National Education Day: ଆଜି ଜାତୀୟ ଶିକ୍ଷା ଦିବସ, ଜାଣନ୍ତୁ ମୌଲାନା ଆବୁଲ କଲାମ ଆଜାଦଙ୍କ ଚିନ୍ତାଧାରା କିପରି ବଦଳାଇଥିଲା ଦେଶର ଶିକ୍ଷା ବ୍ୟବସ୍ଥା...

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଆଜି ନଭେମ୍ବର ୧୧ ତାରିଖ। ସାରା ଦେଶରେ ପାଳନ କରାଯାଉଛି ଜାତୀୟ ଶିକ୍ଷା ଦିବସ। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନକୁ ମନେ ପକାଇ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ। ଦେଶର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ତାଙ୍କର ବଡ଼ ଅବଦାନ ରହିଛି। ୧୯୪୭ରୁ ୧୯୫୮ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ।

ତାଙ୍କର ଅବଦାନକୁ ମନେ ପକାଇବା ପାଇଁ ୨୦୦୮ ମସିହାରେ ତତ୍କାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୧୧କୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ- Israel: ଶତ୍ରୁ ଶିବିରରେ କମ୍ପନ: ଇସ୍ରାଏଲର ସବୁଠୁ ମାରାତ୍ମକ କ୍ରୁଜ୍ ମିସାଇଲ୍ ''ସୁପର୍ ଆଇସ୍'' ଅନାବୃତ

ମୌଲାନା ଆଜାଦଙ୍କ ମତରେ ଶିକ୍ଷା କେବଳ ପାଠ ପଢ଼ିବା ଓ ଲେଖିବା ଶିଖିବା ନୁହେଁ। ଏହା ଦେଶର ବିକାଶ, ବୈଜ୍ଞାନିକ ଚିନ୍ତାଧାରା ଓ ସମାଜର ଉନ୍ନତିର ମୂଳ ଆଧାର। ସେ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, ମହିଳା ଶିକ୍ଷା, ବୃତ୍ତିଗତ ଶିକ୍ଷା ଏବଂ ପ୍ରାଥମିକ ସ୍ତରରେ ମାତୃଭାଷାରେ ପାଠପଢ଼ା ଉପରେ ଗୁରୁତ୍ୱ ଦେଉଥିଲେ।

ମୌଲାନା ଆଜାଦଙ୍କ ଶିକ୍ଷା ଦୃଷ୍ଟିକୋଣ କ’ଣ ଥିଲା?

ମୌଲାନା ଆଜାଦ ଚାହୁଥିଲେ ଯେ ଦେଶର ପ୍ରତ୍ୟେକ ପିଲା ଶିକ୍ଷା ପାଇବାର ସୁଯୋଗ ପାଉ। ଧନୀ ହୁଅନ୍ତୁ କି ଗରିବ, ପୁଅ ହୁଅନ୍ତୁ କି ଝିଅ, ସମସ୍ତଙ୍କ ପାଇଁ ଶିକ୍ଷାର ସମାନ ସୁଯୋଗ ରହିବା ଦରକାର ବୋଲି ସେ ବିଶ୍ୱାସ କରୁଥିଲେ।

ଏହାସହିତ ଉଚ୍ଚଶିକ୍ଷା, ବିଜ୍ଞାନ ଓ ବୈଷୟିକ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଆଧୁନିକ ଜ୍ଞାନ ସହ ଭାରତୀୟ କଳା, ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ତାଙ୍କ ଲକ୍ଷ୍ୟ ଥିଲା। ତାଙ୍କର ଏହି ଚିନ୍ତାଧାରା ଆଜି ମଧ୍ୟ ଦେଶର ଶିକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳେ।

ମୌଲାନା ଆଜାଦଙ୍କ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇଥିବା ୬ଟି ପ୍ରମୁଖ ଅନୁଷ୍ଠାନ

୧. ଆଇଆଇଟି ଖଡ଼ଗପୁର
ପଶ୍ଚିମବଙ୍ଗର ହିଜଲି ଜେଲ୍‌ ପରିସରରେ ୧୯୫୦ ମସିହା ମେ ମାସରେ ଏହାର ସ୍ଥାପନା ହୋଇଥିଲା। ୧୯୫୧ ଅଗଷ୍ଟ ୧୮ ତାରିଖରେ ମୌଲାନା ଆଜାଦ ଏହାର ଔପଚାରିକ ଉଦ୍‌ଘାଟନ କରିଥିଲେ। ଏହା ଦେଶର ପ୍ରଥମ ଆଇଆଇଟି। ଉଚ୍ଚ ବୈଷୟିକ ଶିକ୍ଷା ଓ ଶିଳ୍ପ କ୍ଷେତ୍ରର ବିକାଶରେ ଏହି ଅନୁଷ୍ଠାନର ବଡ଼ ଭୂମିକା ରହିଛି।

୨. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)
ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷାର ମାନ ବଜାୟ ରଖିବା ଏବଂ ଉଚ୍ଚଶିକ୍ଷାର ବିକାଶ ପାଇଁ ୧୯୫୩ ଡିସେମ୍ବର ୨୮ ତାରିଖରେ ମୌଲାନା ଆଜାଦ ଏହାର ଉଦ୍‌ଘାଟନ କରିଥିଲେ। ପରେ ୧୯୫୬ ମସିହାରେ ସଂସଦର ଆଇନ ଅନୁସାରେ ଏହାକୁ ଆଇନଗତ ମାନ୍ୟତା ମିଳିଥିଲା।

୩. ସଙ୍ଗୀତ ନାଟକ ଏକାଡେମୀ
୧୯୫୩ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ ଭାରତୀୟ ସଙ୍ଗୀତ, ନୃତ୍ୟ ଓ ନାଟକର ବିକାଶ ଏବଂ ସୁରକ୍ଷା ପାଇଁ କାମ କରୁଛି। ଶିକ୍ଷା ସହିତ ଦେଶର କଳା ଓ ସଂସ୍କୃତିକୁ ମଧ୍ୟ ଗୁରୁତ୍ୱ ଦେବା ମୌଲାନା ଆଜାଦଙ୍କ ଚିନ୍ତାଧାରାର ଏହା ଏକ ଉଦାହରଣ।

ଆହୁରି ପଢ଼ନ୍ତୁ- NCP: ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ମଧ୍ୟରେ ନିରବତା ଭାଙ୍ଗିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ,

୪. ସାହିତ୍ୟ ଏକାଡେମୀ
ଭାରତୀୟ ଭାଷା ଓ ସାହିତ୍ୟର ବିକାଶ ପାଇଁ ୧୯୫୪ ମାର୍ଚ୍ଚ ୧୨ ତାରିଖରେ ଏହାର ଔପଚାରିକ ଉଦ୍‌ଘାଟନ ହୋଇଥିଲା। ଦେଶର ବିଭିନ୍ନ ଭାଷାର ଲେଖକ ଓ ସାହିତ୍ୟକୁ ଏହି ଅନୁଷ୍ଠାନ ପ୍ରୋତ୍ସାହନ ଦେଇଆସୁଛି।

୫. ଲଳିତ କଳା ଏକାଡେମୀ
ଚିତ୍ରକଳା, ମୂର୍ତ୍ତିକଳା ଓ ଅନ୍ୟାନ୍ୟ ଦୃଶ୍ୟକଳାର ବିକାଶ ପାଇଁ ୧୯୫୪ ଅଗଷ୍ଟ ୫ ତାରିଖରେ ମୌଲାନା ଆଜାଦ ଏହାର ଉଦ୍‌ଘାଟନ କରିଥିଲେ। ଦେଶର କଳାକାରମାନଙ୍କୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

୬. ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)

ଏହି ପରିଷଦର ଆରମ୍ଭ ୧୯୪୫ ମସିହାରେ ହୋଇଥିଲା। ପରେ ୧୯୮୭ ମସିହାରେ ଏହାକୁ ଆଇନଗତ ମାନ୍ୟତା ମିଳିଥିଲା। ଦେଶର ବୈଷୟିକ ଶିକ୍ଷାର ମାନ ବଢ଼ାଇବା ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ଏହି ପରିଷଦ କାମ କରୁଛି।

ମୋଟାମୋଟି ଭାବେ କହିବାକୁ ଗଲେ, ମୌଲାନା ଆବୁଲ କଲାମ ଆଜାଦ କେବଳ ଜଣେ ଶିକ୍ଷାମନ୍ତ୍ରୀ ନଥିଲେ, ବରଂ ଭାରତର ଆଧୁନିକ ଶିକ୍ଷା ବ୍ୟବସ୍ଥାର ଅନ୍ୟତମ ମାର୍ଗଦର୍ଶକ ଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଏକ ଏମିତି ଭାରତ ଗଠନ କରିବା, ଯେଉଁଠି ପ୍ରତ୍ୟେକ ପିଲା ଶିକ୍ଷା ପାଇବାର ସୁଯୋଗ ପାଇବ ଏବଂ ଶିକ୍ଷା ଦେଶର ପ୍ରଗତିର ମାଧ୍ୟମ ହେବ। ତାଙ୍କର ଏହି ଅବଦାନକୁ ମନେ ପକାଇବା ସହ ଶିକ୍ଷାର ଗୁରୁତ୍ୱ ବୁଝିବା ହିଁ ଜାତୀୟ ଶିକ୍ଷା ଦିବସର ମୁଖ୍ୟ ଉଦ୍ଦେଶ୍ୟ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.