ARTICLE AD BOX
କେନ୍ଦୁଝର(ସୁବ୍ରତ ସ୍ବାଇଁ): ସୀମା ବଦଳିଲା, ରାଜ୍ୟ ବଦଳିଲା। ହେଲେ ଭାଷା ବଦଳିଲା ନାହିଁ। ବଞ୍ଚି ରହିଲା ଓଡ଼ିଆ। ହେଲେ ଓଡ଼ିଆ ଭାଷା ଆଜି ପଡ଼ୋଶୀ ରାଜ୍ୟରେ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଛି। ସ୍ବତନ୍ତ୍ର ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ଆଡ଼କୁ ଓଡ଼ିଶା ଆଗେଇ ଚାଲିଥିବାବେଳେ ଓଡ଼ିଆ ଭାଷା ଝାଡ଼ଖଣ୍ଡ ମାଟିରେ ଧୀରେ ଧୀରେ ମଉଳିବାରେ ଲାଗିଛି। ଭାଷା ବଞ୍ଚାଇବା ପାଇଁ ଯେଉଁମାନେ ୩୫୦ରୁ ଅଧିକ ଓଡ଼ିଆ ବିଦ୍ୟାଳୟ ଗଢ଼ିଥିଲେ, ସେଗୁଡ଼ିକ ମଧ୍ୟରୁ ଆଜି ଗୋଟିଏ ପରେ ଗୋଟିଏ ନିଜର ସ୍ଥିତି ହରାଇବା ଉପରେ।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଓଡ଼ିଶା ରାଜ୍ୟ ଗଠନ ସମୟରେ ତତ୍କାଳୀନ ବିହାର ଏବଂ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ, ସରାଇକେଲା-ଖରସୁଆଁ, ଗୁମଲା, ରାଞ୍ଚି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହୁଥିଲେ। ସୀମା ନିର୍ଦ୍ଧାରଣ ସେମାନଙ୍କୁ ଓଡ଼ିଶାଠାରୁ ଅଲଗା କରିଦେଲା। କିନ୍ତୁ ଓଡ଼ିଆ ଭାଷା ସେମାନଙ୍କ ଘରୁ ବାହାରିଲା ନାହିଁ। ପିଲାମାନେ ମାତୃଭାଷା ଓଡ଼ିଆରେ ପାଠ ପଢ଼ିବେ, ଲେଖିବେ, ନିଜ ଭାଷା ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିବେ। ଏହି ସ୍ୱପ୍ନରୁ ଜନ୍ମ ନେଇଥିଲା ଶହଶହ ଓଡ଼ିଆ ବିଦ୍ୟାଳୟ। ଓଡ଼ିଆ ସମାଜ ନିଜ ଶ୍ରମ, ଅର୍ଥ ଓ ସମୟ ଦେଇ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଠିଆ କରିଥିଲେ। ଛାତ୍ରଛାତ୍ରୀଙ୍କ କୋଳାହଳରେ ଓଡ଼ିଆ ବିଦ୍ୟାଳୟଗୁଡ଼ିକ କମ୍ପୁଥିଲା। ଝାଡ଼ଖଣ୍ଡର ବିଭିନ୍ନ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଖୋଲିଥିଲା ପ୍ରାୟ ୩୫୦ଟି ଓଡ଼ିଆ ବିଦ୍ୟାଳୟ। ପରବର୍ତ୍ତୀ ସମୟରେ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ଆର୍ଥିକ ସହାୟତା ମିଳିଲାନି କି ଶିକ୍ଷକ ନିଯୁକ୍ତି ହେଲା ନାହିଁ। ଅନେକର ନିଜସ୍ୱ ଗୃହ ନାହିଁ। ଶିକ୍ଷକମାନେ ଦରମାରୁ ବଞ୍ଚିତ ହେଲେ। ଏହାର ପ୍ରଭାବରେ ବିଦ୍ୟାର୍ଥୀଙ୍କ ସଂଖ୍ୟା କମିଲା। ଅନେକ ବିଦ୍ୟାଳୟରେ ତାଲା ଝୁଲିଥିବାବେଳେ ସେଥିମଧ୍ୟରୁ ଅନେକ ସ୍ଥାନରେ ଅସମ୍ଭବ ନିରବତା ଦେଖିବାକୁ ମିଳୁଛି।
Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି
ପଶ୍ଚିମ ସିଂହଭୂମ ଜୟନ୍ତୀଗଡ଼ର ‘ଉତ୍କଳମଣି ଓଡ଼ିଆ ପ୍ରାଥମିକ (ମଧ୍ୟ) ବିଦ୍ୟାଳୟ’ ଭାଷା ଲଢ଼େଇର ଏକ ଜୀବନ୍ତ ଉଦାହରଣ। ୧୯୮୫-୮୬ରେ ସ୍ଥାପିତ ଏହି ବିଦ୍ୟାଳୟ ପାଇଁ ଜମି, ଗୃହ, ସ୍ୱୀକୃତି, ମଧ୍ୟାହ୍ନଭୋଜନ ଓ ଶିକ୍ଷକଙ୍କ ଦରମା ଆଦି ଦାବି ନେଇ ବର୍ଷବର୍ଷ ଧରି ସରକାରଙ୍କ ସହ ଚିଠି ଦିଆନିଆ ଚାଲିଛି। ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ, ଶିକ୍ଷାମନ୍ତ୍ରୀଠାରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ତରରେ ଆବେଦନ ଓ ଅଭିଯୋଗ ହୋଇଛି। ହେଲେ ସମସ୍ୟାର ସମାଧାନ ହୋଇନାହିଁ। ବଦାନ୍ୟ ଓଡ଼ିଆ ବସନ୍ତ ମହାପାତ୍ର ଏହି ବିଦ୍ୟାଳୟ ପାଇଁ ୧୦ ଡିସିମିଲ ଜମି ଦେଇଥିଲେ ମଧ୍ୟ ପଟ୍ଟା ମିଳିନାହିଁ। ୨୦୦୧ରେ ଏଥିପାଇଁ ଆବେଦନ ହୋଇଥିଲା। ଏହା ସତ୍ତ୍ବେ ପଟ୍ଟା ନ ମିଳିବା ବିଦ୍ୟାଳୟର ଅବସ୍ଥାକୁ ଆହୁରି ଜଟିଳ କରିଛି। ଏବେ ଏହି ମାମଲା ନ୍ୟାୟାଳୟରେ ପହଞ୍ଚିଛି। ଅଗଷ୍ଟ ୧୭ରେ ସୁପ୍ରିମକୋର୍ଟରେ ଏ ସଂପର୍କିତ ରିଟ୍ ଆବେଦନ ହେବା ପରେ ଏହାକୁ ଜାତୀୟ ଆଇନସେବା ପ୍ରାଧିକରଣକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ବିଚାର ନିମନ୍ତେ ଚାଇବସା ଜିଲ୍ଲା ଆଇନସେବା କମିଟିକୁ ଗତ ୨୦ ତାରିଖରେ ଦିନ ଧାର୍ଯ୍ୟ କରିଥିଲେ ପ୍ରାଧିକରଣ ଅଧ୍ୟକ୍ଷ। ଶୁଣାଣି ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସୁଭାଷ ଚନ୍ଦ୍ର ବେହେରା, ଡ. ସତ୍ୟଜିତ ପ୍ରଧାନଙ୍କ ଯୁକ୍ତି ଶୁଣିବା ପରେ ରାଞ୍ଚି ହାଇକୋର୍ଟକୁ ମାମଲା ସ୍ଥାନାନ୍ତର କରିଛନ୍ତି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୫ ଜଣ ଶିକ୍ଷକ ଥିବାବେଳେ ୯୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ ଓଡ଼ିଆ କେବଳ ଏକ ବିଷୟ ନୁହେଁ, ନିଜ ପରିଚୟ। ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ଦ୍ବାରା ଏହି ଅଞ୍ଚଳରୁ ଓଡ଼ିଆ ଭାଷା ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

1 hour ago
1


