Odisha Government: ଅବ୍ୟବହୃତ ଲିଜ୍‌ ଜମି ଅଥବା ଅନ୍ୟ ଉଦ୍ଦେଶ୍ଯରେ ନିୟୋଜିତ ସରକାରୀ ଜମିର ପୁନରୁଦ୍ଧାର ଉପରେ ଗୁରୁତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

54 minutes ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସୁବ୍ୟବସ୍ଥିତ, ଉତ୍ପାଦନଶୀଳ ଓ ସର୍ବୋତ୍ତମ ବ୍ୟବହାର ସୁନିଶ୍ଚିତ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଦୀର୍ଘ ସମୟ ଧରି ଅବ୍ୟବହୃତ ରହିଥିବା କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲିଜ୍‌ପ୍ରଦତ୍ତ ତଥା ଆଲିଏନେଟ୍‌ ବା ହସ୍ତାନ୍ତରିତ ହୋଇଥିବା ସରକାରୀ ଜମିର ସମୀକ୍ଷା କରି ଆଇନ୍ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି l

ଏହାର ବିସ୍ତୃତ ସମୀକ୍ଷା ଆବଶ୍ୟକ

                  ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ବିଭାଗ, କର୍ପୋରେସନ୍‌, ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ସରକାରୀ ଜମି ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ଲିଜ୍‌ କିମ୍ବା ଆଲିଏନେସନ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ତାହା ଅବ୍ୟବହୃତ ରହିଛି କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଛି। ଏଭଳି ପରିସ୍ଥିତି ସରକାରୀ ଜମି ଆବଣ୍ଟନର ଉଦ୍ଦେଶ୍ୟ ଓ ଏହାର ସମୁଚିତ ବ୍ୟବହାରକୁ ବାଧାପ୍ରାପ୍ତ କରୁଥିବାରୁ ଏହାର ବିସ୍ତୃତ ସମୀକ୍ଷା ଆବଶ୍ୟକ ବୋଲି ଦର୍ଶାଯାଇଛି।

                  ଏହି ପରିପ୍ରେକ୍ଷୀରେ ରାଜସ୍ୱ ସଚିବ ଡ. ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାରେ ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ଲିଜ୍‌ ଓ ଆଲିଏନେସନ୍‌ ମାଧ୍ୟମରେ ଦିଆଯାଇଥିବା ସରକାରୀ ଜମିର ବ୍ୟାପକ ଓ ସମୟବଦ୍ଧ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି l

                   ରାଜସ୍ୱ ସଚିବ ଡ. ପାଢ଼ୀ କହିଛନ୍ତି ଯେ, ସରକାରୀ ଜମି ଏକ ମୂଲ୍ୟବାନ ସାର୍ବଜନୀନ ସମ୍ପଦ। ସୁତରାଂ ଏହାର ଅପବ୍ୟବହାର, ଅନଧିକୃତ ଦଖଲ କିମ୍ବା ଅନଧିକୃତ ଧାରଣକୁ ରୋକିବା ସହ ଏହାର ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। 
                  ବିଶେଷତଃ, ଯେଉଁ ମାମଲାରେ କୌଣସି ସ୍ୱାର୍ଥନିହିତ ମହଲ, ପ୍ରଭାବଶାଳୀ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ଜଡ଼ିତ ଥାଏ, ସେସବୁ କ୍ଷେତ୍ରରେ ରାଜସ୍ୱ କ୍ଷେତ୍ରୀୟ ଅଧିକାରୀମାନେ କୌଣସି ପ୍ରକାର ଭୟ, ପକ୍ଷପାତ, ଚାପ କିମ୍ବା ପ୍ରଭାବର ବଶବର୍ତ୍ତୀ ନ ହୋଇ ନିର୍ଭୀକ, ନିରପେକ୍ଷ ଓ ଆଇନସମ୍ମତ ଭାବେ ନିଜର ବିଧିସମ୍ମତ ଦାୟିତ୍ୱ ନିର୍ବାହ କରିବା ଉଚିତ୍ l

                  ସ୍ୱାର୍ଥନିହିତ ମହଲ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କିମ୍ବା ଏପରି କୌଣସି ଅନୈତିକ ଅନୁଷ୍ଠାନ ସହ ସରକାରୀ ଅଧିକାରୀ/କର୍ମଚାରୀଙ୍କର କୌଣସି ପ୍ରକାର ସମ୍ପର୍କ କିମ୍ବା ସହଯୋଗ ପ୍ରମାଣିତ ହେଲେ, ପ୍ରଚଳିତ ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ ତଥା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି l

                ଏହି ପରିପ୍ରେକ୍ଷୀରେ, ସମସ୍ତ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏ ସମ୍ପର୍କରେ ଯଥାଯଥ ଭାବେ ସଚେତନ ଓ ସମ୍ବେଦନଶୀଳ କରାଯିବା ସହ ସରକାରୀ ଜମିର ସୁରକ୍ଷା ଓ ସୁବ୍ୟବସ୍ଥିତ ପରିଚାଳନା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି l

                  ଆଡଭାନ୍ସ ପଜେସନ୍‌ କ୍ଷେତ୍ରରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ, (OGLS Rules) ୧୯୮୩ର ନିୟମ ୧୧-A ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ବକେୟା ମାମଲାଗୁଡ଼ିକର ତ୍ୱରିତ କ୍ଷେତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଛି। ଜମି ଅବ୍ୟବହୃତ ଥିଲେ କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ, ଆଇନ ଅନୁଯାୟୀ ଜମିକୁ ସରକାରଙ୍କ ନିକଟକୁ ପୁନଃ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

                   ସେହିପରି, ପରମିସିଭ୍ ପଜେସନ୍‌ ଅଧୀନରେ ଥିବା ଜମିର ବର୍ତ୍ତମାନର ବ୍ୟବହାର ସ୍ଥିତି ଯାଞ୍ଚ କରାଯିବ। ଜମି ଖାଲି ପଡ଼ିଥିଲେ କିମ୍ବା ପରମିସିଭ୍ ପଜେସନ୍‌ର ସର୍ତ୍ତାବଳୀ ପାଳନ ହେଉନଥିଲେ, ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ନିୟମ, (OGLS Rules) ୧୯୮୩ର ନିୟମ ୯-A(୨) ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। 

                    ବିଭିନ୍ନ ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ମଧ୍ୟ କେସ୍‌-ଭିତ୍ତିକ ସମୀକ୍ଷା କରାଯିବ। ଯେଉଁ କ୍ଷେତ୍ରରେ ଜମି ସେଟଲମେଣ୍ଟ ତାରିଖଠାରୁ ୩ ବର୍ଷରୁ ଅଧିକ ସମୟ ଅବ୍ୟବହୃତ ରହିଛି କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଛି, ସେଗୁଡ଼ିକୁ ଚିହ୍ନଟ କରି ଆଇନାନୁଯାୟୀ ରିସମ୍ପସନ୍‌ ପ୍ରକ୍ରିୟା ଆରମ୍ଭ ଓ ତ୍ୱରିତ ଭାବେ ସମାପ୍ତ କରିବାକୁ କୁହାଯାଇଛି।

                    ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ଆଇନ, ୧୯୬୨ର ଧାରା ୩-B ଅନୁଯାୟୀ ଯେଉଁ ମାମଲାରେ ରିସମ୍ପସନ୍‌ର ବ୍ୟବସ୍ଥା ପ୍ରଯୁଜ୍ୟ, ସେଠାରେ ଆଇନସମ୍ମତ ପ୍ରକ୍ରିୟା ଓ ନ୍ୟାୟିକ ନୀତି ଅନୁସରଣ କରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ରିସମ୍ପସନ୍‌ ପ୍ରକ୍ରିୟା ଶେଷ ହେବା ପରେ ଜମିକୁ ସରକାରୀ ଦଖଲକୁ ଫେରାଇ ଆଣିବା ଏବଂ ଆବଶ୍ୟକ ଅନୁସାରେ ରାଜସ୍ୱ ରେକର୍ଡରେ ସଂଶୋଧନ କରିବାକୁ କୁହାଯାଇଛି। 

                     ବିଭିନ୍ନ ସରକାରୀ ବିଭାଗଙ୍କୁ ପ୍ରକଳ୍ପ ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ହସ୍ତାନ୍ତର କରାଯାଇଥିବା ଜମିର ମଧ୍ୟ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯିବ। ଯେଉଁ ଜମି କିମ୍ବା ତାହାର କୌଣସି ଅଂଶ ୩ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ରହିଛି ଏବଂ ଆଉ ସମ୍ପୃକ୍ତ ଉଦ୍ଦେଶ୍ୟରେ ଆବଶ୍ୟକ ନାହିଁ, ସେହି ଜମିକୁ ରିଲିନକ୍ୱିଶ୍‌ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସପକ୍ଷରେ ଫେରାଇ ଆଣିବା ପାଇଁ ପ୍ରସ୍ତାବ ସମ୍ପୃକ୍ତ ଜମି ଅଧିକୃତ କରିଥିବା ବିଭାଗକୁ ଦିଆଯିବ। ଆଂଶିକ ବ୍ୟବହାର ହୋଇଥିବା ମାମଲାରେ ଅବ୍ୟବହୃତ ଅଂଶକୁ ରଖିବାର ଆବଶ୍ୟକତା ମଧ୍ୟ ସ୍ପଷ୍ଟ ଭାବେ ଯାଞ୍ଚ ଓ ରେକର୍ଡ କରାଯିବ। 

                    ଲିଜ୍‌ କିମ୍ବା ଆଲିଏନେଟ୍‌ କରାଯାଇଥିବା ସରକାରୀ ଜମିରେ ଜବରଦଖଲ ଚିହ୍ନଟ ହେଲେ, ପ୍ରଚଳିତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ତ୍ୱରିତ ଓ କଠୋର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

                   ପ୍ରତ୍ୟେକ ଜିଲ୍ଲାରେ ଏ ସମ୍ପର୍କିତ ସମସ୍ତ ମାମଲାର ଏକ ସମଗ୍ର ରେକର୍ଡ ରଖାଯିବ। ଏଥିରେ ସମୀକ୍ଷା କରାଯାଇଥିବା ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ଚିହ୍ନଟ ମାମଲା, ଆରମ୍ଭ ହୋଇଥିବା ପ୍ରକ୍ରିୟା, ସମାପ୍ତ ପ୍ରକ୍ରିୟା ଏବଂ ସରକାରୀ ଖାତାକୁ ଫେରାଇ ଅଣାଯାଇଥିବା ଜମିର ବିବରଣୀ ରହିବ।

                    ଏହି ସମଗ୍ର ପ୍ରକ୍ରିୟାର ନିୟମିତ ତଦାରଖ ପାଇଁ ଚାରିଟି ପୃଥକ ଫର୍ମାଟ୍‌ରେ ଯଥା - ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ରିସମ୍ପସନ୍‌ ଓ ରିଲିନକ୍ୱିଶମେଣ୍ଟ ; ପ୍ରତିମାସ ୫ ତାରିଖ ସୁଦ୍ଧା ବିଭାଗକୁ ମାସିକ ପ୍ରଗତି ରିପୋର୍ଟ ଅନଲାଇନ୍‌ରେ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। 
                     
                     ଏହି ସମଗ୍ର ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନକୁ ପ୍ରାଥମିକତାଭିତ୍ତିକ କାର୍ଯ୍ୟ ଭାବେ ଗ୍ରହଣ କରିବା ସହ ଅନାବଶ୍ୟକ ବିଳମ୍ବ, ଅବହେଳା ତଥା ଉପଯୁକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ଦିଆଯିବା ସହ ଜିଲ୍ଲାସ୍ତରରେ ଦାୟିତ୍ଵ ବଣ୍ଟନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ସରକାରୀ ସାର୍ବଜନୀନ ଜମିର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି l

Elephant Attack: ଢେଙ୍କାନାଳରେ ହାତୀ ଆକ୍ରମଣରେ ଚାଷୀ ମୃତ, ହିନ୍ଦୋଳରେ ଆତଙ୍କ

Read Entire Article
LEFT SIDEBAR AD

Hidden in mobile, Best for skyscrapers.