ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଚୋରି ଓ ହଜିଯାଇଥିବା ମୋବାଇଲ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇଛି ଗଜପତି ପୁଲିସ। ଏନେଇ ମଙ୍ଗଳବାର ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ‘ମୋବାଇଲ ବଣ୍ଟନ ମେଳା’ର ଆୟୋଜନ ହୋଇଥିଲା। ବୈଷୟିକ ତଦନ୍ତ ଓ ସିଇଆର୍ ପୋର୍ଟାଲ ମାଧ୍ୟମରେ ମୋବାଇଲଗୁଡ଼ିକୁ ଠାବ କରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ୬୦ଟି ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁସାରେ, ସିଇଆର୍ ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ଗଜପତି ପୋଲିସ ପକ୍ଷରୁ ମୋଟ ୧୦୦ଟି ମୋବାଇଲ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୨୦ଟି ମୋବାଇଲ ବାହାର ଜିଲ୍ଲାର ହୋଇଥିବା ବେଳେ ଆଉ ୨୦ଟି ମୋହନା ଅଞ୍ଚଳର ବୋଲି ଜଣାପଡ଼ିଛି। ଅବଶିଷ୍ଟ ୬୦ଟି ମୋବାଇଲ ପାରଳାଖେମୁଣ୍ଡି ଅଞ୍ଚଳର ହୋଇଥିବାରୁ ଏହି ବଣ୍ଟନ ମେଳାରେ ସେଗୁଡ଼ିକୁ ମାଲିକମାନଙ୍କୁ ଫେରାଇ ଦିଆଯାଇଛି। ଏଥିମଧ୍ୟରୁ ସର୍ବାଧିକ ୨୯ଟି ମୋବାଇଲ ପାରଳାଖେମୁଣ୍ଡି ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛି।
ଚୋରି କିମ୍ବା ହଜିଯାଇଥିବା ମୋବାଇଲକୁ ଅପରାଧୀମାନେ ବିଭିନ୍ନ ଅପରାଧରେ ବ୍ୟବହାର କରୁଥିବାରୁ ଏନେଇ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସାହାଇ ମୀନା ପରାମର୍ଶ ଦେଇଥିଲେ। ମୋବାଇଲ ଚୋରି କିମ୍ବା ହଜିଯିବା ମାତ୍ରେ ଏହା ସହ ସଂଯୁକ୍ତ ବ୍ୟାଙ୍କ ଖାତା ଓ ଅନ୍ୟ ଆର୍ଥିକ ସେବାର ଲିଙ୍କ ବିଛିନ୍ନ କରିବା ସହ ତୁରନ୍ତ ସିଇଆର୍ ପୋର୍ଟାଲରେ ଅଭିଯୋଗ ଦାଖଲ କରିବାକୁ ସେ ଅନୁରୋଧ କରିଥିଲେ। ହଜିଯାଇଥିବା ମୋବାଇଲ ଫେରିପାଇ ମାଲିକମାନେ ଖୁସି ପ୍ରକାଶ କରିବା ସହ ପୋଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ବଣ୍ଟନ ମେଳାରେ ଅତିରିକ୍ତ ଏସ୍ପି ବିରାଞ୍ଚି ବାଗ, ଡିଏସ୍ପି ଅମିତାଭ ପଣ୍ଡା, ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

1 hour ago
2


