Nepal: ନେପାଳ ବନ୍ୟା: ଶବଗୃହରେ ସ୍ଥାନ ଅଭାବ, ଡିଏନଏ ସଂଗ୍ରହ ପରେ ଅଜ୍ଞାତ ମୃତଦେହକୁ କବର ଦେଉଛନ୍ତି ସରକାର

1 hour ago 1
ARTICLE AD BOX

କାଠମାଣ୍ଡୁ: ନେପାଳରେ ଆକସ୍ମିକ ବନ୍ୟାରେ ପ୍ରାଣ ହରାଇଥିବା ଅଜ୍ଞାତ ମୃତଦେହଗୁଡ଼ିକ ଶବଗୃହରେ ରଖିବା ପାଇଁ ସ୍ଥାନ ଅଭାବ ହେବା ଏବଂ ସେଗୁଡ଼ିକ ପଚିବାକୁ ଲାଗିବାରୁ ସରକାର ସେଗୁଡ଼ିକର କବରଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୃତଦେହ ପଚିଯାଉଥିବାରୁ ଏବଂ ଦୁର୍ଗନ୍ଧ ଯୋଗୁଁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ‘ନେପାଳ ଅଜ୍ଞାତ ଓ ଦାବିହୀନ ମୃତଦେହ ପରିଚାଳନା ନିର୍ଦ୍ଦେଶାବଳୀ-୨୦୨୬’ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ତେବେ ପରିବାର ଲୋକେ ଯେପରି ପରବର୍ତ୍ତୀ ସମୟରେ ନିଜ ପ୍ରିୟଜନଙ୍କୁ ଚିହ୍ନଟ କରିପାରିବେ, ସେଥିପାଇଁ ପୋଲିସ ଓ ଫୋରେନ୍ସିକ୍ ଟିମ୍ କବର ଦେବା ପୂର୍ବରୁ ପ୍ରତ୍ୟେକ ମୃତଦେହର ଡିଏନ୍ଏ ନମୁନା, ଫଟୋ, ପୋଷାକ, ଅଳଙ୍କାର ଓ ବିଶେଷ ଚିହ୍ନର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଏକ ନିର୍ଦ୍ଦିଷ୍ଟ ରେଫରେନ୍ସ ନମ୍ବର ସହ ସଂରକ୍ଷିତ ରଖୁଛନ୍ତି। ନେପାଳ ପୋଲିସ ସୋସିଆଲ ମିଡିଆରେ କ୍ୟୁଆର କୋଡ୍ ଓ ଓ୍ୱେବସାଇଟ୍ ଜରିଆରେ ଅଜ୍ଞାତ ମୃତଦେହଗୁଡ଼ିକର ତଥ୍ୟ ମଧ୍ୟ ସାର୍ବଜନୀନ କରିଛି।

ଆହୁରି ପଢନ୍ତୁ: Jersey Retired: ସିପିଏଲ୍‌ରେ ପ୍ରଥମ: ବ୍ରାଭୋଙ୍କ ୪୭ନଂ ଜର୍ସିକୁ ଅବସର

ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସୂଚନା ଅନୁଯାୟୀ, କେବଳ ଅଜ୍ଞାତ ମୃତଦେହଗୁଡ଼ିକୁ ସରକାରୀ ସ୍ତରରେ ସୁରକ୍ଷିତ ଭାବେ କବର ଦିଆଯାଉଛି ଏବଂ ଚିହ୍ନଟ ହେଉଥିବା ମୃତଦେହଗୁଡ଼ିକୁ ଆତ୍ମୀୟସ୍ୱଜନଙ୍କୁ ହସ୍ତାନ୍ତର କରାଯାଉଛି। ଚିତୱାନର ଭରତପୁର ସ୍ଥିତ ଦେବଘାଟରେ ଜରୁରୀକାଳୀନ ଭାବେ କବର ଦିଆଯାଉଥିବା ବେଳେ ପୋଖରା, ପାଲପା, ରୂପନ୍ଦେହୀ ଏବଂ କାଠମାଣ୍ଡୁରେ ମଧ୍ୟ ଅତିରିକ୍ତ ସ୍ଥାନ ଚିହ୍ନଟ କରାଯାଉଛି। ଫୋରେନ୍ସିକ୍ ବିଶେଷଜ୍ଞ ଓ ଡେଣ୍ଟାଲ ସର୍ଜନଙ୍କୁ ନେଇ ଗଠିତ ୪୦ ଜଣିଆ ଡାକ୍ତରୀ ଟିମ୍ ଏହି ଚିହ୍ନଟ ଓ ଡିଏନଏ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ୱାସ୍ଥ୍ୟ ସଙ୍କଟ ଏବଂ ଆତ୍ମୀୟଙ୍କୁ ଚିହ୍ନଟ ସୁଯୋଗ ଦେବା, ଏହି ଦୁଇଟି ମୁଖ୍ୟ ଦିଗକୁ ଦୃଷ୍ଟିରେ ରଖି ନେପାଳ ପ୍ରଶାସନ ଏହି କାର୍ଯ୍ୟ ଜାରି ରଖିଛି।

ଆହୁରି ପଢନ୍ତୁ: Mojtaba: ପ୍ରକୃତ ଶତ୍ରୁ ବିରୋଧରେ ଏକଜୁଟ ହୁଅ: ଲିଖିତ ଭାବେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କଲେ ମୋଜତାବା

ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରୁ ଉଦ୍ଧାର ହୋଇଥିବା ୭୩୪ଟି ମୃତଦେହ ମଧ୍ୟରୁ ମାତ୍ର ୨୦ଟି ମୃତଦେହ ଚିହ୍ନଟ ହୋଇପାରିଛି। ଚିତୱାନ୍ ଜିଲ୍ଲାରୁ ସର୍ବାଧିକ ୨୫୯ଟି ମୃତଦେହ ମିଳିଥିବା ବେଳେ ନବଲପରାସୀ ପୂର୍ବରୁ ୧ ୮୪, ନବଲପରାସୀ ପଶ୍ଚିମରୁ ୮୨, ଗୋରଖାରୁ ୫୮, ନୁୱାକୋଟରୁ ୫୨, ଧାଡିଂରୁ ୫୦, ତନାହୁନରୁ ୩୬ ଏବଂ ରସୁୱାରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହାବ୍ୟତୀତ ପ୍ରାୟ ୨,୫୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ନେପାଳ-ତିବ୍ଦତ ସୀମାନ୍ତରେ ହିମଖଣ୍ଡ ଭୁଷୁଡ଼ିବା କାରଣରୁ ଭୋଟକୋଶୀ ଓ ତ୍ରିଶୂଳୀ ନଦୀରେ ଆସିଥିବା ଏହି ବିନାଶକାରୀ ବନ୍ୟାର ସ୍ରୋତ ଏତେ ପ୍ରବଳ ଥିଲା ଯେ ମୃତଦେହଗୁଡ଼ିକ ଭାସିଯାଇ ଭାରତର ବିହାର ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ପହଞ୍ଚିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.