New India: ନବଭାରତ ନିର୍ମାତା ନେହରୁ

1 hour ago 2
ARTICLE AD BOX

ଅମିୟ ଭୂଷଣ ତ୍ରିପାଠୀ

ସ୍ବାଧୀନତା ସଂଗ୍ରାମର ଚାରିଜଣ ଅଗ୍ରଣୀ ସାରଥି, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସୁଭାଷ ବୋଷ ଓ ସର୍ଦ୍ଦାର ପଟେଲ ବର୍ତ୍ତମାନ ସମୟରେ ଜନମାନସରେ କେଉଁ ସ୍ଥାନରେ ଅଛନ୍ତି, ତାହା ବିଚାରଯୋଗ୍ୟ। ନେହରୁ ବିସ୍ମୃତିର ଗର୍ଭରେ, ତାଙ୍କ ରାଜନୀତିକ ଓ ବ୍ୟକ୍ତିଗତ ଜୀବନକୁ କଦାକାର ରୂପ ଦେଇ କୁତ୍ସା ରଟନା ଚାଲିଛି। ଗାନ୍ଧୀଙ୍କ ଅବସ୍ଥା ଅାହୁରି ଶୋଚନୀୟ। ଗୋଟିଏ ଗୋଷ୍ଠୀ କହିବାରେ ଲାଗିଛି- ମହାତ୍ମା ବଦଳରେ ସେ ଥିଲେ ଏକ କଳଙ୍କିତ ବ୍ୟକ୍ତି ଯାହାଙ୍କୁ ହତ୍ୟା କରି ନାଥୁରାମ ଗଡ଼ସେ ଦେଶର ଉପକାର କରିଛନ୍ତି! ସେହିପରି ପ୍ରକୃତ ବୀର ତଥା ଜନନାୟକ ଥିଲେ ସୁଭାଷ ଓ ପଟେଲ, ଯେଉଁମାନେ ଦେଶର ସ୍ବାଧୀନତା ଆଣିଛନ୍ତି। ଏହି ପ୍ରବନ୍ଧରେ ନେହରୁଙ୍କ କୁତ୍ସା ରଟନାର ଅସଂଖ୍ୟ ବିଷୟବସ୍ତୁ ମଧ୍ୟରୁ ତିନିଟି ପ୍ରସଙ୍ଗ ଉପରେ ସତ୍ୟ ଉଦ୍‌ଘାଟନ ପାଇଁ ଚେଷ୍ଟା କରୁଛି।
ପ୍ରଥମ ହେଲା- ‘ନେହରୁଙ୍କ ପ୍ରଧାନମନ୍ତ୍ରୀ ହେବାର ଲାଳସା ଭାରତ ବିଭାଜନର ମୁଖ୍ୟ କାରଣ ଥିଲା। ସର୍ଦ୍ଦାର ପଟେଲ ସେ ସ୍ଥାନରେ ଥିଲେ ଭାରତ ଅଖଣ୍ଡ ରହିଥାନ୍ତା।’ ଏପରି କପୋଳକଳ୍ପିତ ମିଥ୍ୟା ବର୍ତ୍ତମାନ ଚାଲିଥିବା ଚରିତ୍ରସଂହାର ଅଭିଯାନର ଏକ ଅଂଶ। ଭାରତ ବିଭାଜନର ବୀଜ ବୁଣିଲେ ଦାମୋଦର ସଭରକର ୧୯୨୩ରେ, ଯେତେବେଳେ ସେ କହିଲେ ହିନ୍ଦୁତ୍ବ ଆଧାରରେ ଭାରତ ହିନ୍ଦୁମାନଙ୍କର ଦେଶ। ସେ ଦୁଇଟି ଦେଶ ବା ‘ଟୁ ନେସନ ଥିଓରି’ର ପ୍ରବକ୍ତା। ସେତେବେଳେ ଜିନ୍ନା, ଯିଏ ବିଭାଜନ ଓ ‘ଟୁ ନେସନ’ର ବହୁତ ଊର୍ଦ୍ଧ୍ବରେ ଥିଲେ, ଦେଖିଲେ ଯେ ଏହା ଫଳପ୍ରଦ ହେଲେ ଭାରତରେ ମୁସଲିମମାନେ ନିରାପଦରେ ରହିପାରିବେ ନାହିଁ ଏବଂ ଦ୍ବିତୀୟ ଶ୍ରେଣୀର ନାଗରିକ ହୋଇଯିବେ। ତେଣୁ ସେ ମୁସଲିମ ଲିଗ ମାଧ୍ୟମରେ ସ୍ବତନ୍ତ୍ର ରାଷ୍ଟ୍ର ଦାବି କଲେ। କଂଗ୍ରେସ ବିଭାଜନ ସପକ୍ଷରେ କେବେ ନ ଥିଲା ଓ ମହାତ୍ମା ଗାନ୍ଧୀ କହିଥିଲେ ଭାରତ ବିଭାଜିତ ହେବ ତାଙ୍କ ମରଶରୀର ଉପରେ। ତାଙ୍କ ପରମ ଶିଷ୍ୟ ନେହରୁ ଶେଷ ପର୍ଯ୍ୟନ୍ତ ବିଭାଜନ ବିରୋଧରେ ଲଢ଼ିଥିଲେ। 
୧୯୪୨ରେ କ୍ରିପ୍‌ସ ମିସନ ଆସିଲେ। ଏ ମିସନ ଅବିଭାଜିତ ଭାରତରେ ସଂଘୀୟ ବ୍ୟବସ୍ଥା ସପକ୍ଷରେ ମତ ଦେଲେ, କିନ୍ତୁ କହିଲେ ଯଦି କୌଣସି ରାଜ୍ୟ ଏ ବ୍ୟବସ୍ଥାରୁ ଅଲଗା ହେବାକୁ ଚାହିଁବ, ତାହା ହୋଇପାରିବ। ଗାନ୍ଧୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଲେ। ୧୯୪୬ରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ‌ଅଟଲି କ୍ୟାବିନେଟ ମିସନ ପଠାଇଲେ। ମାଉଣ୍ଟବାଟେନ ହେଲେ ଗଭର୍ନର ଜେନେରାଲ ଓ ଜୁନ୍ ୧୯୪୮ ସୁଦ୍ଧ କ୍ଷମତା ହସ୍ତାନ୍ତର କରିବା ଘୋଷଣା ହେଲା। ସେତେବେଳେ କଂଗ୍ରେସ ଓ ମୁସଲିମ ଲିଗକୁ ନେଇ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇ ସାରିଥିଲା ନେହରୁଙ୍କ ନେତୃତ୍ବରେ। କିନ୍ତୁ ମୁସଲିମ ଲିଗର ଅସହଯୋଗ ପାଇଁ ଏହା ପ୍ରାୟ ସ୍ଥାଣୁ ହୋଇଯାଇଥିଲା। କ୍ୟାବିନେଟ ମିସନ ଅବିଭକ୍ତ ସଂଘୀୟ ରାଷ୍ଟ୍ରରେ ରାଜ୍ୟମାନଙ୍କୁ ତିନି ଭାଗରେ ବିଭକ୍ତ କଲେ- ହିନ୍ଦୁବହୁଳ ରାଜ୍ୟମାନେ; ପଞ୍ଜାବ ଓ ଉତ୍ତର ପଶ୍ଚିମ ସୀମାନ୍ତ ରାଜ୍ୟ; ବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟ। କୌଣସି ରାଜ୍ୟ ଚାହିଁଲେ ଏ ସଂଘରୁ ଅଲଗା ହୋଇପାରିବେ। ଜିନ୍ନା ଏଥିରେ ରାଜି ହୋଇଗଲେ। ନେହରୁ କ୍ୟାବିନେଟ ମିସନର ରିପୋର୍ଟ ଅଗ୍ରହଣୀୟ ବୋଲି ମତ ‌େଦଲେ। ତା’ ପରେ ଜିନ୍ନା ତାଙ୍କ ସମର୍ଥନ ପ୍ରତ୍ୟାହାର କରି ଡାଇରେକ୍ଟ ଆକ୍‌ସନ ଡାକରା ଦେଲେ।
ମାଉଣ୍ଟ‌ବାଟେନ ନେହରୁଙ୍କ ବନ୍ଧୁ ଥିଲେ ଏବଂ ଗାନ୍ଧୀଜୀ ଓ ପଟେଲଙ୍କ ସଙ୍ଗେ ତାଙ୍କର ସୁସଂପର୍କ ଥିଲା। ସେ ଜାଣିଥିଲେ ନେହରୁଙ୍କ କ୍ଷଣକ୍ରୋଧି ଓ ପଟେଲଙ୍କ ବାସ୍ତବବାଦୀ ବ୍ୟକ୍ତିତ୍ବ। ତାଙ୍କ ପ୍ରଥମ ଯୋଜନା ଥିଲା, ଭାରତ ବିଭାଜିତ ହୋଇ ଦୁଇଟି ଦେଶ ହେବ। ପଞ୍ଜାବ ଓ ବଙ୍ଗ ଜନସଂଖ୍ୟା ଭିତ୍ତିରେ ବିଭାଜିତ ହେବେ। ୫୦୦ରୁ ଅଧିକ ସଂଖ୍ୟକ ରାଜାରାଜୁଡ଼ା ଭାରତ କିମ୍ବା ପାକିସ୍ତାନରେ ମିଶିବେ। କିନ୍ତୁ, ଏ ମିଶ୍ରଣକୁ ତ୍ୟାଗ କରିବା ବ୍ୟବସ୍ଥା ମଧ୍ୟ ରହିଲା। ଏହାକୁ କୁହାଗଲା ‘ପ୍ଲାନ ବଲକାନ’। ନେହରୁ ମାଉଣ୍ଟବାଟେନଙ୍କ ଅତିଥି ରୂପେ ସିମଲାରେ ଭାଇସରୟଙ୍କ ପ୍ରାସାଦରେ ଥିଲେ। ରାତ୍ରିଭୋଜନ ପ‌େର ମାଉଣ୍ଟବାଟେନ ନେହରଙ୍କୁ ତାଙ୍କ ଚିଠା ଧରାଇଦେଲେ। ନେହରୁ ତାଙ୍କ ପ୍ରକୋଷ୍ଠକୁ ଆସି ସେ ଚିଠା ପଢ଼ି ଏତେ ରାଗିଗଲେ ଯେ ସଙ୍ଗେ ସଙ୍ଗେ ତାଙ୍କ ବିରୋଧକୁ ଏକ ଚିଠିରେ ଲେଖି ମାଉଣ୍ଟବାଟେନଙ୍କୁ ପଠାଇଦେଲେ। ତା’ ପରଦିନ ନେହରୁ ଦିଲ୍ଲୀରେ ପଟେଲଙ୍କ ସଙ୍ଗେ ଫୋନରେ କଥାବାର୍ତ୍ତା କରି ଚିଠାରେ ଉପଯୁକ୍ତ ସଂଶୋଧନର ବ୍ୟବସ୍ଥା କଲେ। ସେତେବେଳେ ମାଉଣ୍ଟବାଟେନ ବାସ୍ତବବାଦୀ ପଟେଲଙ୍କ ସାହାଯ୍ୟ ନେଇଥିଲେ ଏବଂ ପଟେଲ ଓ ନେହରୁ ଅବଶ୍ୟମ୍ଭାବୀ ଭାରତ ବିଭାଜନ ପାଇଁ ରାଜି ହେଲେ।
ଦ୍ବିତୀୟ କୁତ୍ସାଟି ହେଲା- ‘ନେହରୁ ଭୋଟ ଚୋରି କରି ପ୍ରଧାନମନ୍ତ୍ରୀ ହେଲେ।’ ଏହାଠାରୁ ବଡ଼ ବାଚାଳତା କ’ଣ ହୋଇପାରେ! ୧୯୪୬ରେ ଆଜାଦଙ୍କ ପରେ କଂଗ୍ରେସ ସଭାପତି ଚୟନ ହେଲା। ଏ ଚୟନରେ ସଦାବେଳେ ଶେଷ ନିଷ୍ପତ୍ତି ଥାଏ ଗାନ୍ଧୀଙ୍କର। ୧୯୩୮ରେ ହରିପୁର ଅଧିବେଶନରେ ସେ ତାଙ୍କ କଠୋର ସମାଲୋଚକ ସୁଭାଷଙ୍କୁ ସଭାପତି କରିଥିଲେ। ସୁଭାଷ ୧୯୩୯ରେ ତ୍ରିପୁରୀ ଅଧିବେଶନରେ ଗାନ୍ଧୀଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରମୈୟା ସଙ୍ଗେ ଲଢ଼େଇ କରି ତାଙ୍କୁ ପରାସ୍ତ କଲେ। ଏହା ଗାନ୍ଧୀଙ୍କ ପାଇଁ ଗ୍ରହଣୀୟ ନ ଥିଲା। ସୁଭାଷ ଇସ୍ତଫା ଦେଲେ ଓ କଂଗ୍ରେସ ଛାଡ଼ି ଫରୱାଡ ବ୍ଲକ ଦଳ ଗଠନ କଲେ। ୧୯୪୬ରେ ୧୨ଟି ପ୍ରଦେଶ କମିଟି ପଟେଲଙ୍କ ସପକ୍ଷରେ ଥିଲେ। କିନ୍ତୁ ଶେଷ ନିଷ୍ପତ୍ତି ଗାନ୍ଧୀଜୀଙ୍କର ଥିଲା। ସେ ୧୯୩୪ ଓ ତା’ ପରେ ୧୯୪୨ରେ ଘୋଷଣା କରିଥିଲେ ଯେ ନେହରୁ ତାଙ୍କ ଉତ୍ତରାଧିକାରୀ ହେବେ। ନେହରୁଙ୍କ ସଙ୍ଗେ ବହୁତ ମତପାର୍ଥକ୍ୟ ହେଉଥିଲେ ସୁଦ୍ଧା ସେ ହୃଦୟଙ୍ଗମ କରିଥିଲେ ଯେ ନେହରୁଙ୍କ ଲୋକପ୍ରିୟତା, ବିଶ୍ବସନୀୟତା, ଆନ୍ତର୍ଜାତିକ କ୍ଷେତ୍ରରେ ପରିଚିତି ଓ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧତା ଅତୁଳନୀୟ। ରକ୍ଷଣଶୀଳ ପଟେଲ ଓ ରାଜାଜୀ ଏହା ବୁଝି ପାରି ନ ଥିଲେ।
ତୃତୀୟରେ କାଶ୍ମୀର ପ୍ରସଙ୍ଗ। କୁହାଯାଉଛି, ‘ପଟେଲ ପ୍ରଧାନମନ୍ତ୍ରୀ ଥିଲେ କାଶ୍ମୀର ସମସ୍ୟା ଛିଡ଼ା ହୋଇ ନଥାନ୍ତା।’ ସ୍ବାଧୀନତା ପ୍ରାପ୍ତି ପରେ ୫୫୦ରୁ ଅଧିକ ରାଜ୍ୟ ଭାରତ କିମ୍ବା ପାକିସ୍ତାନରେ ମିଶିବାର କାର୍ଯ୍ୟକ୍ରମ ଆରମ୍ଭ ହେଲା। ଭାରତରେ ରାଜ୍ୟମାନଙ୍କ ମିଶ୍ରଣ ଓ ଭାରତର ପୂର୍ଣ୍ଣ ଅବୟବ ଗଠନରେ ପଟେଲଙ୍କ ଅବଦାନ ଅତୁଳନୀୟ। ତାଙ୍କ ଚିନ୍ତାଧାରା ସ୍ପଷ୍ଟ ଥିଲା। ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ କୌଣସି ରାଜ୍ୟର ପାକିସ୍ତାନରେ ମିଶ୍ରଣ ପାଇଁ ସେ ବିରୋଧୀ ନ ଥିଲେ। କାଶ୍ମୀର ମହାରାଜା ସ୍ବତନ୍ତ୍ର ଦେଶ ଚାହୁଁଥିଲେ। ତାଙ୍କୁ ପଟେଲ ଓ ମାଉଣ୍ଟବାଟେନ ଜଣାଇ ଦେଇଥିଲେ ଯେ ସେ ପାକିସ୍ତାନରେ ଯୋଗଦାନ କଲେ କୌଣସି ଆପତ୍ତି ନାହିଁ। କାଶ୍ମୀର ଅଧିବାସୀ ନେହରୁ ଏ ରାଜ୍ୟକୁ ଭାରତର ଅଂଶ ରୂପେ ଚାହୁଁଥିଲେ ମଧ୍ୟ ତାଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଯୋଗୁଁ ନିରବ ଥିଲେ। ତାଙ୍କ ବନ୍ଧୁ ଶେଖ ଅବଦୁଲ୍ଲା ପାକିସ୍ତାନରେ ମିଶ୍ରଣର ବିରୋଧୀ ଥିଲେ ଓ ମହାରାଜା ହରି ସିଂଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କଲେ। ଜିନ୍ନାଙ୍କ ପ୍ରଲୋଭନରେ ହରି ସିଂ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ କରାଚି ପଠାଇଲେ ଜିନ୍ନାଙ୍କ ସଙ୍ଗେ ଆଲୋଚନା ପାଇଁ। କିନ୍ତୁ ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ପାକିସ୍ତାନର ପଠାନ ରଜାକରମାନେ ଗିଲଗିଟ ଦେଇ କାଶ୍ମୀରରେ ପ୍ରବେଶ କରି ବର୍ତ୍ତମାନ ପି.ଓ.କେ. ବା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ଅଧିକାର କଲେ। ହରି ସିଂ ଭାରତର ସାହାଯ୍ୟ ମାଗିଲେ। ଭାରତ ସଙ୍ଗେ ମିଶ୍ରଣ ଚୁକ୍ତିନାମାରେ ଦସ୍ତଖତ କଲେ ସାହାଯ୍ୟ ମିଳିବ ବୋଲି ଶୁଣି ଦିଲ୍ଲୀ ଆସି ଚୁକ୍ତିନାମାରେ ଦସ୍ତଖତ କଲେ। ଭାରତରୁ ସୈନ୍ୟବାହିନୀ କାଶ୍ମୀରରେ ପ୍ରବେଶ କଲେ। ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲା। ମାଉଣ୍ଟବାଟେନ ନେହରୁଙ୍କୁ ବୁଝାଇଲେ ଯୁଦ୍ଧବିରତି କରି ଏ ପ୍ରସଙ୍ଗକୁ ଜାତିସଂଘକୁ ପଠାଇବା ଲାଗି। ନେହରୁ ରାଜିହେଲେ। କିନ୍ତୁ ପଟେଲ ପ୍ରଥମେ ରାଜି ନ ଥିଲେ। ନେହରୁଙ୍କ ଉପରେ ଦୋଷାରୋପର ଏୟା ହେଲା ପ୍ରଧାନ କାରଣ। ମୂଳ କଥା ହେଲା ପଟେଲ ପ୍ରଥମରୁ ନୀତିଗତ ରୂପେ କାଶ୍ମୀରର ପାକିସ୍ତାନ ସଙ୍ଗେ ମିଶ୍ରଣର ବିରୋଧୀ ନ ଥିଲେ।
ବର୍ତ୍ତମାନ ଆସିବା ନେହରୁଙ୍କ ଭାରତ ନିର୍ମାଣ ପ୍ରସଙ୍ଗକୁ। ସ୍ବାଧୀନତା ପ୍ରାପ୍ତି ପରେ ନବଭାରତ ନିର୍ମାଣର ବିନ୍ଧାଣି ରୂପେ ସେ ଯେଉଁ ଭିତ୍ତିଭୂମି ତାଙ୍କ ୧୭ ବର୍ଷ ପ୍ରଧାନମନ୍ତ୍ରିତ୍ବ କାଳଖଣ୍ଡରେ ଗଢ଼ିଥିଲେ ତାହାର ପ୍ରାସଙ୍ଗିକତା ଏବେ ମଧ୍ୟ ବିଦ୍ୟମାନ। ଏହାକୁ ଚାରିଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରିବ। ବୈଜ୍ଞାନିକ ଚିନ୍ତାଧାରା ବା ‘ସାଇଣ୍ଟିଫିକ ଟେମ୍ପର’, ଭାରତୀୟ ଗଣତନ୍ତ୍ରର ଅଭିଭାବକ ରୂପେ ଏହାର ସୁରକ୍ଷା ଓ ସମ୍ମାନ, ବୈଦେଶିକ ନୀତି ଓ ଧର୍ମନିରପେକ୍ଷତା। ଏକ ସିଷ୍ଟମ ବା ପ୍ରଣାଳୀ ଭାବେ ସେଥିରେ କିଛି ଦୋଷଦୁର୍ବଳତା ଥାଇପାରେ, କିନ୍ତୁ ଛଳନା ନ ଥିଲା। ତାଙ୍କ ବିଜ୍ଞାନସମ୍ମତ ଚିନ୍ତାଧାରା ସହ ଦେଶର ଅର୍ଥନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲା। ତାଙ୍କର ଦୃଢ଼ ବିଶ୍ବାସ ଥିଲା ଯେ ଭାରତ ଭଳି ଦରିଦ୍ର ରାଷ୍ଟ୍ରରେ ସାମ୍ୟବାଦ ଅର୍ଥନୀତି ଆବଶ୍ୟକ। ୧୯୪୭ରେ ଭାରତର ଜିଡିପି ୧ ପ୍ରତିଶତ ଥିଲାବେଳେ ବହୁ ସମାଲୋଚିତ ସମ୍ୟବାଦ ଅର୍ଥନୀତି ମାଧ୍ୟମରେ ଷଷ୍ଠ ଦଶକରେ ଜିଡିପି ୪ ପ୍ରତିଶତ ହେଲା। ଶିଳ୍ପ ଓ କୃଷି ବିକାଶ ପାଇଁ ଗଢ଼ି ଉଠିଥିବା ଭିତ୍ତିଭୂମି ପୁଞ୍ଜିବାଦୀ ଅର୍ଥନୀତିଜ୍ଞମାନଙ୍କ ପ୍ରଶଂସା ଲାଭ କରିଥିଲା। 
ଏବେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂତନ ନିର୍ମାଣର ପରିବେଶ ସୃଷ୍ଟି ହୋଇଛି, ଯାହା ଅତି ଆନନ୍ଦର କଥା। ଏ ଚାକଚକ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ିବ, ଏ ସବୁର ମୂଳଦୁଆ ୧୯୫୦ ଦଶକରେ ଦିଆଯାଇଥିଲା। ନେହରୁ ଅମର ରହିବେ ଭାରତ ନିର୍ମାଣର ପ୍ରଥମ ବିନ୍ଧାଣି ଓ ଭାରତୀୟ ଗଣତନ୍ତ୍ରର ସାଲିସବିହୀନ ରକ୍ଷକ ରୂପେ। ଆମେରିକାର ରାଜନେତା ଆଡଲଇ ଷ୍ଟିଭେନସନ କହିଥିଲେ ନେହରୁ ଏକ ଯୁଗପୁରୁଷ। ତାଙ୍କ ଅନ୍ତିମ ଯାତ୍ରା ପରେ ତାଙ୍କର ଏକଦା କଠୋର ସମାଲୋଚକ ଚର୍ଚ୍ଚିଲ କହିଲେ, ସେ ଥିଲେ ଏସିଆର ଆଲୋକ। ଭାରତରେ ତାଙ୍କ ସମାଲୋଚକ ଅଟଳବିହାରୀ ବାଜପେୟୀ ରୁଦ୍ଧ କଣ୍ଠରେ କହିଥିଲେ, ଭାରତ ମାତା ତାଙ୍କ ପ୍ରିୟତମ ପୁତ୍ରକୁ ହରାଇଲେ, ଏକ ସ୍ବପ୍ନ ଅଧୁରା ରହିଗଲା, ଏକ ମୂର୍ଚ୍ଛନା ନିରବ ହୋଇଗଲା, ଏକ ଅଗ୍ନିକଣା ଲିଭିଗଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୬୭୯୪

Read Entire Article
LEFT SIDEBAR AD

Hidden in mobile, Best for skyscrapers.