ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ବିଜ୍ଞାନ ଯୁଗରେ ବି ଥମୁନି ଅନ୍ଧ ବିଶ୍ବାସ। ଶିକ୍ଷାର ଆଲୋକ ପହଞ୍ଚିଛି। ହେଲେ ମନରୁ ଅନ୍ଧବିଶ୍ୱାସ ଯାଉନି। ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଡାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯାତନା ଏବେ ବି ଚିନ୍ତାଜନକ।ଦୈନିକ 'ସମ୍ବାଦ' ହାତରେ ଥିବା ଏକ୍ସକ୍ଲୁସିଭ୍ ପୁଲିସ ରିପୋର୍ଟ ଅନୁଯାୟୀ ୨୦୨୨ ଜାନୁଆରିରୁ ୨୦୨୬ ମେ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୭୦ରୁ ଅଧିକ ଡାହାଣୀ ମାମଲା ରୁଜୁ ହୋଇଛି। ସେଥିରେ ରହିଛି ୭ଟି ହତ୍ୟା ଘଟଣା।
କରୋନା ପରେ ମାମଲା ବଢିଛି
ପୁଲିସ ତଥ୍ୟ ଅନୁଯାୟୀ କରୋନା ମହାମାରୀ ପରେ ମାମଲା ବଢିଛି। ୨୦୨୨ ମସିହାରେ ୨୭ଟି ମାମଲା ରୁଜୁ ହୋଇଥିଲା। ୨୦୨୩ରେ ୧୨ଟି, ୨୦୨୪ରେ ୧୪ ଟି ଓ ୨୦୨୫-୨୬ରେ ୧୫ଟି ସାମିଲ ରହିଛି। ମୟୂରଭଞ୍ଜଜିଲ୍ଲା ଡାହାଣୀ ମାମଲାରେ ଏକ ନମ୍ବରରେ ଥିବାବେଳେ ତା' ମଧ୍ୟରେ ରାଇରଙ୍ଗପୁର ପୁଲିସ ଜିଲ୍ଲା ସବୁଠୁ ଆଗରେ। ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୧୨ଟି, ଜାମଦା ୧୧ଟି, କରଞ୍ଜିଆ ୯ ଟି, ଯଶିପୁର ୯ ଟି, ବିଶୋଇରେ ୮ ଟି ମାମଲା ଯାହାକୁ ନେଇ ସେହି ଥାନା ଗୁଡ଼ିକ ସବୁଠୁ ସମ୍ବେଦନଶୀଳ। ଗୋରୁମହିଷାଣି, ମହୁଲଡିହା,ରରୁଆଁ ସମେତ ଅନ୍ୟ ଥାନାରେ ମଧ୍ୟ ମାମଲା ରହିଛି କିନ୍ତୁ କମ୍।
ଡାହାଣୀ କହି ବରିଷ୍ଠଙ୍କୁ ହତ୍ୟା
୨୦୨୨ ଜୁଲାଇ ୧୬ରେ ଜାମଦା ଥାନା ଅଞ୍ଚଳରେ ୭୦ ବର୍ଷୀୟା ଗାଙ୍ଗୀ ଜାମୁଡ଼ାଙ୍କୁ ଡାହାଣୀ କହି ଟାଙ୍ଗିଆରେ ହାଣି ହତ୍ୟା, ୨୦୨୨ ଅକ୍ଟୋବର ୧୧ରେ ମହୁଲଡ଼ିହା ଥାନା ବାଉଲାରେ ସୁନା ପୁର୍ତ୍ତିଙ୍କୁ ୩ ଜଣ ମିଶି ପିଟି ପିଟି ହତ୍ୟା, ୨୦୨୨ ଜୁନ୍ ୧୬ରେ ଯଶୀପୁର ପୋଡାଗଡ଼ରେ ୭୫ ବର୍ଷୀୟା ଚମ୍ପାବତୀ ହେମ୍ବ୍ରମଙ୍କୁ ଘରେ ପଶି ହତ୍ୟା, ୨୯ ଏପ୍ରିଲ ୨୦୨୫ରେ ବିଶୋଇ ଥାନା ଜୋଡିଆରେ ଶକ୍ର ହେମ୍ବ୍ରମଙ୍କୁ ହତ୍ୟା ଉଦ୍ୟମ ପ୍ରଭୃତି ବିଭିନ୍ନ ଘଟଣା ଘଟିଛି।
ଫୋନ୍-ଇନ୍-ପ୍ଲିଜ୍: ଅନ୍ଧ ବିଶ୍ବାସରୁ ସ୍କୁଲ ଭାଙ୍ଗିଦେଲେ
ଅନ୍ଧବିଶ୍ବାସ ନେଉଛି ଜୀବନ
ପୁଲିସ ତଦନ୍ତରୁ ଜଣାପଡିଛି ଯେ, ପରିବାରରେ କାହାର ରୋଗ, ପିଲା ନ ହେବା, ଗର୍ଭପାତ, ଫସଲ ନଷ୍ଟ, ଗାଈ କିମ୍ବା ଗୃହ ପାଳିତ ପଶୁ ମରିବାକୁ ଗୁଣିଗାରେଡ଼ି ସହ ଯୋଡ଼ି ଦିଆଯାଉଛି। ଗାଁର ଗୁଣିଆ ବା ଝାଡଫୁଙ୍କିଆ ଯାହାକୁ ଡାହାଣୀ କହୁଛି, ତାକୁ ହିଁ ଟାର୍ଗେଟ କରାଯାଉଛି।
ଅଧିକାଂଶ ଅପରାଧ ୮୦% ମହିଳା, ୪୦ ବର୍ଷ ରୁ ଅଧିକ ବିଧବା ଓ ଅସହାୟ। ଅଭିଯୁକ୍ତ ଅଧିକାଂଶ ପଡୋଶୀ ଓ ନିଜ ସମ୍ପର୍କୀୟଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଧିକାଂଶରେ ଚାର୍ଜସିଟ୍ ହୋଇଛି। ତେବେ ଗୁଣି ଗାରେଡ଼ି ଓ ଅନ୍ଧ ବିଶ୍ବାସକୁ ନେଇ ପୁଲିସ ସମେତ ବିଭିନ୍ନ ସେଚ୍ଛାସେବୀ ସଂସ୍ଥା ପକ୍ଷରୁ ରାପିଡ ରେସପନ୍ସ ଟିମ୍, ହାଟରେ ନାଟକ, ସଚେତନତା କରାଯାଉଛି। ହେଲେ ମଧ୍ୟ ସୁଦୂର ଗାଁରେ ଏବେ ବି ଅନ୍ଧବିଶ୍ୱାସ ରାଜ କରୁଛି।

1 hour ago
2


