ARTICLE AD BOX
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସାମ୍ବାଦିକ ନିଧି ରାଜଦାନଙ୍କୁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ନିଜ ଏକ୍ସ ହ୍ୟାଣ୍ଡେଲରେ ଓମାର ନିଜର ଏବଂ ନିଧିଙ୍କ ଫଟୋ ସେୟାର କରି ନୂଆ ଜୀବନର ନୂଆ ଯାତ୍ରା ଆରମ୍ଭ ହୋଇଥିବା ଲେଖିଛନ୍ତି। ପ୍ରଥମେ ଓମାର ଅବଦୁଲ୍ଲା ବିବାହ ଖବର ଘୋଷଣା କରିଥିବା ବେଳେ କିଛି ସମୟ ପରେ ନିଧି ରାଜଦାନ ମଧ୍ୟ ଏହି ଖବର ସାର୍ବଜନୀନ କରିଥିଲେ।
୩୧ ଅକ୍ଟୋବର ୨୦୨୬ରେ ଏହି ନବଦମ୍ପତି ନିଜ ବିବାହ ସମ୍ପର୍କରେ ଆଧିକାରିକ ଘୋଷଣା କରିବା ସହ ସୋସିଆଲ ମିଡିଆରେ ବ୍ୟକ୍ତିଗତ ସମାରୋହର ଫଟୋ ସେୟାର କରିଛନ୍ତି। ଏକ ମିଳିତ ପୋଷ୍ଟରେ ଓମାର ଲେଖିଛନ୍ତି, “ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହୋଇଛି।” ସେହିପରି ନିଧି ଏକ୍ସରେ ମଜାଳିଆ ଢଙ୍ଗରେ “ଇଟ୍ସ ଡନ୍ ବ୍ରୋ” ବୋଲି ଲେଖିଛନ୍ତି।
୩୦ ବର୍ଷର ବୈବାହିକ ସମ୍ପର୍କ ଶେଷ ହେବାର ୩ ମାସ ପରେ ଦ୍ୱିତୀୟ ବିବାହ
୩୧ ଜୁଲାଇ ୨୦୨୬ରେ ଭାରତର ସୁପ୍ରିମକୋର୍ଟ ଓମାର ଅବଦୁଲ୍ଲା ଏବଂ ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ୩୦ ବର୍ଷ ପୁରୁଣା ବିବାହ ସମ୍ପର୍କକୁ ଆଇନଗତ ଭାବେ ଶେଷ କରିଥିଲେ। ଉଭୟ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ବୈବାହିକ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହମତିରେ ରାଜିନାମା କରିବା ପରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଛାଡ଼ପତ୍ରକୁ ମଞ୍ଜୁରି ଦେଇଥିଲେ।
ଓମାରଙ୍କ ପ୍ରଥମ ବିବାହରୁ ଦୁଇଜଣ ପୁଅ ଅଛନ୍ତି। ଅନ୍ୟପଟେ ନିଧି ରାଜଦାନ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲର ଜଣେ ଜଣାଶୁଣା ପୂର୍ବତନ ନ୍ୟୁଜ୍ ଆଙ୍କର। ସେ ଏହା ପୂର୍ବରୁ ଦିଲ୍ଲୀର ଜଣେ ଗୀତିକାର ଓ ସାମ୍ବାଦିକଙ୍କୁ ବିବାହ କରିଥିଲେ।
ଘରୋଇ ସମାରୋହରେ ହେଲା ବିବାହ
ବିବାହ ସମାରୋହକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ତେବେ ଗତ କିଛି ମାସ ମଧ୍ୟରେ ଏହି ଯୋଡ଼ିଙ୍କୁ ଦିଲ୍ଲୀ ହାଫ୍ ମାରାଥନ୍ ଏବଂ ଜମ୍ମୁ-କାଶ୍ମୀର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଭଳି ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା।
ସୂତ୍ର ଅନୁଯାୟୀ, ଅକ୍ଟୋବର ୩୦ ତାରିଖରେ ଶ୍ରୀନଗରର ହରି ନିବାସ ପ୍ୟାଲେସ୍ରେ ନିକଟତମ ପରିବାର ସଦସ୍ୟ ଓ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୩୧ ତାରିଖରେ ଦିଲ୍ଲୀର ଏକ ଘରୋଇ ହୋଟେଲରେ ବିବାହ ରିସେପ୍ସନ୍ ଆୟୋଜନ କରାଯିବ। ଏହି ବିବାହ ଦିଲ୍ଲୀର ଏକ ଅଦାଲତରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ବା ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛି। ବିବାହ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ଅଗଷ୍ଟ ୨୦୨୬ରେ ଆରମ୍ଭ ହୋଇଥିଲା। ସମସ୍ତ ଆଇନଗତ ଔପଚାରିକତା ପୂରଣ ହେବା ପରେ ସେପ୍ଟେମ୍ବର ଶେଷ ଆଡ଼କୁ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।
ତେବେ ସୂତ୍ର ଅନୁଯାୟୀ, ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ବିବାହ ପଞ୍ଜୀକରଣ ପୂର୍ବରୁ ଶ୍ରୀନଗରର ହରି ନିବାସ ପ୍ୟାଲେସ୍ରେ ଉଭୟ ପରିବାରର ଉପସ୍ଥିତିରେ ନିକାହ୍ ରୀତିନୀତି ମଧ୍ୟ ସମ୍ପନ୍ନ ହୋଇଥିଲା।
ଶନିବାର ସନ୍ଧ୍ୟା ୭ଟାରେ ଦିଲ୍ଲୀରେ ବିବାହର ପ୍ରଥମ ରିସେପ୍ସନ୍ ଆୟୋଜନ ହେବ। ଏହାପରେ ଆସନ୍ତା ସପ୍ତାହରେ ଜମ୍ମୁ ଏବଂ ଶେଷରେ ଶ୍ରୀନଗରରେ ଆଉ ଦୁଇଟି ରିସେପ୍ସନ୍ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

49 minutes ago
2


