ARTICLE AD BOX
ଭୁବନେଶ୍ୱର: ଡାକଘର ଆଉ ସେ ଚିଠି, ଅନ୍ତର୍ଦେଶୀୟ ପତ୍ର, ମନିଅର୍ଡର ଦେବାର ପୁରୁଣା ପ୍ରକୋଷ୍ଠ ହୋଇ ରହିନାହିଁ। ଯୁଗ ସହ ତାଳ ଦେଇ ଯୁବପିଢ଼ିଙ୍କ ଭଳି ଡାକଘର ମଧ୍ୟ ତା’ର ରୂପ ବଦଳେଇଛି। ରଙ୍ଗିନ ପରିବେଶରେ ଯୁବପିଢ଼ି କଫି କପ୍ ହାତରେ ଧରି ବହି ପଢ଼ିବା ସହ ଚେସ୍, କ୍ୟାରମ୍, ଲୁଡ଼ୁ ଭଳି ଇନ୍ଡୋର୍ ଖେଳ ଖେଳିପାରୁଛନ୍ତି। ଏଥିସହ ଆଧାର ସେବା, କେଵାଇସି, ମାଗଣା ଵାଇଫାଇ ଭଳି ଅତ୍ୟାଧୁନିକ ସେବା ଏହି ଆଧୁନିକ ଡାକଘର ପ୍ରଦାନ କରୁଛି। ଏପରିକି ଡାକଘର କାନ୍ଥରେ ଯୁବପିଢ଼ି ନିଜ ଇଚ୍ଛା ମୁତାବକ ଚିତ୍ର, କବିତା ଭଳି ଛୋଟଛୋଟ ଉକ୍ତି ଲେଖି ନିଜ ସୃଜନଶୀଳତାର ପରିପ୍ରକାଶ କରିପାରୁଛନ୍ତି। ଡାକଘରକୁ ନୂତନ ପିଢ଼ିର ପିଲାମାନଙ୍କ ନିକଟରେ ଅଧିକ ପ୍ରାସଙ୍ଗିକ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି। ବିଭାଗର ଏନ୍-ଜେନ୍ ଅଭିଯାନ ଅଧୀନରେ ଡାକଘରଗୁଡ଼ିକୁ ଯୁବପିଢ଼ି ଅନୁକୂଳ କରିବା ପାଇଁ ପ୍ରୟାସ କରାଯାଇଛି।
Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର
ରାଜଧାନୀର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଉପଡାକଘର, ଆଇଆଇଟି ଭୁବନେଶ୍ୱର ଉପଡାକଘର ଓ ସୈନିକ ସ୍କୁଲ ଉପଡାକଘରେ ଏଭଳି ବ୍ୟବସ୍ଥା କରାଯାଇଛି। ସେହିପରି ମୟୂରଭଞ୍ଜର ତାକତପୁର ଉପଡାକଘର, ବଲାଙ୍ଗୀରର ରାଜେନ୍ଦ୍ର କଲେଜ ଉପଡାକଘର, ଭବାନୀପାଟଣା ଇଞ୍ଜିନିୟରିଂ କଲେଜ୍, ବ୍ରହ୍ମପୁର ମେଡିକାଲ କଲେଜ ଉପଡାକଘର, ବୁର୍ଲା ଜ୍ୟୋତିବିହାର ଉପଡାକଘର, ରେଭେନ୍ସା ବିଶ୍ୱବିଦ୍ୟାଳୟ ଉପଡାକଘରେ ମଧ୍ୟ ଏହି ସୁବିଧା ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଡାକଘର ସହିତ ଯୋଡ଼ିବା ସହିତ ବିଭିନ୍ନ ଯୋଜନାଗୁଡ଼ିକ ସହ ସଂଶ୍ଳିଷ୍ଟ କରିହେଉଛି ବୋଲି ପ୍ରଧାନ ଡାକପାଳ ନିର୍ମଳଜିତ୍ ସିଂହ ସୂଚନା ଦେଇଛନ୍ତି। ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ପୂର୍ବରୁ ସଂପର୍କର ସେତୁ ସାଜୁଥିବା ଡାକଘର ଦୁର୍ବଳ ହୋଇଗଲାଣି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବହୁତ ଆଗେଇ ଯାଇଛି। ଯୁବପିଢି ନିଜକୁ ଡିଜିଟାଲ ଇଣ୍ଡିଆରେ ସାମିଲ କରି ମୋବାଇଲ, ଇଣ୍ଟରନେଟ ଜରିଆରେ ସହଜରେ ହଜାର ହଜାର କିଲୋମିଟର ଦୂରତାରେ ରହୁଥିବା ବନ୍ଧୁ ତଥା ସଂପର୍କୀୟଙ୍କ ସହ ଯୋଗାଯୋଗ କରିପାରୁଛନ୍ତି। ସେହି ଯୁବପିଢ଼ିଙ୍କୁ ପୁଣି ଥରେ ଚିଠି ଓ ଡାକଘର ପ୍ରତି ଶ୍ରଦ୍ଧା ଜାଗ୍ରତ କରିବା ପାଇଁ ଆଗକୁ ଆଉ ୫ଟି ଏପରି ଡାକଘର ଖୋଲିବ ବୋଲି ସେ କହିଛନ୍ତି।

1 hour ago
1


