Nuakhai 2026: ‘ନୂଆଁଖାଇରୁ ପାରିବାରିକ ମୂଲ୍ୟର ଶିକ୍ଷା ମିଳିଥାଏ’

4 hours ago 2
ARTICLE AD BOX

ଭୁବନେଶ୍ବର: ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ ଦେଖାଯାଇଛି। ବହୁ ଦୂରରୁ ଆସି ପହଞ୍ଚିଛନ୍ତି ପଶ୍ଚିମ ଓଡ଼ିଶାର ଲୋକେ। ପୁଣି ଥରେ ଭିଟାମାଟିରେ ଜମିଛି ଲୋକଙ୍କର ଗହଳି। ସଂପର୍କୀୟ ଆଉ ଆତ୍ମୀୟଙ୍କୁ ପାଖରେ ପାଇ ଲୋକମାନେ ଆତ୍ମ ବିଭୋର  ହୋଇ ଉଠିଛନ୍ତି। କିଏ ହସୁଛି ତ କିଏ ଆନନ୍ଦାଶ୍ରୁ ଗଡ଼ାଉଛି। ଘରେଘରେ ପ୍ରସ୍ତୁତ ହେଉଛି ସ୍ବାଦିଷ୍ଟ ଭୋଜନ, ପିଠାପଣା। ଗାଁରୁ ସହର ଯାଏଁ କେବଳ ଉତ୍ସାହ। ନାଚ, ଗୀତର ଆସାର। ନୂଆଁଖାଇ ଭେଟ୍‌ଘାଟ୍‌ର ଆୟୋଜନ। ପରିବାର ଏବଂ ଗୋଷ୍ଠୀଙ୍କୁ ଏକତାର ଡୋରିରେ ବାନ୍ଧିଥିବା ପର୍ବ ନୂଆଁଖାଇ ଆସିଛି ବୋଲି ଏତେ ସବୁ ବ୍ୟବସ୍ଥା। ତେବେ ଏସବୁ ଖୁସି ମଧ୍ୟରେ ଆହୁରି ‌ଅନେକଙ୍କ ମନରେ ରହିଛି ଦୁଃଖ ଏବଂ ଯନ୍ତ୍ରଣା। ଆତ୍ମୀୟଙ୍କ ପାଖରେ ଉପସ୍ଥିତ ହୋଇ ନପାରି ସୁଦୂରରେ ମନକୁ ବୁଝାଉଛନ୍ତି ପଶ୍ଚିମ ଓଡ଼ିଶାର ହଜାର ହଜାର ଲୋକେ।  

ନୂଆଁଖାଇ ଏକ ଯାତ୍ରା: ପ୍ରଶାନ୍ତ ମେହେର

Prashant Meher

ବରଗଡ଼ ଜିଲ୍ଲାରେ ଜନ୍ମଲାଭ କରିଥିବା ଏବଂ ୨୦ ବର୍ଷ ହେଲା ଦୁବାଇରେ ରହୁଥିବା ପ୍ରଶାନ୍ତ ମେହେର କହିଛନ୍ତି, ନୂଆଁଖାଇ ଏକ ଯାତ୍ରା। ଏହା ଏକ ଅନୁଭବ। ମୋର ପିଲାଦିନରେ ଦେଖିଛି ମାସକ ପୂର୍ବରୁ ନୂଆଁଖାଇ ପାଇଁ ପ୍ରସ୍ତୁତି ହୋଇଯାଉଥିଲା। ଘର ସଫା କରିବା ଠାରୁ ଆରମ୍ଭ କରି ଖାଇବାଜିନିଷ ଏକତ୍ର କରାଯାଉଥିଲା। ଗରିବ ଲୋକଙ୍କୁ ନୂଆଁଖାଇ ପାଇଁ ଚାଉଳ, ପନିପରିବା ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଘନିଷ୍ଠ ବନ୍ଧୁଙ୍କ ସହିତ ମଧ୍ୟ ଆଗୁଆ ଅଢ଼ିଆ (ଚାଉଳ, ପରିବା ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ) ଦିଆନିଆ ହେଉଥିଲା। ଆଜି ଆମେ ଡିଜିଟାଲ ଦୁନିଆରେ ଅଛୁ ସତ, କିନ୍ତୁ ନୂଆଁଖାଇରେ ସେତେବେଳେ ଯେଉଁ ଖୁସି ମିଳୁଥିଲା, ତାହା ଏବେ ଆଉ ମିଳୁ ନାହିଁ। ନୂଆଁଖାଇ ଏକ ଗ୍ଲୋବାଲ ‌ମୁଭମେଣ୍ଟ ହୋଇଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଦୁବାଇ, ଇଂଲଣ୍ଡରେ ନୂଆଁଖାଇ ପାଳନ ହେଉଛି। କିନ୍ତୁ ଗାଁରେ ପରିବାର ଲୋକଙ୍କ ସହିତ ନୂଆଁଖାଇରେ ଯେଉଁ ଖୁସି ମିଳୁତାହା ଆଉ ନାହିଁ। ସେହି ପୁରୁଣା କଥାକୁ ବହୁତ ମନେ ପଡୁଛି। ନୂଆଁଖାଇରେ ଯେଉଁ ଭାଇଚାରା ରହିଛି, ତାହା ଆଉ କେଉଁଠି ନାହିଁ।  

ନୂଆଁଖାଇରେ ରହିଛି ପାରିବାରିକ ମୂଲ୍ୟ 

New Project (1)

ନୂଆଁଖାଇ ଓଡ଼ିଶାର ଏକ ବଡ଼ ପର୍ବ ହୋଇଥିବାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଜନ୍ମମାଟିରେ ଆସି ପହଞ୍ଚି ଥାନ୍ତି। କିନ୍ତୁ ବିଗତ ୭ ବର୍ଷ ହେଲା ବିଭିନ୍ନ ଅସୁବିଧା କାରଣରୁ ମୁଁ ପହଞ୍ଚି ପାରୁ ନାହିଁ। ଏଥର କିନ୍ତୁ ବହୁ ଉଦ୍ୟମ କରି ଜନ୍ମମାଟିରେ ପହଞ୍ଚି ପାରିଛି। ପରିାବାର ସହିତ ନୂଆଁ ଖାଇବାର ସୁଯୋଗ ମିଳିଛି। କହିବାକୁ ଗଲେ ନୂଆଁଖାଇ ଆମକୁ ପରିବାରର ମୂଲ୍ୟ କ’ଣ ତାହା ଶିକ୍ଷା ଦେଇଥାଏ। ସେହିପରି ଓଡ଼ିଶା ଏବଂ ଭାରତର ସଂସ୍କୃତିକୁ ଦୃଢ଼ କରିବାରେ ମଧ୍ୟ ସହାୟକ ହେଉଛି ନୂଆଁଖାଇ। ତେଣୁ ଯେଉଁମାନେ ବାହାରେ ରହୁଛନ୍ତି, ନୂଆଁଖାଇରେ ପହଞ୍ଚି ପରିବାରକୁ ସମୟ ଦେବାର ଆବଶ୍ୟକତା ରହିଛି। 

-ସ୍ମୁତିରେଖା ସାହୁ, ରିସର୍ଚ୍ଚ ଫେକଲ୍ଟି, ଲାଲବାହାଦୂର ଶାସ୍ତ୍ରୀ ପ୍ରଶାସନ ଏକାଡେମୀ, ମସୁରୀ 

ନୂଆଁଖାଇ ନିଜସ୍ବ ମହକ ନେଇ ଆସିଥାଏ

Tapas Moharana

ପଶ୍ଚିମ ଓଡ଼ିଶାରେ ଯଦି କୌଣସି କଥାକୁ ମନେ ପକାଯିବ, ତାହା ହେଉଛି ନୂଆଁଖାଇ, ଯେଉଁ ପର୍ବ ବହୁତ ଖୁସି ଆଣି ଦେଇଥାଏ। ତେଣୁ ଏହା ନିଶ୍ଚିତ ମନେ ପଡ଼େ। ଦୂରରେ ରହୁଥିବା ଲୋକଙ୍କୁ ତାଙ୍କର ପରିବାର  ଅତି ଆଦରରେ ଡାକନ୍ତି। ପ୍ରାୟ ୨୦ ବର୍ଷର ପ୍ରବାସ ମଧ୍ୟରେ ଆରମ୍ଭରୁ କିଛି ବର୍ଷ ନୂଆଁଖାଇରେ କଳାହାଣ୍ଡିଜିଲ୍ଲା ଧର୍ମଗଡ଼କୁ ଯାଉଥିଲୁ। କିନ୍ତୁ କିଛି ବର୍ଷ ହେଲା ବିଭିନ୍ନ କାରଣରୁ ଜନ୍ମମାଟିକୁ ଆଉ ଯାଇ ହେଉ ନାହିଁ। ନୂଆଁଖାଇରେ ଆମେ ଯେଉଁ ଖୁସି ପାଇଥିଲୁ, ଆମ ପିଲାମାନେ ମଧ୍ୟ ପାଇବା କଥା। ନୂଆଁଖାଇ ନିଜସ୍ବ ମହନ ନେଇ ଆସିଥାଏ। ତେଣୁ ଏହାର ଗୁରୁତ୍ବକୁ ସମସ୍ତେ ବୁଝିବା ଦରକାର। ଜନ୍ମମାଟିରେ ପହଞ୍ଚି ନୂଆଁଖାଇବାର ଆବଶ୍ୟକତା ଅଛି। 

-ତାପସ ରାଜ ମହରଣା, ସଭାପତି ବେଙ୍ଗାଲୁରୁ ସାହିତ୍ୟ ସମାଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.