ଟାର ଫରକ ରହିଥା'ନ୍ତା। ଏହା ଦ୍ୱାରା ଟ୍ରେନ୍ ପରିଚାଳନା, ଉଡ଼ାଣ ସମୟ, ବ୍ୟାଙ୍କ କାର୍ଯ୍ୟ ଏବଂ ସରକାରୀ ଦଫ୍ତର ଚଳାଇବା ପ୍ରାୟ ଅସମ୍ଭବ ହୋଇପଡ଼ିଥା'ନ୍ତା। ଏହି ପ୍ରବଳ ଭ୍ରମରୁ ବର୍ତ୍ତିବା ପାଇଁ ଦେଶର ମଧ୍ୟଭାଗରୁ ଅତିକ୍ରମ କରୁଥିବା ରେଖାକୁ ହିଁ ସମଗ୍ର ଭାରତର ଏକମାତ୍ର ପ୍ରାମାଣିକ ସମୟ ବୋଲି ଘୋଷଣା କରାଯାଇଛି।
ଦୁଇଟି ଟାଇମ୍ ଜୋନ୍ର ଦାବି
ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସୂର୍ଯ୍ୟ ବହୁତ ଶୀଘ୍ର ଉଦୟ ହୁଅନ୍ତି ଏବଂ ଶୀଘ୍ର ଅସ୍ତ ମଧ୍ୟ ହୁଅନ୍ତି। ଗ୍ରୀଷ୍ମ ଦିନଗୁଡ଼ିକରେ ସେଠାରେ ସକାଳ ୪ଟାରୁ କଠିନ ଖରା ବାହାରିଯାଏ, ଯେତେବେଳେ କି ସନ୍ଧ୍ୟାରେ ୪.୩୦ ଟା ବେଳକୁ ଅନ୍ଧାର ଛାଇଯାଏ। ଅନ୍ୟପକ୍ଷରେ ଗୁଜରାଟ ଏବଂ ରାଜସ୍ଥାନରେ ସୂର୍ଯ୍ୟ ବହୁତ ବିଳମ୍ବରେ ଅସ୍ତ ହୁଅନ୍ତି। ଏହା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସକାଳର ଅନେକ ମୂଲ୍ୟବାନ ଘଣ୍ଟା ଦଫ୍ତର ଖୋଲିବା ପୂର୍ବରୁ ହିଁ ବିତିଯାଏ ଏବଂ ସନ୍ଧ୍ୟାରେ ଶୀଘ୍ର ଲାଇଟ୍ ଜଳାଇବାକୁ ପଡ଼େ, ଯାହାଦ୍ୱାରା ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଏ। ଏହି କାରଣରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରୁ ପୃଥକ୍ ଟାଇମ୍ ଜୋନ୍ ତିଆରି କରିବାର ଦାବି ଉଠୁଛି।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ପ୍ରତିବାଦକାରୀ ଛାତ୍ରଙ୍କ ବିରୋଧରେ ଦାୟର ୧୨୯ ଏଫଆଇଆର ଖାରଜ: ପ୍ରସ୍ତାବିତ ପଦଯାତ୍ରା ପ୍ରତ୍ୟାହାର କଲା ସିଜେପି

47 minutes ago
1


