ARTICLE AD BOX
ଚନ୍ଦ୍ରଶେଖରପୁର: ପାଖେଇ ଆସୁଛି ଦଶହରା। ଦିନ କେଇଟା ପରେ ଉତ୍ସବମୁଖର ହେବ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଥିବା ପୂଜା ମଣ୍ଡପ। ମାତ୍ର ତା ପୂର୍ବରୁ ସରଗରମ ହୋଇଛି ଭସାଣି ଉତ୍ସବ ରାଜନୀତି। ୨୦୨୪ରୁ ଦୁଇ ଭାଗରେ ବିଭକ୍ତ ହୋଇଥିବା ଭସାଣି ଉତ୍ସବ ଏଥର ମଧ୍ୟ ଦୁଇଭାଗରେ ଅନୁଷ୍ଠିତ ହେବ। ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମର୍ଥନ ଥିବା ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଡମଣା ଦୁର୍ଗାପୂଜା ପଡ଼ିଆରେ ଭସାଣି ଉତ୍ସବ ଆୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ରଙ୍କ ସମର୍ଥନ ଥିବା ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ପୂର୍ବ ବର୍ଷ ଭଳି କ୍ଲବ୍ ଟାଉନ୍ ପଡ଼ିଆରେ ଭସାଣି ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏମିତିକି ଉଭୟ ସଂଗଠନ ଆଜି ଗୋଟିଏ ଦିନରେ ପ୍ରସ୍ତୁତି ବୈଠକ କରି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। କିଏ କେଉଁ ଦୁର୍ଗାପୂଜା କମିଟିଙ୍କୁ ନିଜ ଭସାଣି ଉତ୍ସବରେ ସାମିଲ କରିବେ, ତାକୁ ନେଇ ଉତ୍ତର ଭୁବନେଶ୍ୱର ଭସାଣି ରାଜନୀତି ସରଗରମ ହୋଇଛି।
Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ
ଉତ୍ତର ଭୁବନେଶ୍ୱର ଦୁର୍ଗାପୂଜା ଭସାଣି ପ୍ରସ୍ତୁତି ବୈଠକ, ସାମିଲ ହେଲେ ୧୧ ପୂଜା ମଣ୍ଡପ
ଚନ୍ଦ୍ରଶେଖରପୁର: ଚଳିତବର୍ଷ ଦୁର୍ଗାପୂଜା ଭସାଣି ମହୋତ୍ସବକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଆକର୍ଷଣୀୟ କରିବାକୁ ଉତ୍ତର ଭୁବନେଶ୍ୱର ଦୁର୍ଗାପୂଜା ଭସାଣି କମିଟି ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ନନ୍ଦନକାନନସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଦୁର୍ଗାପୂଜା ଉତ୍ସବକୁ ରାଜନୀତିରୁ ଊର୍ଦ୍ଧ୍ୱରେ ରଖିବା ସହ ସମସ୍ତେ ଏକାଠି ହୋଇ ଅଞ୍ଚଳର ଭାଇଚାରା ଓ ସାମାଜିକ ସଦ୍ଭାବ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜେପି ନେତା ଗୋଲକ ମହାପାତ୍ର, ରଘୁନାଥପୁର ଦୁର୍ଗାପୂଜା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର, ପ୍ରତାପ ରାଉତ, ସୁରେଶ ରଥ, ଭସାଣି କମିଟିର ସମ୍ପାଦକ ସନ୍ତୋଷ ମହାନ୍ତି, କର୍ପୋରେଟର ମିହିର କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ। ରଘୁନାଥପୁର ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ବୈଠକରେ ଉତ୍ତର ଭୁବନେଶ୍ୱରର ୧୧ଟି ଦୁର୍ଗାପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଯୋଗଦେଇ ଡମଣା ଦୁର୍ଗାପୂଜା ପଡ଼ିଆରେ ହେବାକୁ ଥିବା ଭସାଣି ମହୋତ୍ସବର ପରିଚାଳନା ନେଇ ଆଲୋଚନା କରିଥିଲେ। ପୂଜାମଣ୍ଡପରୁ ମେଢ଼ଗୁଡ଼ିକୁ ଡମଣା ପଡ଼ିଆକୁ ଆସିବା ଏବଂ ସେଠାରୁ ଶୃଙ୍ଖଳିତ ଭାବେ ପ୍ରସ୍ଥାନ, ରୋଶଣୀ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଏଥିସହ ଡିଜେ ମୁକ୍ତ ଭସାଣି ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ବିଗତ ବର୍ଷ ସର୍ବାଧିକ ମୂଲ୍ୟରେ ଲଡୁ ନିଲାମ ନେଇଥିବା ରଘୁନାଥପୁର ଦୁର୍ଗାପୂଜା କମିଟିକୁ ସମ୍ମାନିତ କରାଯାଇଥିଲା। କମିଟି ପକ୍ଷରୁ ନିହାର ଚନ୍ଦ୍ର ପଡ଼ିହାରୀ ସମ୍ମାନ ଗ୍ରହଣ କରିବା ସହ ଭସାଣି କମିଟିକୁ ଚେକ୍ ପ୍ରଦାନ କରିଥିଲେ। ଶେଷରେ ରଘୁନାଥପୁର ପୂଜା କମିଟିର ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର
ଉତ୍ତର ପୂଜା ଭସାଣି ସମିତି ପ୍ରସ୍ତୁତି ବୈଠକ, ସାମିଲ ହେଲେ ୧୫ ପୂଜା ମଣ୍ଡପ
ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଦୁର୍ଗାପୂଜା ଭସାଣି ଉତ୍ସବର ପରିଚାଳନା ନିମନ୍ତେ ଆଉ ଏକ ପ୍ରସ୍ତୁତି ବୈଠକ ଚନ୍ଦ୍ରଶେଖରପୁରସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ସରୋଜ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରାୟ ୧୫ଟି ଦୁର୍ଗାପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଯୋଗଦେଇଥିଲେ। ଉତ୍ସବକୁ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ସହ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ କ୍ଲବ୍ ଟାଉନ ପଡ଼ିଆକୁ ସ୍ଥାୟୀ ଭାବେ ଭସାଣି ପଡ଼ିଆ ନାମରେ ନାମିତ କରି ସଂରକ୍ଷିତ ରଖିବାକୁ ଦାବି ଉଠିଥିଲା। ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ଓ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଦୁର୍ଗାପୂଜା ଭସାଣି ଉତ୍ସବ ଉତ୍ତର ଭୁବନେଶ୍ୱରରେ ଭାଇଚାରାକୁ ଆହୁରି ସୁଦୃଢ଼ କରିବ ବୋଲି କହିଥିଲେ। ଏଥିସହ ଉତ୍ସବକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ଦୁର୍ଗାପୂଜା ଓ ଭସାଣି ଉତ୍ସବ ମାଧ୍ୟମରେ ଭୁବନେଶ୍ୱରରେ କଟକର ଭାଇଚାରା ପରମ୍ପରାକୁ ପ୍ରତିଷ୍ଠା କରିବା ସମ୍ଭବ ହେଉଛି ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା କମିଟି ଓ ଭସାଣି ସମିତିର ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଉପଦେଷ୍ଟା ମଧୁମାଧବ କେନା, ଗଜେନ୍ଦ୍ର ଜେନା, ନିଶାକର ସାହୁ, ସମରେନ୍ଦ୍ର ସାହୁ, ରାଜକିଶୋର ନନ୍ଦ, ସୁକାନ୍ତ କୁମାର ପରିଡ଼ା, ଅଶୋକ କୁମାର ପାତ୍ର, କେ.ସି. ଭଞ୍ଜଦେଓ, ଦାମୋଦର ପ୍ରଧାନୀ, ଶରତ ନାୟକ ଓ ଖଦାଳ ବରାଳଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ନିର୍ମଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

1 hour ago
1


