ARTICLE AD BOX
ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା, ପରିବେଶ ସୁରକ୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ ରାଜ୍ୟ ସରକାର ‘ଆଡାପ୍ଟିଭ୍ ରିସାଲିଏନ୍ସ ଇନଭେଷ୍ଟମେଣ୍ଟ ଇନ କୋଷ୍ଟାଲ ସିଷ୍ଟମସ ଅନ୍ ଇକୋନୋମିକ୍ସ’ (ଆରାଇଜ୍) ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏନେଇ ଯେପରି ଦୀର୍ଘମିଆଦୀ, ବୈଜ୍ଞାନିକ ଓ ସ୍ଥାୟୀ ରଣନୀତି ଗ୍ରହଣ କରାଯିବ ସେନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି।
ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଓଏସ୍ଡମାର ମିଳିତ ପ୍ରୟାସରେ ରାଜ୍ୟର ୫୭୩ କିମି ସମୁଦ୍ର ତଟରେଖାକୁ ନେଇ ପ୍ରାଥମିକ ତଦନ୍ତ କରାଯାଇଥିଲା। ସାମୁଦ୍ରିକ ତଟ କ୍ଷୟ ରୋକିବା, ନଦୀ ଶଯ୍ୟାକୁ ଆବର୍ଜନା ଓ ପଟୁମାଟି ମୁକ୍ତ କରିବା, ଉପକୂଳବର୍ତ୍ତୀ ଗ୍ରାମର ଲୋକଙ୍କ ଜୀବନ ଏବଂ ଜୀବିକାର ସୁରକ୍ଷା ସଂକ୍ରାନ୍ତରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ସହ ଜଳସମ୍ପଦ ବିଭାଗ, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନେଇ ପୂର୍ବରୁ ଆଲୋଚନା ମାଧ୍ୟମରେ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହା ଆଧାରରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ୟ ଏଡିବି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ମିଶି ଉପକୂଳ ସୁରକ୍ଷା ପ୍ରକଳ୍ପ ସଂକ୍ରାନ୍ତରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଛି l ଓଡ଼ିଶା ଉପକୂଳ ନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରି ଉପକୂଳ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
Climate panchayat: ପରିବେଶ ସୁରକ୍ଷା ବିନା ସାମଗ୍ରିକ ବିକାଶ ସମ୍ଭବ ନୁହେଁ: ହିମାଂଶୁ
ବୈଠକରେ ଓଡ଼ିଶାର ସମଗ୍ର ଉପକୂଳରେ ଦେଖାଦେଉଥିବା ଉପକୂଳ କ୍ଷୟ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପକୂଳ କ୍ଷୟର ପ୍ରଭାବକୁ ହ୍ରାସ କରିବା, ସମୁଦ୍ର ଓ ଉପକୂଳବର୍ତ୍ତୀ ତଟର ସୁରକ୍ଷା କରିବା ସହିତ ଦୀର୍ଘମିଆଦୀ ଉପକୂଳ ସୁରକ୍ଷା ପାଇଁ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟର ବିପୁଳ ସାମୁଦ୍ରିକ ସମ୍ପଦ ଓ ସମ୍ଭାବନାକୁ ଆଧାର କରି ‘ବ୍ଲୁ ଇକୋନୋମି’ ବା ନୀଳ ଅର୍ଥନୀତିର ବିକାଶ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ସାମୁଦ୍ରିକ ସମ୍ପଦର ସୁଗମ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହିତ ଉପକୂଳବର୍ତ୍ତୀ ଲୋକଙ୍କ ଜୀବିକା, ଅର୍ଥନୈତିକ ସୁଯୋଗ ଏବଂ ରାଜ୍ୟର ସାମଗ୍ରିକ ଆର୍ଥିକ ବିକାଶକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ୍, ଓଏସ୍ଡମା, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

1 hour ago
2


