ARTICLE AD BOX
ଆଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଆସୁଛି। ଯାହା ଦ୍ବାରା ଜଟିଳ ଅସ୍ତ୍ରୋପଚାର ବହୁତ ସହଜରେ ହୋଇପାରୁଛି। ଏହା ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେଉଛି। ଏହି କ୍ରମରେ, ଭୁବନେଶ୍ବରର ବାଗ୍ଚୀ ଶଙ୍କର କ୍ୟାନ୍ସର୍ ସେଣ୍ଟର୍ରେ ମଳଦ୍ବାର ନିକଟରେ ଥିବା ଅନ୍ତ୍ରର ଏକ ବିରଳ ଟ୍ୟୁମର୍ର ଆଧୁନିକ ପଦ୍ଧତିରେ ସଫଳ ଚିକିତ୍ସା କରାଯାଇଛି। ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ବିପ୍ଳବ ମିଶ୍ର ଏହି ଜଟିଳ ରେକ୍ଟାଲ୍ କ୍ୟାନ୍ସର୍ର ସଫଳ ଅସ୍ତ୍ରୋପଚାର କରିଛନ୍ତି।
Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା
୪୦ ବର୍ଷ ବୟସ୍କା ଜଣେ ମହିଳାଙ୍କର ରେକ୍ଟାମ୍ରେ ପଲିପ୍ ଓ କ୍ୟାନ୍ସର୍ ଆଶଙ୍କା ଥିଲା। ସାଧାରଣତଃ ଏଭଳି କ୍ଷେତ୍ରରେ ପାରମ୍ପରିକ ଭାବେ ବଡ଼ ଅସ୍ତ୍ରୋପଚାର ଏଲ୍ଏଆର୍ କରାଯାଏ, ଯେଉଁଥିରେ ମଳଦ୍ୱାରରୁ ୫ ସେଣ୍ଟିମିଟର୍ ଉପରକୁ ଅସ୍ତ୍ରୋପଚାର କରିବାକୁ ପଡ଼େ। ଏହି ପଦ୍ଧତିରେ ରୋଗୀଙ୍କୁ ଏକ ଅସ୍ଥାୟୀ କଭରିଂ ଅଷ୍ଟୋମି ରଖିବାକୁ ପଡ଼େ, ଫଳରେ ମଳଦ୍ୱାରକୁ କିଛି ମାସ ପାଇଁ ବନ୍ଦ ରଖି କ୍ଷତକୁ ଶୁଖାଯାଏ ଏବଂ ପରେ ଆଉ ଏକ ଅସ୍ତ୍ରୋପଚାର ଦ୍ୱାରା ତାକୁ ଭିତରକୁ କରାଯାଏ। ଏଥିସହ ପାରମ୍ପରିକ ସର୍ଜରିରେ ଜେନେଟୋ-ୟୁରିନାରି ଜଟିଳତା ଓ ବାରମ୍ବାର ଝାଡ଼ା ହେବା ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ।
ଟ୍ରାନ୍ଜାନାଲ୍ ମିନିମାଲି ଇନ୍ଭାସିଭ୍ ସର୍ଜରି ବା ଟାମିସ୍ ଏକ ଅତ୍ୟାଧୁନିକ ଓ ସୁରକ୍ଷିତ ପ୍ରଣାଳୀ। ଡାକ୍ତର ମିଶ୍ର ମହିଳାଙ୍କ ପାଇଁ ଏହି ପ୍ରଣାଳୀ ବ୍ୟବହାର କରିଥିଲେ। ସେ କହିଛନ୍ତିି ଯେ, ଏହି ଅତ୍ୟାଧୁନିକ ପଦ୍ଧତି ଦ୍ବାରା ରୋଗୀଙ୍କର ପୂରା ରେକ୍ଟାମ୍ ବଞ୍ଚିଯାଏ ଓ ଅଙ୍ଗର ମୂଳ କାର୍ଯ୍ୟକାରିତା ଅକ୍ଷୁଣ୍ଣ ରହେ। ଅସ୍ତ୍ରୋପଚାର ପୂର୍ବରୁ ଟ୍ୟୁମର୍ ଚାରିପାଖରୁ ୧ ସେଣ୍ଟିମିଟର୍ ସୁରକ୍ଷିତ ମାର୍ଜିନ୍ ନେଇ ସମ୍ପୂର୍ଣ୍ଣ ଥିକ୍ନେସ୍ ଏକ୍ସିସନ୍ କରାଯାଇଥାଏ। ଏହି ସର୍ଜରି ପାଇଁ ଏକ ସ୍ୱତନ୍ତ୍ର ସିଙ୍ଗଲ୍ ୟୁଜ୍ ମେସିନ୍ ବ୍ୟବହାର କରାଯାଇଥାଏ, ଯାହା ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି। ଏହା ଜରିଆରେ ଲାପ୍ରୋସ୍କୋପି କିମ୍ବା ରୋବୋଟିକ୍ କ୍ୟାମେରା ଓ ଉପକରଣ ସାହାଯ୍ୟରେ ରେକ୍ଟାମ୍କୁ କାର୍ବନଡାଇଅକ୍ସାଇଡ୍ ଗ୍ୟାସ୍ ଦ୍ୱାରା ଫୁଲାଇ ଅତି ସୂକ୍ଷ୍ମ ଭାବେ ଅସ୍ତ୍ରୋପଚାର କରାଯାଇଥାଏ। ଟ୍ୟୁମର୍ ଚିହ୍ନଟ ପାଇଁ ଟାଟୁ କରାଯାଏ। ଟ୍ୟୁମର୍ ସ୍ପଷ୍ଟ ଭାବେ ଦେଖାଯାଉ ନଥିବାରୁ ସର୍ଜରି ପୂର୍ବରୁ ମିଥାଇଲିନ୍ ବ୍ଲୁ ଡାଇ ଇଞ୍ଜେକ୍ଟ କରି ସେହି ସ୍ଥାନକୁ ମାର୍କ କରାଯାଇଥିଲା, ଯାହାକୁ ‘ଲିଜନ୍ ଟାଟୁଇଂ’ କୁହାଯାଏ।
ଏହି ପଦ୍ଧତିରେ ଅନେକ ଲାଭ ରହିଛି। ସେଗୁଡ଼ିକ ହେଲା-
ଅଙ୍ଗ ସୁରକ୍ଷା: ରୋଗୀଙ୍କର ମଳଦ୍ୱାର ଓ ଆଖପାଖ ଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ରହେ।
ଜଟିଳତାରୁ ମୁକ୍ତି: ପାରମ୍ପରିକ ସର୍ଜରିରେ ହେଉଥିବା ମୂତ୍ରାଶୟ ସମସ୍ୟା ଓ ବାରମ୍ବାର ଝାଡ଼ା ହେବା ଭଳି ସମସ୍ୟାରୁ ରୋଗୀ ବର୍ତ୍ତିଯାଆନ୍ତି।
ଶୀଘ୍ର ଆରୋଗ୍ୟ: ଏହା ଏକ ମିନିମାଲ୍ ଇନ୍ଭେସିଭ୍ ପ୍ରୋସିଜିଓର ହୋଇଥିବାରୁ ରୋଗୀ ଶୀଘ୍ର ସୁସ୍ଥ ହୋଇଥାଆନ୍ତି।
ଏହି ସଫଳ ପ୍ରୟାସ ଓଡ଼ିଶାର କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।

56 minutes ago
1


