ARTICLE AD BOX
ନୂଆଦିଲ୍ଲୀ: “ସାର୍ ଏହି ଅଫିସର ପରିବେଶ ବହୁତ ନକାରାତ୍ମକ ଲାଗୁଛି। ଏଠାରେ ସମସ୍ତେ ଭୟଙ୍କର ଚାପରେ ଥିବା ପରି ଦେଖାଯାଉଛନ୍ତି। ରୋବର୍ଟ ଭଳି କାମ କରିଚାଲିଛନ୍ତି । କେହି ଜଣେ ବି ହସୁନାହାନ୍ତି।" ମୁଁ ଏହି ଅଫିସ୍ରେ ଏଭଳି ମାହୋଲରେ କାମ କରିପାରିବିନି” : ହାତରେ ଥିଲା ଅଫର ଲେଟର, ଭଲ ପୋଷ୍ଟ, ଭଲ ଦରମା କିନ୍ତୁ ପ୍ରଥମ ଦିନରେ ହିଁ ଅଫର ଲେଟର ଫେରାଇ ଦେଇ ସେ ସ୍ଥାନ ଛାଡି ଚାଲିଆସିଲେ । ଏ କଥା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନା । ମନରେ ନିଶ୍ଚୟ ଆସୁଥିବା ଏହି କଥା ଯେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇ ଅଫର ଲେଟର ମିଳିବା ପରେ କିଏ ବା ଚାକିରି ଛାଡ଼ିଦିଏ? କିନ୍ତୁ ଦିଲ୍ଲୀର ଜଣେ ଯୁବକ ଠିକ୍ ସେହି କାମଟା କରିଥିଲେ।
କାରଣ ଦରମା କମ୍ ନଥିଲା, ପଦବୀ ଖରାପ ନଥିଲା କିମ୍ବା କୌଣସି ବିବାଦ ମଧ୍ୟ ନଥିଲା। ତାଙ୍କର ଏକମାତ୍ର ଅଭିଯୋଗ ଥିଲା ‘ଅଫିସରେ କେହି ହସୁନାହାନ୍ତି।’ ଆଉ ଏହି ଗୋଟିଏ କଥା ଜଣେ ଉଦ୍ୟୋଗୀ ବା ବସ୍ଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଥିଲା। ଯିଏ ପ୍ରଥମ ଦିନରେ ଚାକିରିକୁ ମନା କରିଥିଲେ, ସେହି ଯୁବକ ପରେ କମ୍ପାନୀର HR ହେଡ୍ ହୋଇଗଲେ। ଆସନ୍ତୁ ଜାଣିବା ଏହି ଅନନ୍ୟ ଘଟଣା ବିଷୟରେ । ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଅଫର ଲେଟର ମାନେ ଏକ ସ୍ୱପ୍ନ ପୂରଣ। କିନ୍ତୁ ଦିଲ୍ଲୀର ଏହି ଯୁବକ ସେହି ସ୍ୱପ୍ନକୁ ନିଜେ ଠେଲି ଦେଇଥିଲେ। ଚାରି ରାଉଣ୍ଡ ଇଣ୍ଟରଭ୍ୟୁ, ତିନି ସପ୍ତାହର ଚୟନ ପ୍ରକ୍ରିୟା ଓ ସମସ୍ତ ସର୍ତ୍ତରେ ସହମତି ପରେ ସେ ପ୍ରଥମ ଦିନ ଅଫିସକୁ ପହଞ୍ଚିଥିଲେ। କିନ୍ତୁ ମାତ୍ର ୧୦ ମିନିଟ୍ ଲବିରେ ବସିବା ପରେ ସେ ଏମିତି ଏକ ନିଷ୍ପତ୍ତି ନେଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
କମ୍ପାନୀର ମାଲିକ ଅଭିଷେକ ଅଗ୍ରୱାଲ ତାଙ୍କୁ ସ୍ୱାଗତ କରିବାକୁ ଆସିବାବେଳେ ଯୁବକ ଜଣକ ସ୍ପଷ୍ଟ ଭାବେ କହିଦେଲେ ‘ମୁଁ ଏଠାରେ କାମ କରିବିନି।’ କାରଣ ପଚାରିବାରୁ ସେ ଯାହା କହିଥିଲେ, ତାହା ଅଭିଷେକଙ୍କୁ ନିରୁତ୍ତର କରିଦେଇଥିଲା। ଯୁବକଙ୍କ କହିବା କଥା ଥିଲା, ଅଫିସରେ କେହି ହସୁନାହାନ୍ତି, ସମସ୍ତେ ଚାପରେ ଥିବା ପରି ଲାଗୁଛନ୍ତି ଏବଂ ପରିବେଶ ଏତେ ନକାରାତ୍ମକ ଯେ ସେଠାରେ କାମ କରିବା ସମ୍ଭବ ନୁହେଁ। ପ୍ରଥମେ ଏହି କଥା ଶୁଣି ଅଭିଷେକ ନିରାଶ ହୋଇଥିଲେ। କିନ୍ତୁ ପରେ ସେ ନିଜ ଅଫିସକୁ ନୂଆ ଦୃଷ୍ଟିରେ ଦେଖିଲେ। ତାଙ୍କୁ ମଧ୍ୟ ଲାଗିଲା ଯେ କର୍ମଚାରୀମାନେ ରୋବଟ୍ ଭଳି କାମ କରୁଛନ୍ତି। ଲବି ନିର୍ଜୀବ ଲାଗୁଥିଲା, ଗଛଗୁଡ଼ିକ ଶୁଖିଯାଇଥିଲା ଓ ଅଫିସରେ ଉତ୍ସାହର ଅଭାବ ସ୍ପଷ୍ଟ ଦେଖାଯାଉଥିଲା। ସେତେବେଳେ ସେ ବୁଝିଲେ ଯେ ଯୁବକଙ୍କ କଥାରେ ସତ୍ୟତା ଅଛି। ତା’ପରେ ଘଟିଲା କାହାଣୀର ସବୁଠୁ ରୋଚକ ମୋଡ଼। ଅଭିଷେକ ପୁଣିଥରେ ସେହି ଯୁବକଙ୍କ ସହ ଯୋଗାଯୋଗ କଲେ।
ଚାକିରି ପାଇଁ ନୁହେଁ, ବରଂ ଅଫିସର ମାହୋଲ ବଦଳାଇବା ପାଇଁ। ଯୁବକ ଜଣକ ଚ୍ୟାଲେଞ୍ଜ ଗ୍ରହଣ କଲେ ଓ କର୍ମଚାରୀଙ୍କ ମନୋବଳ, ଟିମ୍ ସଂଯୋଗ ଓ ସକାରାତ୍ମକ ପରିବେଶ ଉପରେ କାମ ଆରମ୍ଭ କଲେ। ମାତ୍ର ତିନି ମାସ ମଧ୍ୟରେ ଅଫିସର ଚିତ୍ର ବଦଳିଗଲା। କର୍ମଚାରୀଙ୍କ ରିଟେନ୍ସନ୍ ରେଟ୍ ୭୦ ପ୍ରତିଶତ ବଢ଼ିଲା। ବିକ୍ରିରେ ୩୦ ପ୍ରତିଶତ ବୃଦ୍ଧି ହେଲା। ଅଫିସରେ ହସ, ଉତ୍ସାହ ଓ ସକାରାତ୍ମକତା ଫେରିଆସିଲା। ଏହି ସଫଳତା ପରେ ଏକ ବର୍ଷ ମଧ୍ୟରେ ସେହି ଯୁବକଙ୍କୁ କମ୍ପାନୀର ‘ଚିଫ୍ ପିପୁଲ୍ ଅଫିସର’ ବା HR ହେଡ୍ ଭାବେ ପଦୋନ୍ନତି ଦିଆଗଲା। ଏହି କାହାଣୀ କେବଳ ଜଣେ କର୍ମଚାରୀଙ୍କ ସଫଳତାର କାହାଣୀ ନୁହେଁ। ଏହା ଦର୍ଶାଏ ଯେ ଅଫିସ କେବଳ ଟାର୍ଗେଟ୍ ଓ ଡାଟାରେ ଚାଲେ ନାହିଁ, ବରଂ ଲୋକଙ୍କ ହସ, ସମ୍ମାନ ଓ ଖୁସିରେ ଚାଲେ। ବୋଧହୁଏ ସେଥିପାଇଁ ଆଜି ସୋସିଆଲ ମିଡିଆରେ ଏହି କାହାଣୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକ ବଡ଼ ଶିକ୍ଷା ଦେଉଛି । ଭଲ କର୍ମଚାରୀ କେବଳ ଚାକିରି ଖୋଜନ୍ତି ନାହିଁ, ସେମାନେ କମ୍ପାନୀର ସଂସ୍କୃତି, ପରିବେଶକୁ ମଧ୍ୟ ପରଖନ୍ତି। "ଯେଉଁ ଅଫିସରେ ହସ ନଥିଲା, ସେଠାରେ ହସ ଫେରାଇ ଆଣିଲେ ଜଣେ ପ୍ରାର୍ଥୀ... ଆଉ ସେହି ହସ ହିଁ ତାଙ୍କୁ ବନାଇଦେଲା HR ହେଡ୍।"

1 hour ago
1


