ARTICLE AD BOX
ଭାରତରେ ପ୍ରାୟ ୩୦ ଶତକଡ଼ାରୁ ଅଧିକ ଲୋକ ସହର ଓ ମହାନଗରରେ ବସବାସ କରୁଥିବା ବେଳେ ଆସନ୍ତା ୧୫ ବର୍ଷରେ ତାହା ବଢ଼ି ୫୦ ଶତକଡ଼ାରୁ ଅଧିକ ହେବାକୁ ଯାଉଛି। ଖୋଲା ପ୍ରାକୃତିକ ସ୍ଥାନରେ କଂକ୍ରିଟ ଘର ଓ ରାସ୍ତା ବଢ଼ିବାରୁ ଅନେକ ସହରବାସୀ ଧୀରେଧୀରେ ପ୍ରକୃତିଠାରୁ ଦୂରେଇ ଯାଉଛନ୍ତି। ଏହାର ପରିଣାମ ହେତୁ ମାନସିକ ଚାପ ବଢ଼ୁଛି। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି, ଆମେ ଯେତେ ବି ଆଧୁନିକତା ଆଡ଼କୁ ଅଗ୍ରସର ହେଉ ନା କାହିଁକି ପ୍ରକୃତିକୁ ଭୁଲିଯିବା ଅନୁଚିତ। ଗଛଲତା ଓ ଜୀବଜନ୍ତୁ ପରିବେଶର ସନ୍ତୁଳନ ରକ୍ଷା କରିବା ସହ ଆମର ଜୀବନ ପ୍ରତି ମଧ୍ୟ ଯେଥଷ୍ଟ ଅବଦାନ ରଖନ୍ତି।
Snake: ମହାରାଷ୍ଟ୍ରର ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ମୃତ
ମହାନଗର ଓ ସହରରେ ଥିବା ପ୍ରାକୃତିକ ପରିବେଶ ସ୍ଥାନୀୟ ବନ୍ୟଜୀବ ଓ ଉଦ୍ଭିଦଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହାର ପ୍ରମାଣସ୍ୱରୂପ, ମହାନଗର ଓ ସହରଗୁଡ଼ିକରେ ବିଶ୍ୱର ପ୍ରାୟ ୨୦ ଶତକଡ଼ା ପକ୍ଷୀ ଓ ୫ ଶତକଡ଼ା ଉଦ୍ଭିଦ ପ୍ରଜାତି ଥିବା ଜଣାଯାଏ। ଏଥିମଧ୍ୟରୁ ଅଧିକାଂଶ ସ୍ଥାନୀୟ ବା ସ୍ୱଦେଶୀ। ସହରୀ ବଗିଚା, ରାସ୍ତା ପାର୍ଶ୍ୱ, ଆବାସିକ ଅଞ୍ଚଳ, ଶିକ୍ଷାନୁଷ୍ଠାନ, ଆର୍ଦ୍ରଭୂମି ଓ ପୋଖରୀ ପରି ସବୁଜିମାଭରା ସ୍ଥାନଗୁଡ଼ିକ ସ୍ୱଚ୍ଛ ବାୟୁ ଏବଂ ଶୀତଳ ଛାଇ ଯୋଗାଇଥାଏ। ଏଥି ସହିତ ବିଭିନ୍ନ ପକ୍ଷୀ, ପ୍ରଜାପତି, ଅନ୍ୟ କୀଟପତଙ୍ଗ, ମାଙ୍କଡ଼, ଗୁଣ୍ଡୁଚିମୂଷା, ବିଲୁଆ, ନେଉଳ, ଗୋଧି ସମେତ ବିଭିନ୍ନ ପ୍ରଜାତିର ସରୀସୃପ ଓ ଉଭୟଚରଙ୍କ ପାଇଁ ବାସସ୍ଥାନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଭୁବନେଶ୍ୱର ଏକ ବିକଶିତ ସହର ହେଲେ ମଧ୍ୟ ଏହାକୁ ଲାଗି ନନ୍ଦନକାନନ ଅଭୟାରଣ୍ୟ, ଚନ୍ଦକା ଅଭୟାରଣ୍ୟ, ଏକାମ୍ର କାନନ, ଖଣ୍ଡଗିରି–ଉଦୟଗିରି ସହ ସହର ମଧ୍ୟରେ ସବୁଜିମା ଓ ପୋଖରୀମାନ ବି ରହିଛି। ଭୁବନେଶ୍ୱରରେ ୨୪୪ ପ୍ରଜାତିର ପକ୍ଷୀ ଥିବା ବେଳେ ବ୍ରହ୍ମପୁର ସହରରେ ୫୫ ପ୍ରଜାତିର ପ୍ରଜାପତି ଥିବା ସୂଚନା ରହିଛି। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ୭୫ ପ୍ରଜାତିର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୦୮ ପ୍ରଜାତିର ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ପରିସରରେ ୬୮ ପ୍ରଜାତିର ପକ୍ଷୀ ଥିବା ବିଭିନ୍ନ ଅଧ୍ୟୟନରୁ ଜଣାଯାଏ।
ବିଭିନ୍ନ ସହର ଓ ସେଗୁଡ଼ିକର ଆଖପାଖ ଅଞ୍ଚଳ ଦେଇ ଯିବାଆସିବା ସମୟରେ ଆମେ ଅନେକ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ନିକଟରୁ ଦେଖିପାରୁ। ସହରର ବ୍ୟସ୍ତ ଜୀବନ ଓ ରାସ୍ତାର ଟ୍ରାଫିକ ମଧ୍ୟରେ ମାଙ୍କଡ଼ମାନଙ୍କର ଗଛରୁ ଗଛକୁ ଡେଇଁବା, ଗୁଣ୍ଡୁଚିର ଚିଁ ଚିଁ ଡାକ ଏବଂ ସାତଭାୟା, ବଣି, ବୁଲ୍ବୁଲ୍, କୋଇଲି, ଘରଚଟିଆ, ଶୁଆ ଆଦି ପକ୍ଷୀଙ୍କ କୋଳାହଳ ଏକ ନିଆରା ଅନୁଭବ ଦିଏ। ବଗ, ଚିଲ ଓ କାଉ ପରି ପକ୍ଷୀମାନେ ଖାଦ୍ୟ ଆଶାରେ ଅଳିଆଗଦା ପାଖରେ ମଧ୍ୟ ଦେଖାଯାନ୍ତି। ବେଳେବେଳେ ସହର ମଧ୍ୟରେ କାଁଭାଁ ଶାଳିଆପତନି, ନେଉଳ ଓ ଡ୍ରେନ୍ରୁ ବାହାରି ଗୋଧିମାନେ ଖରା ପୋଉଁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସେ। ସହର ଉପକଣ୍ଠର ତୃଣଭୂମି ଓ ପଡ଼ିଆରେ ମୁନିଆ, ବୁଶ ଚାଟ, ପ୍ରିନିଆ ପରି ପକ୍ଷୀ ସହ ବିଲୁଆ ଦେଖାଯିବା ଆଜି ବି ଅସାଧାରଣ ନୁହେଁ। ବ୍ରହ୍ମପୁର ଉପକଣ୍ଠରେ ଓସ୍ତଗଛର ଫଳ ଖାଉଥିବା ହଳଦିଆ ପାଦଯୁକ୍ତ ସବୁଜ କପୋତ ଦେଖିବାକୁ ମିଳେ। ଏହା ସହିତ ସହର ଓ ପରିପାର୍ଶ୍ବରେ ଥିବା ପୋଖରୀ ଓ ଜଳାଶୟଗୁଡ଼ିକ ସ୍ଥାନୀୟ ଜଳପକ୍ଷୀ ସହ ପ୍ରବାସୀ ବତକ ପ୍ରଜାତିଙ୍କୁ ମଧ୍ୟ ଆଶ୍ରୟ ଦେଇଥାଏ। ବାଡ଼ିବଗିଚାରେ ପ୍ରଜାପତି ଓ ଅନ୍ୟ କୀଟପତଙ୍ଗଙ୍କ ଶୋଭା ବି କିଛି କମ୍ ନୁହେଁ।
Maharastra: ମୋଦୀଙ୍କୁ ଭେଟିଲେ ଏନ୍ସିପି (ଏସ୍ପି) ସାଂସଦ; ମହାରାଷ୍ଟ୍ରରେ ଚାଷୀଙ୍କ ଋଣଛାଡ଼ ଉପରେ ଆଲୋଚନା
ପ୍ରକୃତି ଓ ଲୋକମାନଙ୍କୁ ସଂଯୋଗ କରିବାକୁ ଭୁବନେଶ୍ୱର ଭଳି ସହରରେ ନନ୍ଦନକାନନ ପରି ବିଭିନ୍ନ ସ୍ଥାନ ପକ୍ଷୀଦର୍ଶନର ସୁଯୋଗ ଦିଏ। ସେହିପରି, ‘ଏକାମ୍ର ୱାକ୍’ ପରି ପ୍ରୟାସ ସହରର ପ୍ରକୃତି, ସଂସ୍କୃତି, ଐତିହ୍ୟ ଓ ଇତିହାସକୁ ନିକଟରୁ ଅନୁଭବ କରାଏ, ଯାହା ଲୋକମାନଙ୍କୁ ସହର ସହ ପ୍ରକୃତି ଓ ସଂସ୍କୃତି ସଂଯୋଗର ଏକ ନିଆରା ଅବସର ଦିଏ। ଏହିପରି ପ୍ରକୃତି-ଆଧାରିତ ଅନୁଭୂତି ଅନ୍ୟ ସହରରେ ମଧ୍ୟ ଆରମ୍ଭ କରାଯିବା ଉଚିତ, ଯାହାକି ସହରାଞ୍ଚଳରେ ଲୋକଙ୍କୁ ପ୍ରକୃତି ଓ ଜୀବଜନ୍ତୁଙ୍କ ସହ ସଂଯୋଗରେ ଏକ ବିଶେଷ ଭୂମିକା ନିର୍ବାହ କରିବା ସହ ସଚେତନତା ବି ସୃଷ୍ଟି କରିପାରିବ- ଏଥିରେ ସନ୍ଦେହ ନାହିଁ। ଦ୍ରୁତ ନଗରୀକରଣରେ ସହର ଉନ୍ନୟନ ସହ ପ୍ରକୃତିକୁ ସୁରକ୍ଷା ଦେବା ନିଶ୍ଚୟ ଆବଶ୍ୟକ। ସହର ଓ ତାହାର ଆଖପାଖର ଜଳାଶୟ, ତୃଣଭୂମି ଓ ସ୍ଥାନୀୟ ଗଛଗୁଡ଼ିକ ପକ୍ଷୀ ଓ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ହୋଇଥାଏ। ସ୍ଥାନୀୟ ଜୀବବିବିଧତା, ବୈଜ୍ଞାନିକ ମୂଲ୍ୟାୟନ ଓ ପରିବେଶପ୍ରେମୀଙ୍କ ସହଭାଗିତା ହେଉଛି ସଫଳ ପ୍ରକୃତି ଆଧାରିତ ସହରର ମୂଳମନ୍ତ୍ର। ପରିବେଶକୁ ମୂଳ ଆଧାର କରି ନଗର ପରିକଳ୍ପନା କଲେ, ସହର ଲୋକମାନେ କିଛି ମୁହୂର୍ତ୍ତ ବିରାମ ନେଇ ପ୍ରକୃତି ସହ ସଂଯୁକ୍ତ ହେବେ, ଏବଂ ଜୈବ ବିବିଧତାର ସଂରକ୍ଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।
-ନୀଳମାଧବ ସାହୁ ଓ େମାହିତ କୁମାର ପାତ୍ର
(ଉଭୟ ଲେଖକ ଅଧୁନା ‘ଭାରତୀୟ ବନ୍ୟଜୀବ ସଂସ୍ଥାନ, ଡେରାଡୁନ୍’ରେ ଗବେଷଣାରତ)

4 days ago
4


