Mayurbhanj: ମୟୂରଭଞ୍ଜରେ ବାଟବଣା ରାଜସ୍ବ ବନ୍ଦୋବସ୍ତ: ୧୦ ବର୍ଷ ହେଲା ଗଡୁଛି ୫ ହଜାର ୩୪୪ ମାମଲା

6 hours ago 2
ARTICLE AD BOX

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରାଜସ୍ବ ବନ୍ଦୋବସ୍ତ ମାମଲା (ସେଟେଲମେଣ୍ଟ ରେଭିନ୍ୟୁ ପିଟିସନ) ଗୁଡ଼ିକ ବର୍ଷାଧିକ କାଳ ବିଚାର ନ ହୋଇ ପଡ଼ିରହିଛି। ଲୋକେ ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ମାତ୍ର ସେମାନଙ୍କ ଦୁଃଖ ଶୁଣିବାକୁ କେହିନାହାନ୍ତି। ଏନେଇ ଜିଲ୍ଲାପାଳଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ଲୋକେ ପ୍ରକାଶ କରିଛନ୍ତି। 

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାରେ ୨୦୧୬ରୁ ୨୦୨୫ ମସିହା ଯାଏଁ, ୧୦ ବର୍ଷ ହେଲା ୫ ହଜାର ୩୪୩ ମାମଲା ଫଇସଲା ହୋଇ ନ ପାରି ପଡ଼ିରହିଛି।  ଜିଲ୍ଲାରେ ରାଜସ୍ବ ବନ୍ଦୋବସ୍ତ ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ କମିସନଙ୍କ ପକ୍ଷରୁ କ୍ୟାମ୍ପକୋର୍ଟ ହୋଇଥାଏ। ଏବେ ମଧ୍ୟ ୧୨୦୩ଟି ମାମଲା କ୍ୟାମ୍ପକୋର୍ଟରେ ରହିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨୬ଟି ତହସିଲକୁ ୪ ହଜାର ୧୪୦ଟି ରାଜସ୍ୱ ବନ୍ଦୋବସ୍ତ ମାମଲା ହସ୍ତାନ୍ତର ହୋଇଛି। ଆଶା ଥିଲା, ତହସିଲରେ ଏହିସବୁ ମାମଲା ତୁରନ୍ତ ଫଇସଲା ହେବ। ହେଲେ ସେମିତି କିଛି ହେଉ ନଥିବା ଦେଖିବାକୁ ମିଳୁଛି।  ତହସିଲକୁ ଗଲେ, ବିଭିନ୍ନ ଆଳ ଦେଖାଇ ରାଜସ୍ୱ ବନ୍ଦୋବସ୍ତ ମାମଲାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ମଝିରେ ମଝିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ କମିସନଙ୍କ ହେଉଥିବା କ୍ୟାମ୍ପକୋର୍ଟରେ କେବଳ ନାମ, ଜମିର ଚୌହଦୀ ଓ ମ୍ୟାପରେ ତ୍ରୁଟି ଥିଲେ ସଂଶୋଧନ ହେଉଛି। ତହସିଲରେ ଫାଇଲ୍‌ଗୁଡିକ ଆଗକୁ ବଢ଼ୁ ନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ ବିଭାଗର ସମୀକ୍ଷା ବୈଠକ ବସୁଛି। ହେଲେ ରାଜସ୍ୱ ବନ୍ଦୋବସ୍ତ ମାମଲାଗୁଡ଼ିକ ଫଇସଲା ନେଇ ସମୀକ୍ଷା ହେଉ ନଥିବାରୁ ତହସିଲଦାରମାନେ ଏହାକୁ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି। ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହି ସବୁ ମାମଲାଗୁଡ଼ିକୁ ଫଇସଲା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି। ସୂଚନା ଅନୁସାରେ, ଜିଲ୍ଲାର ମୋରଡ଼ା, ରାଇରାଙ୍ଗପୁର, ଠାକୁରମୁଣ୍ଡା, ଯଶିପୁର, ବେତନଟୀ, ବଡ଼ସାହି, ବାଙ୍ଗିରିପୋଷି, ତିରିଂ, ରରୁଆଁ, ରାସଗୋବିନ୍ଦପୁର, ବିଶୋଇ, ଉଦଳା, କପ୍ତିପଦା ଆଦି ତହସିଲରେ ଅଧିକ ରାଜସ୍ୱ ବନ୍ଦୋବସ୍ତ ମାମଲା ପଡ଼ିରହିଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ରାଜସ୍ୱ ବନ୍ଦୋବସ୍ତ ମାମଲାଗୁଡ଼ିକର ଫଇସଲା କାମ ତହସିଲରେ ଆରମ୍ଭ ହୋଇଯାଇଛି। ତୁରନ୍ତ ମାମଲାଗୁଡ଼ିକ ଫଇସଲା ହୋଇଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.