ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଆଦିବାସୀଙ୍କ କଳା, ସଂସ୍କୃତି, ବେଶଭୁଷା, ପରମ୍ପରା, ଐତିହ୍ୟ, ଅଳଙ୍କାର ଓ କଳାକୃତିକୁ ସାଇତି ରଖିବା ଏବଂ ନୂଆ ପିଢ଼ି, ଗବେଷକଙ୍କୁ ଅବଗତ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ତେବେ ତାହା କାର୍ଯ୍ୟନ୍ବୟନ ପାଇଁ ୨୦ବର୍ଷ ପରେ ବି ଜିଲ୍ଲାରେ ସଫଳ ହୋଇ ପାରିନି। ନୂଆ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ପାପାଡାହାଣ୍ଡିର ମୃଗ ବିହାର ନିକଟରେ ୫କୋଟିରେ ଜନଜାତି ସଂସ୍କୃତି ଭବନ ଓ ୧୦ବ୍ଲକରେ ୫ଲକ୍ଷ ଲେଖାଏଁ ୫କୋଟିଏରେ ଆଦିବାସୀ ସଂସ୍କୃତି ଭବନ ସ୍ଥାପନ କରିବାକୁ ଲକ୍ଷ୍ୟ ୩ବର୍ଷ ହେବ କରାଯାଇଛି।
ଅପରପକ୍ଷରେ ଗତ ବର୍ଷକ ତଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ତତ୍କାଳୀନ ଜିଲ୍ଲାପାଳ, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି, ପିଏ ଆଇଟିଡିଏ ରାଜୀବ ସାହୁଙ୍କୁ ନେଇ ପାପାଡାହାଣ୍ଡିର ମୃଗ ବିହାର ନିକଟରେ ଜନଜାତୀ ଭବନ କରିବାକୁ ସ୍ଥାନ ନିରୁପଣ କରିଥିଲେ। ଏହାରି ମଧ୍ୟରେ ଏହାର ଟେଣ୍ଡର ବି ସରିବା ସହ ଠିକାସଂସ୍ଥା ସହ ଚୁକ୍ତି ବି ସରିଛି। ତା ବାଦେ ଠିକାସଂସ୍ଥା ଏଯାଏଁ କାମ ଆରମ୍ଭ କରୁନି।
ତତ୍କାଳୀନ ସରକାର ୨୦୧୯ ମସିହାରେ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ସ୍ଥିର କରିଥିଲେ। ଆଇଟିଡିଏ ପକ୍ଷରୁ ଏହି ପ୍ରକଳ୍ପ ନିମନ୍ତେ ୧୨କୋଟି ଟଙ୍କା ବ୍ୟୟ ବରାଦ କିରିଥିଲେ। ଭୂମିପୂଜନ ହୋଇଥିଲା। ଏହାପରେ ୨୫ଲକ୍ଷ ଟଙ୍କାରେ ଲୁହା ପାଚେରି ନିର୍ମାଣ କରାଯାଇଥିଲା। କିଛି ମାସ ପରେ ଏହି ପ୍ରକଳ୍ପ ଖର୍ଚ୍ଚ ୯କୋଟିକୁ କମାଇ ଦିଆଗଲା। ନୂତନ ଡିଜାଇନ ନଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଟେଣ୍ଡରକୁ ବାତିଲ କରାଯାଇଥିଲା।
Railway Project: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ: ଆମ୍ବାଗୁଡ଼ାର ପ୍ରାୟ ୨୬.୬୬ ଏକର ଜମି ରେଳ ବିଭାଗକୁ ହସ୍ତାନ୍ତର
ସଂଗ୍ରହାଳୟ ସହ ଅଡିଟୋରିୟମ୍ ନିମନ୍ତେ ୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ତତ୍କାଳୀନ ସରକାର ଘୋଷଣା କଲେ। ଓସିସିଏଫ୍କୁ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ଦେଇଥିଲେ। ଏଥିପାଇଁ ହଜାର ହଜାର ଆଦିବାସୀଙ୍କ ଉପସ୍ଥିତିରେ ବହୁ ଆଡ଼ମ୍ବରରେ ଦ୍ବିତୀୟଥର ଶୀଳାନ୍ୟାସ କରାଗଲା। ତେବେ ନିର୍ବାଚନ ଆଚାରଣ ବିଧି ଲାଗୁ ହୋଇଯିବାରୁ ନିର୍ମାଣ ହୋଇପାରିଲା ନାହିଁ। ଏହା ସହ ପୁରୁଣା ସରକାର ଅମଳରେ ହିଁ ଜିଲ୍ଲାର ପ୍ରତି ବ୍ଲକରେ ୩୫ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିର୍ମାଣ ନିମନ୍ତେ ଶିଳାନ୍ୟାସରେ ସୀମିତ ହୋଇ ରହିଯାଇଥିଲା।
ନୂଆ ସରକାର ଆସିବା ପରେ ଗତବର୍ଷ ଆଦିବାସୀ ସଂଗ୍ରହାଳୟ ନିମନ୍ତେ ପୂରଣା ସ୍ଥାନକୁ ଚିହ୍ନଟ କରାଗଲା। ପ୍ରକାଶଯୋଗ୍ୟ,୨୦ବର୍ଷ ତଳେ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ଭବନ ପରବର୍ତ୍ତୀ ସମୟରେ କଲ୍ୟାଣମଣ୍ଡପରେ ରୁପାନ୍ତରିତ ହୋଇଥିଲା। ଏହାକୁ ମାଟିରେ ମିଶାଇ ଚିହ୍ନବର୍ଣ୍ଣ ହଜାଇ ଦେବା ପରେ ସେଠାରେ ଏବେ ବହୁମୁଖୀ ପ୍ରଶସ୍ତ କକ୍ଷ ନିର୍ମାଣ ହୋଇଛି। ଯଦିଓ ବ୍ୟୟବରାଦ ଖର୍ଚ୍ଚ କମାଇବା ସହ ୫କୋଟିରେ ପାପାଡାହାଣ୍ଡିରେ ଜନଜାତି ଭବନ ଓ ପ୍ରତ୍ୟେକ ବ୍ଲକରେ ୫ଲକ୍ଷ ଲେଖାଏଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ଭୂମିପୂଜା ସରିଛି। ସବୁ ସଭାସମିତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ପ୍ରଚାର ଓ ପ୍ରସାର ବି କରୁଛନ୍ତି। ଭାଷଣ, ଶୀଳାନ୍ୟାସ, ଡିପିଆର, ଡିଜାଇନ୍ ଓ ୩ଡି ମଧ୍ୟରେ ସୀମିତ ରହିବ ନା ପ୍ରକୃତରେ ସାଧିତ ହେବ ତାହା ସମୟ କହିବ।

1 hour ago
1


