ARTICLE AD BOX
କଟକ: ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍ ସିଏମ୍ ଟ୍ରଫି ରବିବାର ଅପରାହ୍ଣ ୫ଟାରେ ବାରବାଟୀ ଷ୍ଟାଡିୟମରେ ଶୁଭାରମ୍ଭ ହେବ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଯୋଗିତାର ଉଦ୍ଘାଟନ କରିବେ। ଏହି ଅବସରରେ ବ୍ରାଣ୍ଡ ଆମ୍ବାସଡର ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବେ। ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦୋସ, ବିଧାୟକ ପ୍ରକାଶ ସେଠୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅପରାହ୍ଣ ୫ଟାରୁ ୭ଟା ପର୍ଯ୍ୟନ୍ତ ହେବାକୁ ଥିବା ଉଦ୍ଘାଟନୀ ସମାରୋହରେ ବଲିଉଡ ଅଭିନେତ୍ରୀ ମୌନି ରାୟଙ୍କ ସମେତ ବହୁ ସେଲିବ୍ରେଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ସଂଧ୍ୟା ସାଢ଼େ ୭ଟାରେ ପ୍ରତିଯୋଗିତାର ଦୁଇ ଲଢ଼ୁଆ ଦଳ କଟକ ପାନ୍ଥର୍ସ ଓ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଉଭୟ ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ତରୁଣ ଖେଳାଳିମାନେ ରହିଥିବାରୁ ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ହେଲେ ଆଜି ଅପରାହ୍ଣ ପାଖାପାଖି ୩ଟାର ସାଢ଼େ ୪ଟା ପର୍ଯ୍ୟନ୍ତ କଟକ ସହରରେ ପ୍ରବଳ ବର୍ଷା ହୋଇଥିବାରୁ ଆସନ୍ତାକାଲି ବର୍ଷା ବାଧକ ସାଜିପାରେ ବୋଲି ଆକଳନ କରାଯାଉଛି। ଅଳ୍ପ ବର୍ଷା ହେଲେ ଓସିଏ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇ ଖେଳ ଚାଲୁରହିବ। ସୂଚନାଯୋଗ୍ୟ, ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୬ଟି ଫ୍ରାଞ୍ଚାଇଜ୍ ଦଳ ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟାନ୍ସ, କେନ୍ଦୁଝର ମାଇନର୍ସ, ରାଉରକେଲା ସୁପରଷ୍ଟାର୍ସ, ସମ୍ବଲପୁର ୱାରିଅର୍ସ ଓ କଟକ ପାନ୍ଥର୍ସ ଟ୍ରଫି ପାଇଁ ଲଢ଼େଇ କରିବେ। ଏହି ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଖେଳାଳିଙ୍କୁ ଚାପ ମଧ୍ୟରେ ଖେଳ ପ୍ରଦର୍ଶନ କରିବାର ଅବସର ତିଆରି କରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

1 week ago
3


