ARTICLE AD BOX
ପ୍ରଜ୍ଞା ନିବେଦିତା ନାୟକ
ଓଡ଼ିଶାରେ ଦଶହରା କଥା ଉଠିଲେ ପ୍ରଥମେ ଯେଉଁ ସହରର ନାଁ ମନକୁ ଆସେ, ତାହା ହେଉଛି କଟକ। ହଜାରେ ବର୍ଷର ସହର କଟକର ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ଏହା ସହରବାସୀଙ୍କ ଭାବନା, ପରମ୍ପରା ଓ ଗୌରବର ଏକ ଅଂଶ। କଟକରେ ଦୁର୍ଗାପୂଜାର ଏକ ସ୍ବାତନ୍ତ୍ର୍ୟ ହେଲା, ଶହ ଶହ ବର୍ଷର ପରମ୍ପରା ଏଠି ସଂଜୀବିତ ହୋଇରହିଛି। ଯଦିଓ ସମୟ ସ୍ରୋତରେ ଆଧୁନିକତା ଓ ଆଡ଼ମ୍ବର ପୂଜା ସହିତ ଯୋଡ଼ି ହୋଇଛି, କିନ୍ତୁ ସ୍ବକୀୟ ପରମ୍ପରା ଓ ରୀତିନୀତିକୁ ବଜାୟ ରଖାଯାଇଛି। ମାଆଙ୍କ ପ୍ରତିମାର ଗଢ଼ଣ ହେଉ ବା ଅଳଙ୍କାର କିମ୍ବା ପୂଜା ପଦ୍ଧତି ହେଉ ବା ଭୋଗ, ଏସବୁକୁ ପୂଜା କମିଟିମାନେ ନିଜସ୍ବ ପରିଚୟ ବିବେଚନା କରି ପରିବର୍ତ୍ତନ କରିନଥାନ୍ତି। ଯେତେବେଳେ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୁଏ, ଦେବୀଙ୍କ ସାମ୍ନାରେ ବାଜୁଥିବା ତେଲିଙ୍ଗି ବାଜାର ମିଠା ଆବାଜ ଚଉଦିଗକୁ ମୁଖରିତ କରିଦିଏ।
Durga puja: ମା’ ଦୁର୍ଗାଙ୍କ ସାମ୍ନାରେ କାନ୍ଦିଲେ କଲ୍ୟାଣ ବାନାର୍ଜୀ, ଭିଡିଓ ଭାଇରାଲ
କେମିତି ବାଜେ ତେଲିଙ୍ଗି
ଏହା ଏକପ୍ରକାର ଢୋଲ ଜାତୀୟ ବାଦ୍ୟ। ଗଠନ ଅନୁସାରେ ଏହାର ଦୁଇପଟେ ଚମଡ଼ା ଲାଗିଥାଏ। ଯେଉଁଥିପାଇଁ ଏଥିରୁ ଗମ୍ଭୀର ଓ ତାଳବାଜା ଭଳି ଦୁମ୍ଦୁମ୍ ଶବ୍ଦ ବାହାରେ। ଏହାକୁ ବଜାଇବା ପାଇଁ ବାଦକ ଦୁଇ ପଟେ ବାଡ଼ିଦ୍ବାରା ଭିନ୍ନ ଭିନ୍ନ ତାଳ ସୃଷ୍ଟି କରନ୍ତି। ଯୋଡ଼ି ମହୁରୀ, ଯୋଡ଼ି ନାଗରା, ଝାଞ୍ଜ ଆଦି ଅନ୍ୟ ବାଦ୍ୟ ସହିତ ମିଶି ଏହାର ଶବ୍ଦ ଏକ ସୁନ୍ଦର ସଙ୍ଗୀତମୟ ପରିବେଶ ସୃଷ୍ଟି କରେ। ଯାଜପୁରଜିଲ୍ଲା ତେନ୍ତୁଳିମାଳ ଅଞ୍ଚଳର ମୂଳନିବାସୀ ତଥା କଟକ କାଠଗଡ଼ା ସାହିର ବାସିନ୍ଦା ତେଲିଙ୍ଗି ବାଜା କଳାକାର ମାଷ୍ଟର ଭୀମସେନ କହନ୍ତି, ଏହା ମୋର କୌଳିକ ବୃତ୍ତି। ମୋ ପୂର୍ବଜମାନେ ଏହାକୁ ବଜାଉଥିଲେ। ମାଙ୍ଗଳିକ କାର୍ଯ୍ୟ, ଶକ୍ତି ଆରାଧନା, ଶୋଭାଯାତ୍ରା, ଯଜ୍ଞାନୁଷ୍ଠାନରେ ତେଲିଙ୍ଗି ବାଦ୍ୟକୁ ପ୍ରାଥମିକତା ଦିଆଯାଉଥିଲା। ଏବେ ବି ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରରେ ତେଲିଙ୍ଗି ବାଦ୍ୟର ଆଦର ରହିଛି।
ତେଲିଙ୍ଗି ବାଜା ଓଡ଼ିଆ ସଂସ୍କୃତି, ଖାସ୍ କରି କଟକ ସହ ଗଭୀର ଭାବେ ଜଡ଼ିତ। ଓଡ଼ିଶାର ଏହି ପାରମ୍ପରିକ ଲୋକବାଦ୍ୟ ଗାଁ ଗହଳିରେ ହେଉଥିବା ବିଭିନ୍ନ ପର୍ବପର୍ବାଣି, ଯାତ୍ରା ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ମୋହିନୀ ଢୋଲ, ଯୋଡ଼ି ମହୁରୀ ଓ ଯୋଡ଼ି ଶଙ୍ଖର ସମ୍ମିଶ୍ରଣ ହିଁ ତେଲିଙ୍ଗି ବାଜା। ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଯେପରିକି ବାଳଭୋଗ ବଢ଼ା ହେବା, ଆଜ୍ଞାମାଳ ଦେବା ସମୟରେ ତଥା ରୁକ୍ମଣୀ-କୃଷ୍ଣ ବିବାହ (ମହାପ୍ରଭୁଙ୍କ ବିବାହ ଉତ୍ସବ) ସମୟରେ ଛତି, କାହାଳୀ, ଘଣ୍ଟ ଓ ତେଲିଙ୍ଗି ବାଜା ବଜାଯିବାର ବିଧି ରହିଛି। କଟକଚଣ୍ଡୀ, ଗଡ଼ଚଣ୍ଡୀ ଓ ଅନେକ ଶକ୍ତିପୀଠରେ ତେଲିଙ୍ଗି ବାଜା ବଜାଇବାର ପ୍ରଥା ରହିଛି। ତେବେ ସବୁ ଅଞ୍ଚଳରେ ଏହି ବାଜାର ବ୍ୟବହାର ସମାନ ନୁହେଁ। ଅଞ୍ଚଳର ପରମ୍ପରା ଅନୁସାରେ ଏହାର ବ୍ୟବହାର ବଦଳିପାରେ। କଟକ ହେରିଟେଜ୍ ୱାକସ୍ର ଆବାହକ ଡ. ଦୀପକ ସାମନ୍ତରାୟ କହନ୍ତି, ‘‘ଯଦିଓ କଟକରେ ତେଲିଙ୍ଗି ବାଜାର ଗୁରୁତ୍ବ କମିନି, ତଥାପି ଦୁର୍ଗାମଣ୍ଡପମାନଙ୍କରେ ଏବେ ଧୀରେ ଧୀରେ ଢାକ୍ ଓ ଅନ୍ୟ ରାଜ୍ୟର ପାରମ୍ପରିକ ବାଦ୍ୟର ବ୍ୟବହାର ବଢ଼ିଛି। କିନ୍ତୁ ତେଲିଙ୍ଗି ବାଜା ଓ ଯୋଡ଼ି ନାଗରା ଏବେ ବି କଟକର ଶକ୍ତିପୀଠରେ ଆଳତୀ ସମୟର ମୁଖ୍ୟ ଆକର୍ଷଣ’’।
Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର
କିନ୍ତୁ ଏବେ ଆମ ଦୁର୍ଗାପୂଜା ମଣ୍ଡପରେ ତେଲିଙ୍ଗି ବାଜା ସହିତ ଢାକ୍ ବାଜା ଦେଖିବାକୁ ମିଳୁଛି। ଢାକ୍ ହେଉଛି ବଙ୍ଗବାଦ୍ୟ। ପଶ୍ଚିମବଙ୍ଗରେ ଢାକ୍ର ତାଳ ବିନା ବଙ୍ଗୀୟ ଦୁର୍ଗାପୂଜାର ଆନନ୍ଦ ଯେପରି ଅଧୁରା। ଏହା ବିଶେଷକରି ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବହୁତ ପ୍ରସିଦ୍ଧ। ମା’ଙ୍କ ଆଗମନରୁ ଆରମ୍ଭ କରି ଆଳତି, ଧୁନୁଚି ନୃତ୍ୟ ଓ ବିସର୍ଜନ ପର୍ଯ୍ୟନ୍ତ ଢାକ୍ର ତାଳ ପୂଜାମଣ୍ଡପରେ ଏକ ଭିନ୍ନ ଉତ୍ସାହ ଭରିଦିଏ। ବହୁ ପିଢ଼ି ଧରି ବଙ୍ଗଳାର ଗାଁଗୁଡ଼ିକରେ କିଛି ପରିବାର ଢାକ୍ ବଜାଇବା ଏବଂ ତିଆରି କରିବା କାମ କରିଆସୁଛନ୍ତି। ଯଦିଓ ସେମାନେ ମୁର୍ଶିଦାବାଦ, ବୀରଭୂମ, ବାଙ୍କୁଡ଼ା ଓ ମେଦିନୀପୁର ଅଞ୍ଚଳର ମୂଳ ବାସିନ୍ଦା, ତଥାପି ପୂଜା ସମୟରେ ବିଭିନ୍ନ ରାଜ୍ୟକୁ ଯାଇ ପେଣ୍ଡାଲ୍ରେ ଢାକ୍ ବଜାଇ ଥାଆନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ପଡ଼ୋଶୀ ରାଜ୍ୟ ହୋଇଥିବାରୁ ବଙ୍ଗର ଲୋକସଙ୍ଗୀତ ଓ ପାରମ୍ପରିକ କଳା କେତେକ କ୍ଷେତ୍ରରେ ଓଡ଼ିଶାକୁ ପ୍ରଭାବିତ କରିଛି।
ଢାକ୍ ଓ ଢାକୀ
ଢାକ୍ ହେଉଛି ଏକ ବଡ଼ ଢୋଲ ଭଳି ପାରମ୍ପରିକ ବାଦ୍ୟଯନ୍ତ୍ର। ଢାକ୍ ସାଧାରଣତଃ କାଠ ଓ ଚମଡ଼ାରେ ତିଆରି ହୋଇଥାଏ। ଏହାର ମଝି ଭାଗ କାଠରେ ତିଆରି ହୋଇ ଦୁଇ ପାଖରେ ପଶୁ ଚମଡ଼ା ଛାଉଣି କରାଯାଇଥାଏ। ଏହାକୁ ବଜାଇବା ପାଇଁ ଦୁଇଟି କାଠି ବ୍ୟବହାର କରାଯାଏ। ଢାକ୍କୁ କାନ୍ଧରେ ଝୁଲାଇ ବଜାଇବା ପାଇଁ ଏଥିରେ ଏକ ପଟି ଲାଗିଥାଏ। ପୂଜା ସମୟରେ ଢାକ୍କୁ ଧଳା ପର ଓ କାଶତଣ୍ଡୀ ଫୁଲରେ ସଜାଯାଏ। ଢାକ୍ ବଜାଉଥିବା କଳାକାରଙ୍କୁ ‘ଢାକୀ’ ସମ୍ବୋଧନ କରାଯାଏ। ଢାକୀମାନେ ପିଢ଼ି ପରେ ପିଢ଼ି ଏହି କଳାକୁ ବଞ୍ଚାଇ ରଖିଛନ୍ତି। ଏହା ସେମାନଙ୍କ ଜୀବିକା ଓ ସାଂସ୍କୃତିକ ପରିଚୟ ମଧ୍ୟ। ଢାକ୍ ବଜାଇବା ସମୟରେ ବାଦକମାନେ ବିଭିନ୍ନ ତାଳର ପ୍ରୟୋଗ କରନ୍ତି। ତାଳର ଛନ୍ଦ ଅନୁସାରେ ସେମାନେ ନାଚି ନାଚି ଢାକ୍ ବଜାନ୍ତି। ଢାକ୍ର ପରମ୍ପରାକୁ ବଞ୍ଚାଇ ରଖିବାରେ କେବଳ ଢାକୀମାନଙ୍କର ନୁହେଁ, ଢାକ୍ ତିଆରି କରୁଥିବା କାରିଗରମାନଙ୍କର ମଧ୍ୟ ବଡ଼ ଭୂମିକା ରହିଛି।
ଦୁର୍ଗାପୂଜା ସମୟରେ ଢାକୀମାନଙ୍କ ଚାହିଦା ବଢ଼ିଯାଏ। ଅନେକ କଳାକାର ନିଜ ଅଞ୍ଚଳ ଛାଡ଼ି ବିଭିନ୍ନ ସହରକୁ ଯାଇ ପୂଜାମଣ୍ଡପରେ ଢାକ୍ ବଜାଇଥାନ୍ତି। ଓଡ଼ିଶାରେ ମଧ୍ୟ ପୂଜା ଆୟୋଜକମାନେ ଏହି କଳାକାରଙ୍କୁ ନିୟୋଜନ କରିଥାନ୍ତି। ତେବେ ପର୍ବପର୍ବାଣି ବାହାରେ ସେମାନଙ୍କ ପାଇଁ ନିୟମିତ ରୋଜଗାରର ସୁଯୋଗ ସବୁବେଳେ ରହେନାହିଁ।
Congress meeting: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର କଂଗ୍ରେସ-ସମାଜବାଦୀ ପାର୍ଟିର ଆସନ ବୁଝାମଣା?
ବେଶ୍ କିଛି ବର୍ଷ ହେବ କଟକ ଦୁର୍ଗାପୂଜାରେ ମଧ୍ୟ ଢାକ୍ ବାଦନ ଆଦୃତ ହୋଇଛି। ଏଥିସହ ବାଲେଶ୍ୱର ଭଳି ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ବି ଏହି ବାଦ୍ୟଯନ୍ତ୍ରର ପରମ୍ପରା ଓ ପ୍ରଭାବ ଦେଖିବାକୁ ମିଳିଥାଏ। ଏ ପ୍ରସଙ୍ଗରେ ପୂର୍ବତନ ପ୍ରଶାସକ ତଥା ଏୗତିହ୍ୟ ଗବେଷକ ରାଜା ପରିଜା କହନ୍ତି, ‘‘କଟକରେ ଦୁର୍ଗାପୂଜା ପରମ୍ପରା ୧୬ଶତାବ୍ଦୀରୁ ଏବଂ କଲିକତାରେ ୧୮ଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏବେ କଟକରେ ପୂଜାରେ ପାରମ୍ପରିକ ବାଦ୍ୟ ସହିତ ବାହାର ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ବାଦ୍ୟ ବଜାଯାଉଛି, ବିଶେଷକରି ଭସାଣ ସମୟରେ। କଟକର ଚୂନଭାଟି, ବଙ୍ଗାଳୀ ସାହି, ବାଲୁବଜାର ପରି କିଛି ବେଙ୍ଗଲୀ ମଣ୍ଡପରେ ପ୍ରଥମେ ଢାକ୍ ବାଦ୍ୟର ପ୍ରଚଳନ ହୋଇଥିଲା। କାରଣ ଏହା ସେମାନଙ୍କ ନିଜର ବାଦ୍ୟ। ହେଲେ ଢାକ୍ ସହିତ ମହୁରୀ, ଢୋଲ, ଝାଞ୍ଜ, ଘଣ୍ଟ ଓ ଶଙ୍ଖ ପରି ଓଡ଼ିଶାର ନିଜସ୍ବ ବାଦ୍ୟ ମଧ୍ୟ ବାଜିଥାଏ।’’

1 hour ago
1


