ARTICLE AD BOX
ନୂଆଦିଲ୍ଲୀ: ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ ଆପତ୍ତିଜନକ ତଥା ଅଶ୍ଳୀଳ ସାମଗ୍ରୀ ଉପଲବ୍ଧ ଥିବା ଅଭିଯୋଗରେ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି) ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କମିସନ ଏହି ପୋକ୍ସୋ ଆଇନ ଉଲ୍ଲଂଘନ ମାମଲାରେ ସୋସିଆଲ ମିଡିଆ କମ୍ପାନି ମେଟା ଏବଂ ଦେଶର ୮ଟି ରାଜ୍ୟର ପୁଲିସ ମୁଖ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏନ୍ଏଚ୍ଆର୍ସି ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ବିଜ୍ଞାପନ ଏବଂ ପେଡ୍ କଣ୍ଟେଣ୍ଟ ଉପଲବ୍ଧ ରହିବା ପୋକ୍ସୋ ଆଇନ ଅଧୀନରେ ଏକ ଦଣ୍ଡନୀୟ ଅପରାଧ। ଏହି ଅଭିଯୋଗଗୁଡ଼ିକର ଏକ ଆପରାଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ଏବଂ ଆଇନ ଉଲ୍ଲଂଘନ ପ୍ରମାଣିତ ହେଲେ ମେଟା ସଂସ୍ଥା ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି।
କମିସନ ଏହି ମାମଲାରେ ସମ୍ପୃକ୍ତ ୮ଟି ରାଜ୍ୟର କର୍ତ୍ତୃପକ୍ଷଙ୍କୁ ଅଭିଯୋଗର ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମଗ୍ର ନ୍ୟାୟିକ ପ୍ରକ୍ରିୟାରେ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଆଇଟି ସଚିବଙ୍କୁ ମଧ୍ୟ ଏକ ପକ୍ଷ କରାଯାଇଛି। ଅନୁସନ୍ଧାନ ପାଇଁ କମିସନ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ୫୦ଟି ଆପତ୍ତିଜନକ ୱେବ୍ ଲିଙ୍କ୍ ପ୍ରଦାନ କରାଯାଇଛି। ଯଦି ଏହି ସୂଚନା ଏବଂ ଲିଙ୍କ୍ ମିଳିବା ପରେ ମଧ୍ୟ ସମ୍ପୃକ୍ତ ରାଜ୍ୟର ପୁଲିସ କର୍ମଚାରୀ କିମ୍ବା ମନ୍ତ୍ରଣାଳୟର ଅଧିକାରୀମାନେ ତଦନ୍ତ ପ୍ରକ୍ରିୟା ଆରମ୍ଭ ନକରନ୍ତି, ତେବେ କମିସନ ଭାରତ ସରକାରଙ୍କୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିବେ।
ଜାତୀୟ ମାନବାଧିକାର କମିସନରେ ହଇଜା ପ୍ରସଙ୍ଗ, ‘ନ୍ୟାୟ ପାଇଁ ଲଢେଇ ପରିବାର’ ପକ୍ଷରୁ ମାମଲା ରୁଜୁ
ଏହି ଆଇନଗତ ବିବାଦ ମଧ୍ୟରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଶୋଷଣ ସାମଗ୍ରୀ ଏବଂ ଏଆଇ ଦ୍ବାରା ସୃଷ୍ଟି ଡିପ୍ଫେକ୍ କଣ୍ଟେଣ୍ଟର ଉପସ୍ଥିତି ଏବଂ ସଂସ୍ଥାର କାର୍ଯ୍ୟକ୍ଷମ ବିଫଳତା ପାଇଁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଇଟି ସଚିବ ଏସ୍. କ୍ରିଷ୍ଣନଙ୍କ ସମେତ ଭାରତ ସରକାରଙ୍କ ଶୀର୍ଷ ଅଧିକାରୀମାନେ ମେଟାର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟି ଦୃଢ଼ ଚେତାବନୀ ଦେବା ପରେ ଏହି ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି। ଏହି ବିବାଦ ଗତ ଜୁଲାଇ ମାସରେ ବିବିସିର ଏକ ଅନୁସନ୍ଧାନମୂଳକ ରିପୋର୍ଟ ପରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରକାଶ ପାଇଥିଲା ଯେ ଇନଷ୍ଟାଗ୍ରାମରେ କିଛି ନିର୍ଦ୍ଦିଷ୍ଟ ବେଆଇନ ବିଜ୍ଞାପନ ପ୍ରସାରିତ ହେଉଛି ଯାହା ଉପଭୋକ୍ତାମାନଙ୍କକୁ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଏଭଳି ସାମଗ୍ରୀ କ୍ରୟ କରିବାକୁ ନିର୍ଦ୍ଦେଶ ଦେଉଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ମେଟା ନିଜର ଫେସବୁକ୍, ଇନଷ୍ଟାଗ୍ରାମ, ମେସେଞ୍ଜର ଏବଂ ଅନ୍ୟ ଏକ ପ୍ଲାଟଫର୍ମରେ ଏଆଇ ଦ୍ୱାରା ପ୍ରସ୍ତୁତ ଏଭଳି ଅନେକ ଆପତ୍ତିଜନକ ବିଜ୍ଞାପନକୁ ମଞ୍ଜୁରୀ ଦେଇଥିଲା, ଯାହାକୁ ୟୁରୋପ ସମେତ ବିଶ୍ୱର ହଜାର ହଜାର ଉପଭୋକ୍ତା ଦେଖିଥିଲେ। ମେଟା ସଂସ୍ଥା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ ସେମାନେ ଶିଶୁ ଯୌନ ଶୋଷଣ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରନ୍ତି ଏବଂ ଏହାକୁ ରୋକିବା ପାଇଁ ନୂତନ ଏଆଇ ବ୍ୟବସ୍ଥା ନିୟୋଜିତ କରାଯାଇଛି।

1 week ago
6


