ARTICLE AD BOX
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ପାଳନ ହୋଇଥାଏ। ଏହା କେବଳ ଏକ ଧାନ ଅମଳର ଉତ୍ସବ ନୁହେଁ, ବରଂ ଏହା ମାଟି, ମଣିଷ, ପ୍ରକୃତି ଓ ଇଷ୍ଟଦେବୀଙ୍କ ମଧ୍ୟରେ ଗଢ଼ିଉଠିଥିବା ଏକ ଶାଶ୍ୱତ କୃତଜ୍ଞତାବୋଧର ମହାପର୍ବ। କୃଷକ ଝାଳ ବୁହାଇ କ୍ଷେତରେ ଫଳାଇଥିବା ପ୍ରଥମ ଶସ୍ୟକୁ ନିଜେ ଭକ୍ଷଣ କରିବା ପୂର୍ବରୁ ସର୍ବପ୍ରଥମେ ଧରିତ୍ରୀ ମାତା ଏବଂ କୁଳଦେବତାଙ୍କ ଚରଣରେ ଅର୍ପଣ କରିବାର ଆବେଗ ହିଁ ଏହି ପର୍ବର ମୂଳ ଦର୍ଶନ।
Horizon: ଦିଗ୍ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ
ନୂଆଁଖାଇର ଉତ୍ପତ୍ତି ମୂଳତଃ ପଶ୍ଚିମ ଓଡ଼ିଶାର ନିବିଡ଼ ଅରଣ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କ ପ୍ରକୃତିକୈନ୍ଦ୍ରିକ ପରମ୍ପରାରୁ ସୃଷ୍ଟି ହୋଇଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ପାଟଣା ରାଜ୍ୟର ପ୍ରତିଷ୍ଠାତା ତଥା ଚୌହାନ ବଂଶର ପ୍ରଥମ ରାଜା ରମାଇ ଦେବଙ୍କ ଶାସନକାଳରେ ଏହି କୃଷିପର୍ବ ଏକ ସୁସଂଗଠିତ ଏବଂ ସାର୍ବଜନୀନ ରାଜକୀୟ ଉତ୍ସବର ମାନ୍ୟତା ପ୍ରାପ୍ତ ହୋଇଥିଲା। ଐତିହାସିକ ଦୃଷ୍ଟିକୋଣରୁ ପ୍ରାଚୀନ କାଳରେ ଏହି ପର୍ବ ପାଳନ ଲାଗି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ତିଥି ବା ଦିନ ସମଗ୍ର ଅଞ୍ଚଳ ପାଇଁ ସ୍ଥିର ହୋଇ ନଥିଲା। ପ୍ରତ୍ୟେକ ଗ୍ରାମର ମୁଖିଆ ଓ ପୁରୋହିତ ନିଜ ନିଜ ସୁବିଧା ଅନୁସାରେ ଦିନ ଧାର୍ଯ୍ୟ କରୁଥିଲେ। ଫଳରେ ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି କିମ୍ବା ସୁବର୍ଣ୍ଣପୁରରେ ଭିନ୍ନ ଭିନ୍ନ ସମୟରେ ଲୋକେ ନୂଆଁଖାଇ ପାଳୁଥିଲେ। ଏହି ବିଭାଜନକୁ ଦୂର କରି ସମଗ୍ର ପଶ୍ଚିମ ଓଡ଼ିଶାରେ ଭାବଗତ ଏକତା ଆଣିବା ପାଇଁ ୧୯୬୦ ଦଶକରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଶେଷରେ ୧୯୯୧ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିକୁ ସମଗ୍ର ରାଜ୍ୟରେ ନୂଆଁଖାଇ ପାଇଁ ସର୍ବସାଧାରଣ ଛୁଟି ଏବଂ ଏକକ ପର୍ବ ଦିବସ ଭାବେ ଘୋଷଣା କରାଗଲା।
EPFO: ଇପିଏଫ୍ଓର ହ୍ବାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା
ନୂଆଁଖାଇ ଦିନର ଧାର୍ମିକ ବିଧାନ ପ୍ରଥମେ ଆଞ୍ଚଳିକ ପୀଠଗୁଡ଼ିକରୁ ଆରମ୍ଭ ହୋଇ ପରେ ପ୍ରତ୍ୟେକ ଗୃହସ୍ଥଙ୍କ ଘରକୁ ସମ୍ପ୍ରସାରିତ ହୋଇଥାଏ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ମା’ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା’ ସୁରେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ୱରୀ ଏବଂ ସୁନ୍ଦରଗଡ଼ର ମା’ ଶେଖରବାସିନୀଙ୍କ ମନ୍ଦିରରେ ସ୍ଥିରୀକୃତ ମୁହୂର୍ତ୍ତରେ ମୁଖ୍ୟ ପୂଜକଙ୍କ ଦ୍ୱାରା ନୂତନ ଚାଉଳ, କ୍ଷୀର, ଗୁଡ଼, ଘିଅ ଏବଂ ବିଭିନ୍ନ ଫଳମୂଳର ମିଶ୍ରଣରେ ପ୍ରସ୍ତୁତ ନବାନ୍ନ ଭୋଗ ଲାଗି କରାଯାଏ। ଦେବୀଙ୍କ ନିକଟରେ ନୂଆ ଚଢ଼ାଯିବା ପରେ ସମଗ୍ର ଅଞ୍ଚଳରେ ଘରେ ଘରେ ପୂଜାର୍ଚ୍ଚନା ଆରମ୍ଭ ହୁଏ।
-ନିର୍ମଳ କୁମ୍ଭାର

2 hours ago
2


