Olympiad: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଜେଇଇ ବିନା ଆଇଆଇଟି-ଆଇଆଇଆଇଟିରେ ହୋଇପାରୁଛି ନାମଲେଖା!

3 days ago 5
ARTICLE AD BOX

ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ଆଇଆଇଟି ଓ ଆଇଆଇଆଇଟି ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ଆଡମିଶନ ନେବାକୁ ସ୍ୱପ୍ନ ଦେଖନ୍ତି। ଏଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଜେଇଇ ମେନ୍ ଓ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେଇଥାନ୍ତି। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଜେଇଇ ବ୍ୟତୀତ ମଧ୍ୟ ଏହି ଅନୁଷ୍ଠାନଗୁଡ଼ିକରେ ପଢ଼ିବା ପାଇଁ ଅନ୍ୟ ଏକ ରାସ୍ତା ରହିଛି। ତାହା ହେଉଛି ଇଣ୍ଟରନ୍ୟାସନାଲ ଅଲିମ୍ପିଆଡ୍ ଇନ୍ ଇନଫର୍ମାଟିକ୍ସ (ଆଇଓଆଇ)।

ଆଇଓଆଇକୁ କମ୍ପ୍ୟୁଟର ସାଇନ୍ସ ଓ ପ୍ରୋଗ୍ରାମିଂର ଅଲିମ୍ପିକ୍ ବୋଲି କୁହାଯାଏ। ଏଥିରେ ବିଶ୍ୱର ୯୦ରୁ ଅଧିକ ଦେଶର ମେଧାବୀ ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି। ୨୦୨୬ ଅଗଷ୍ଟ ୯ରୁ ୧୬ ତାରିଖ ମଧ୍ୟରେ ଉଜବେକିସ୍ତାନରେ ଆୟୋଜିତ ଆଇଓଆଇ-୨୦୨୬ରେ ୯୭ଟି ଦେଶର ୩୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତ ପକ୍ଷରୁ ସମିକ ଗୋୟଲ, ନୀଭ ଜୟପ୍ରକାଶ କଟାରିଆ, ନମନ ସିଂହ ଓ ଅଭିଆଂଶ ବର୍ମା ଦେଶର ପ୍ରତିନିଧିତ୍ୱ କରିଥିଲେ।

ଅଲିମ୍ପିଆଡ୍‌ରେ ଭାଗ
ଏହି ଅଲିମ୍ପିଆଡ୍‌ରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏକାଧିକ ପର୍ଯ୍ୟାୟ ଅତିକ୍ରମ କରିବାକୁ ପଡ଼ିଥାଏ। ପ୍ରଥମେ ଜୋନାଲ ଇନଫର୍ମାଟିକ୍ସ ଅଲିମ୍ପିଆଡ୍ (ଜେଡଆଇଓ) କିମ୍ବା ଜୋନାଲ କମ୍ପ୍ୟୁଟିଂ ଅଲିମ୍ପିଆଡ୍ (ଜେଡସିଓ) ପରୀକ୍ଷା ଦେବାକୁ ହୁଏ। ଏହାପରେ ଜାତୀୟ ସ୍ତରର ଇଣ୍ଡିଆନ୍ ନ୍ୟାସନାଲ ଅଲିମ୍ପିଆଡ୍ ଇନ୍ ଇନଫର୍ମାଟିକ୍ସ (ଆଇଏନଓଆଇ)ରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାକୁ ପଡ଼େ। ଏଥିରେ ଶ୍ରେଷ୍ଠ ପ୍ରାୟ ୩୦ ଜଣଙ୍କୁ ଟ୍ରେନିଂ କ୍ୟାମ୍ପ ପାଇଁ ଚୟନ କରାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରେଷ୍ଠ ୪ ଜଣ ଛାତ୍ରଛାତ୍ରୀ ଭାରତୀୟ ଦଳରେ ସ୍ଥାନ ପାଆନ୍ତି।

ବିଜେତାଙ୍କୁ ଆବେଦନ ସୁଯୋଗ
ଏହି ଅଲିମ୍ପିଆଡ୍‌ରେ ସଫଳତା ହାସଲ କରିବା ଦ୍ୱାରା ଉଚ୍ଚଶିକ୍ଷା ପାଇଁ ଅନେକ ସୁଯୋଗ ମିଳିଥାଏ। ଏହି ଟ୍ରାକ୍‌ରେ ଟ୍ରେନିଂ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚୁଥିବା କିଛି ଛାତ୍ରଛାତ୍ରୀଙ୍କୁ ଆଇଆଇଟିରେ ଜେଇଇ ଆଡଭାନ୍ସଡ୍ ବିନା ଆଡମିଶନ ସୁଯୋଗ ମିଳିପାରେ। ସେହିପରି ଆଇଏନଓଆଇରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କୁ ଚେନ୍ନାଇ ମ୍ୟାଥମେଟିକାଲ ଇନଷ୍ଟିଚ୍ୟୁଟ୍ (ସିଏମଆଇ)ରେ ସିଧାସଳଖ ଆଡମିଶନ ସୁଯୋଗ ମିଳିଥାଏ। ଆଇଆଇଆଇଟି ହାଇଦ୍ରାବାଦ ମଧ୍ୟ ନିଜର ଅଲିମ୍ପିଆଡ୍ ଆଡମିଶନ ପ୍ରକ୍ରିୟାରେ ଆଇଏନଓଆଇ ପଦକ ବିଜେତାଙ୍କୁ ଆବେଦନ ସୁଯୋଗ ଦେଇଥାଏ। ଏପରିକି ଆଇଆଇଆଇଟି ଦିଲ୍ଲୀ ଜେଇଇ ମେନ୍ ପର୍ସେଣ୍ଟାଇଲରେ ଅତିରିକ୍ତ ପଏଣ୍ଟ ଦେଇଥାଏ।

ନଭେମ୍ବର ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

ଅନ୍ୟପକ୍ଷରେ, ଏହି ଅଲିମ୍ପିଆଡ୍‌ରେ ସଫଳ ହେଉଥିବା ପିଲାଙ୍କ ପାଇଁ ବିଦେଶରେ ମଧ୍ୟ ଉଚ୍ଚଶିକ୍ଷାର ଦ୍ୱାର ଖୋଲିଥାଏ। ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି (ଏନୟୁଏସ୍) ଆଇଏନଓଆଇ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶେଷ ପ୍ରାଥମିକତା ଦେଇଥାଏ। ଆମେରିକାର ଅନେକ ପ୍ରତିଷ୍ଠିତ କଲେଜ ମଧ୍ୟ ଆଇଓଆଇରେ ଭାଗ ନେଉଥିବା ଓ ପଦକ ଜିତୁଥିବା ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରିଥାନ୍ତି। ତେଣୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ଓ ଆଲଗୋରିଦମ୍‌ରେ ଆଗ୍ରହ ରଖୁଥିବା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ୨୦୨୭ ପାଇଁ ଜେଡଆଇଓ ପରୀକ୍ଷା ନଭେମ୍ବର ୨୧ ଓ ଜେଡସିଓ ପରୀକ୍ଷା ଡିସେମ୍ବର ୧୨ରେ ଆୟୋଜିତ ହେବାକୁ ଥିବାରୁ ଆଗ୍ରହୀ ପିଲାମାନେ ଏହାର ପ୍ରସ୍ତୁତି ଆରମ୍ଭ କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.