Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ

1 hour ago 2
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ): ଜାତୀୟ ରାଜପଥ ହେବ ଚିକ୍କଣ ଓ ସୁଗମ ଯାତାୟାତର ମାଧ୍ୟମ। କିନ୍ତୁ ୧୮ ନମ୍ବର ଜାତୀୟ ରାଜପଥର କଳମାଠାରୁ ବେତନଟୀ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତାର ଅବସ୍ଥା ଏବେ ଏହାର ସମ୍ପୂର୍ଣ୍ଣ ବିପରୀତ। ରାସ୍ତାରେ ଖାଲ ନା ଖାଲ ଭିତରେ ରାସ୍ତା। ଦୁର୍ବଳ ରାସ୍ତା ଯୋଗୁଁ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ବଢୁଛି ଭୟ ଓ ଅସନ୍ତୋଷ।

ବର୍ଷାରେ ଖାଲ ହେଉଛି ଅଦୃଶ୍ୟ ମରଣଫାନ୍ଦ
ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଇ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ବର୍ଷା ହେଲେ ଏହି ଖାଲଗୁଡ଼ିକ ପାଣିରେ ଭରିଯାଉଥିବାରୁ ସେଗୁଡ଼ିକର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଚାଳକମାନେ ହଠାତ୍ ଖାଲରେ ପଡ଼ି ଭାରସାମ୍ୟ ହରାଉଛନ୍ତି। ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହି ରାସ୍ତା ବେଶ୍‌ ବିପଦଜନକ ପାଲଟିଛି।

ଖାଲ ଏଡ଼ାଇବାକୁ ଯାଇ ବଢୁଛି ଦୁର୍ଘଟଣା
ରାସ୍ତାର ଖାଲଖମା ଏଡ଼ାଇବାକୁ ଯାଇ ଗାଡ଼ିଗୁଡ଼ିକ ଅନିୟମିତ ଭାବେ ଗତିପଥ ବଦଳାଉଛନ୍ତି। ଏଥିଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନ ମଧ୍ୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାରେ ନିୟମିତ ଭାବେ ଛୋଟବଡ଼ ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକ ଆହତ ହେଉଛନ୍ତି।

ଆମ୍ବୁଲାନ୍ସ ଚଳାଚଳରେ ବି ହେଉଛି ବାଧା
ବେତନଟୀ, ବାରିପଦା ତଥା କଟକ-ଭୁବନେଶ୍ୱର ଦିଗକୁ ଜରୁରୀ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କ ପାଇଁ ଏହି ରାସ୍ତା ଗୁରୁତ୍ୱପୂର୍ଣ୍ଣ। ହେଲେ ରାସ୍ତାର ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସହ ଅନ୍ୟ ଜରୁରୀକାଳୀନ ଯାନଗୁଡ଼ିକୁ ମଧ୍ୟ ଧୀରେ ଚଳାଚଳ କରିବାକୁ ପଡ଼ୁଛି। ଏହା ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଧୂଳିରେ ଅସ୍ତବ୍ୟସ୍ତ ପଥଚାରୀ ଓ ବ୍ୟବସାୟୀ
ବର୍ଷା ନଥିବା ସମୟରେ ଭାରୀ ଯାନବାହନ ଚଳାଚଳ ଯୋଗୁଁ ରାସ୍ତାରୁ ପ୍ରବଳ ଧୂଳି ଉଡ଼ୁଛି। ଏହାର ପ୍ରଭାବରେ ରାସ୍ତାକଡ଼ରେ ଥିବା ଦୋକାନୀ, ବ୍ୟବସାୟୀ ଓ ପଥଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଜବରଦଖଲ ଉଚ୍ଛେଦକୁ ବିରୋଧ: ପୁଲିସ ଉପସ୍ଥିତିରେ ତହସିଲଦାରଙ୍କୁ ମାଡ଼, ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ

ଅସ୍ଥାୟୀ ମରାମତିରେ ନାହିଁ ସମାଧାନ
ସ୍ଥାନୀୟ ଲୋକଙ୍କ କହିବା କଥା, ରାସ୍ତାର ଦୁରବସ୍ଥା ନେଇ ବାରମ୍ବାର ଅଭିଯୋଗ ଓ ଦାବି ହୋଇଆସୁଛି। କେତେକ ସ୍ଥାନରେ ମାଟି ଓ ଗୋଡ଼ି ପକାଇ ଅସ୍ଥାୟୀ ଭାବେ ଖାଲ ପୋତାଯାଉଛି। ହେଲେ ବର୍ଷା ହେଲେ ପୁଣି ସେହି ସ୍ଥାନରେ ଖାଲ ସୃଷ୍ଟି ହେଉଛି। ତେଣୁ ଅସ୍ଥାୟୀ ମରାମତି ବଦଳରେ ସ୍ଥାୟୀ ସମାଧାନ ପାଇଁ ଦାବି ଜୋର ଧରିଛି।

ତୁରନ୍ତ ପଦକ୍ଷେପ ଦାବି
କଳମାରୁ ବେତନଟୀ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ମରାମତି ସହ ଆବଶ୍ୟକ ସ୍ଥାନରେ ପୁନଃନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଦୁର୍ଘଟଣା ଓ ଜନଜୀବନର କ୍ଷତି ରୋକିବା ପାଇଁ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ନଚେତ ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଜନଅସନ୍ତୋଷ ତୀବ୍ର ହେବା ସହ ବଡ଼ ଧରଣର ଆନ୍ଦୋଳନ ଦେଖାଦେଇପାରେ। ତେବେ ଏନେଇ କିଛିଦିନ ପୂର୍ବରୁ ଖବର ପ୍ରସାରଣ ସମୟରେ ବିଭାଗୀୟ ଯନ୍ତ୍ରୀ ଖୁବଶୀଘ୍ର ମରାମତିର ପ୍ରତିଶୃତି ଦେଇଥିଲେ ବି ଏଇ ଭିତରେ ଆହୁରି ଅନେକ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ଜୋଇଗଲାଣି, ତଥାପି ହଉନି ମରାମତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.