ARTICLE AD BOX
ସୁନୀତା ଶତପଥୀ
‘ମାଣିକପାଟଣା’ କୌଣସି ରତ୍ନଦ୍ୱୀପ ନୁହେଁ, କିନ୍ତୁ ଏହାର ଆକର୍ଷଣ, ପ୍ରସିଦ୍ଧି ସମସ୍ତଙ୍କୁ ଅଭିଭୂତ କରିଥାଏ। ଆକ୍ଷରିକ ଅର୍ଥରେ ‘ମାଣିକ’ ଏକ ରତ୍ନ ଓ ‘ପାଟଣା’ ଗ୍ରାମକୁ ଦର୍ଶାଇଥାଏ। କିନ୍ତୁ ପ୍ରକୃତ ପକ୍ଷରେ ‘କାଞ୍ଚି-ଅଭିଯାନ’ କଥନିକାରୁ ‘ମାଣିକପାଟଣା’ ନାମକରଣ ଉତ୍ପନ୍ନ ବୋଲି କୁହାଯାଇପାରେ। ସେଥିପାଇଁ ଫେରିଯିବାକୁ ହୁଏ କଳିଙ୍ଗ ଇତିହାସର ସେଇ ସମୟକୁ, ଯେତେବେଳେ ଶ୍ରୀପୁରୁଷୋତ୍ତମ ଦେବ କ୍ଷମତାସୀନ ହେବା ପାଇଁ ପ୍ରୟାସ କରୁଥିଲେ। ଏହାର କାରଣ ଶ୍ରୀପୁରୁଷୋତ୍ତମଦେବ ଥିଲେ ରାଜା କପିଳେନ୍ଦ୍ରଦେବଙ୍କ ଫୁଲବିବାହୀ ପତ୍ନୀ ପାର୍ବତୀଦେବୀଙ୍କ ଔରସଜାତ ଓ ସର୍ବକନିଷ୍ଠ। ସେଥିପାଇଁ କପିଳେନ୍ଦ୍ରଦେବ ଉତ୍ତରାଧିକାରୀ ଭାବେ ପୁରୁଷୋତ୍ତମଦେବଙ୍କୁ ଚୟନ କରିବା ନିର୍ଣ୍ଣୟକୁ ଅନ୍ୟ ରାଜପୁତ୍ରମାନେ ବିରୋଧ କରିଥିଲେ। ଜ୍ୟେଷ୍ଠପୁତ୍ର ହମ୍ୱୀରଦେବ ନିୟମତଃ ସିଂହାସନ ଆରୋହଣ କରିବା ପାଇଁ ଯୋଗ୍ୟ ଥିଲେ, କିନ୍ତୁ ନିୟତିର ଇଂଗିତ ଭିନ୍ନ ଥିଲା। ଶ୍ରୀପୁରୁଷୋତ୍ତମଦେବ ରାଜ୍ୟ ଶାସନଭାର ଗ୍ରହଣ କରିଥିଲେ ।
Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ
ପିତା କପିଳେନ୍ଦ୍ରଦେବଙ୍କ ସେଇ ନିଷ୍ପତ୍ତି ଜ୍ୟେଷ୍ଠପୁତ୍ର ହମ୍ୱୀରଦେବଙ୍କୁ ଆଘାତ ଦେଇଥିଲା ଏବଂ ପୁରୁଷୋତ୍ତମଦେବଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବାହାମଣୀ ସୁଲତାନ୍ ୩ୟ ମହମ୍ମଦଙ୍କ ସହ ବନ୍ଧୁତ୍ୱ, କଳିଙ୍ଗର ରାଜନୈତିକ, ଐତିହାସିକ ଭିତ୍ତିଭୂମିକୁ ପ୍ରଭାବିତ କରିଥିଲା। ଶକ୍ତିଶାଳୀ ପଡ଼ୋଶୀ ଶତ୍ରୁମାନଙ୍କ ସୁସଂଗଠନ କଳିଙ୍ଗର ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଥିଲା ଏବଂ ଏକଦା ରାଜପୁତ୍ର ହମ୍ୱୀରଦେବଙ୍କ ଦାୟିତ୍ୱରେ ସୁରକ୍ଷିତ ଥିବା ଦାକ୍ଷିଣାତ୍ୟ କ୍ରମଶଃ ଅସୁରକ୍ଷିତ ହେବାରେ ଲାଗିଥିଲା। ଶ୍ରୀପୁରୁଷୋତ୍ତମଦେବଙ୍କ ସିଂହାସନ ମଧ୍ୟ ସୁରକ୍ଷିତ ନ ଥିଲା। ତତ୍କାଳୀନ କଳିଙ୍ଗର ରାଜନୈତିକ ସଂକଟ ବୃଦ୍ଧିର ସୁଯୋଗ ନେଇ ଚନ୍ଦ୍ରଗିରିରେ ଅବସ୍ଥାପିତ ବିଜୟନଗରର ରାଜପ୍ରମୁଖ ଶାଲ୍ୱନରସିଂହ କରମଣ୍ଡଳ ଉପକୂଳସ୍ଥିତ ତାମିଲ୍ ରାଜ୍ୟରେ ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ ଏବଂ ରାଜ୍ମହେନ୍ଦ୍ରୀର ଅପରପାର୍ଶ୍ୱରେ ଶିବିର ସ୍ଥାପନ କରିଥିଲେ। ଆଗତଯୁଦ୍ଧର ଚାପା ପ୍ରତିଧ୍ୱନି ହୁଏତ ଶୁଣିବାକୁ ପାଇଥିଲେ ଜ୍ୟେଷ୍ଠ ରାଜପୁତ୍ର ହମ୍ୱୀରଦେବ ।
ସେଥିପାଇଁ ଅନୁଜ ପୁରୁଷୋତ୍ତମଦେବେ ଓ ହମ୍ୱୀରଦେବଙ୍କ ମଧ୍ୟରେ ବୁଝାମଣା ହେବାପରେ ବିରାଟ ସେନାବାହିନୀ ସହ ରାଜମହେନ୍ଦ୍ରୀକୁ ଆକ୍ରମଣ କରି ଅକ୍ତିୟାର କରିଥିଲେ। ଉଭୟ ରାଜମହେନ୍ଦ୍ରୀ ଓ କୋଣ୍ଡାଭିଡୁ ଉତ୍କଳାଧୀନ ହେଇଥିଲା ଏବଂ ରାଜା ସାଲ୍ୱ ନରସିଂହ ପରାଜିତ ଓ ବନ୍ଦୀ ହୋଇଥିଲେ। ଗଜପତି ପୁରୁଷୋତ୍ତମଦେବଙ୍କ ଏହି ଅଭିଯାନ ରାଜଜେମା ପଦ୍ମାବତୀ, ସାଲ୍ୱନରସିଂହଙ୍କ ସୁପୁତ୍ରୀଙ୍କ ପାଣିଗ୍ରହଣ ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା, କାରଣ ଛେରା ପହଁରା କରୁଥିବା ମହାରାଜାଙ୍କୁ ଦେଖି ଚଣ୍ଡାଳ ବିବେଚନା କରି, ପ୍ରତ୍ୟାଖ୍ୟାନ କରିଥିଲେ ରାଜପୁତ୍ରୀଙ୍କ ପିତା। ପୂର୍ବ ଯୁଦ୍ଧ ପରାଜୟ ସହ ଚଣ୍ଡାଳ ଭାବେ ଅଭିହିତ ହୋଇ ସାଲ୍ୱନରସିଂହ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପୃଷ୍ଠଭୂମିରେ କାଞ୍ଚି-ଅଭିଯାନ କରିବାକୁ ମନସ୍ଥ କରିଥିବା ଗଜପତି ପୁରୁଷୋତ୍ତମ ଦେବ ବିଶ୍ୱବ୍ରହ୍ମାଣ୍ଡର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଆଶିଷ ଭିକ୍ଷା କରିଥିଲେ । ଉତ୍କଳର ଅସମୟରେ ମହାପ୍ରଭୁଙ୍କ ବିନା ସହାୟତାରେ କୌଣସି କଠିନ କାର୍ଯ୍ୟ ସମାପନ ସମ୍ଭବ ନୁହେଁ ବୋଲି ଅବଗତ ଥିଲେ ଗଜପତି ପୁରୁଷୋତ୍ତମଦେବ ।
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା
କୁହାଯାଏ, ଜଗତର ନାଥ ଶ୍ରୀଜଗନ୍ନାଥ, ପ୍ରଭୁବଳଭଦ୍ର ସୈନିକ ବେଶରେ ପୁରୁଷୋତ୍ତମଦେବଙ୍କ ଅଭିଯାନ ପୂର୍ବରୁ କାଞ୍ଚି-ଅଭିମୁଖେ ଯାତ୍ରା କରିବା ସମୟରେ ସମ୍ଭବତଃ ଆଦିପୁରଠାରେ ମାଣିକ ନାମ୍ନୀ ଗଉଡୁଣୀଠାରୁ ଦହିସେବନ କରିଥିଲେ ଏବଂ ରାଜମୁଦ୍ରିକା ଦାନ କରି ଗଜପତିଙ୍କ ଠାରୁ ଅର୍ଥଗ୍ରହଣ କରିବା ପାଇଁ ତାକୁ ପ୍ରବର୍ତ୍ତାଇଥିଲେ। ସରଳ ନାରୀ ମାଣିକ ଅପେକ୍ଷା କରିଥିଲା ଗଜପତିଙ୍କ ଆଗମନକୁ ଏବଂ ସେ ଆସିବା ମାତ୍ରେ ଆପଣା ପ୍ରାପ୍ୟ ପାଇଁ ଗୁହାରି କରିଥିଲା ଏବଂ ବଡ଼ ଠାକୁରଙ୍କ ପ୍ରଦତ୍ତ ରତ୍ନ ମୁଦ୍ରିକାକୁ ମଧ୍ୟ ଦେଖାଇଥିଲା। ବିଚଳିତ ଗଜପତି ପୁରୁଷୋତ୍ତମଦେବ ସେହି ରତ୍ନମୁଦ୍ରିକା ଦେଖିବା ମାତ୍ରେ ହୃଦୟଙ୍ଗମ କରିଥିଲେ ବିଶ୍ୱନିୟନ୍ତା ବଡ଼ ଦେଉଳର ସାଆନ୍ତମାନେ ଯୁଦ୍ଧରେ ସହାୟତା କରିବା ପାଇଁ ସୈନିକ ବେଶରେ ‘କାଞ୍ଚି-ଅଭିଯାନ’ରେ ଯୋଗ ଦେଇଛନ୍ତି। ସେଇ ମୁହୂର୍ତ୍ତରେ ସତେ ଅବା ଯୁଦ୍ଧରେ ବିଜୟ ଲାଭ କରିଥିଲେ ଗଜପତି ଏବଂ ଉଲ୍ଲସିତ ପୁରୁଷୋତ୍ତମଦେବ ମାଣିକଗଉଡୁଣୀର ପ୍ରାପ୍ୟ ସହ ତା’ ଗାଁକୁ ମାଣିକପାଟଣା ନାମରେ ନାମିତ କରିଥିଲେ ବୋଲି କୁହାଯାଏ।
ଏହି ସବୁ ପ୍ରଚଳିତ ‘କାଞ୍ଚି-ଅଭିଯାନ’ କଥନିକାର ଐତିହାସିକ ସତ୍ୟତା ସିଦ୍ଧ କରାଯାଇ ନପାରେ। କିନ୍ତୁ ଇତିହାସ ଓ କିମ୍ୱଦନ୍ତୀ ମଧ୍ୟରେ ଥିବା ପତଳା, ସୂକ୍ଷ୍ମ ଆସ୍ତରଣକୁ ଏଡ଼ାଇ ଦେଖିଲେ ଦୃଶ୍ୟ ହୁଏ ଏକ ଘନିଷ୍ଠ ବନ୍ଧନ, ଯାହା ସେହି ଅଞ୍ଚଳର ସାଂସ୍କୃତିକ ଆବେଗ, ବ୍ୟକ୍ତିସତ୍ତାର ଆସ୍ଥା, ବିଶ୍ୱାସ, ଧର୍ମଭାବନା, ଐଶୀଶକ୍ତି ପ୍ରତି ସମର୍ପିତ ଭାବଧାରା ସହ ଓତପ୍ରୋତ ଭାବେ ଜଡ଼ିତ। ସୁତରାଂ ‘କାଞ୍ଚି-ଅଭିଯାନ’ ପ୍ରସଙ୍ଗରେ ଅମର ହୋଇଛି ମାଣିକ ଏବଂ ତା’ ଗାଁ ମାଣିକପାଟଣା ।
ପ୍ରଭୁ ଜଗନ୍ନାଥଙ୍କ ମହିମାଗାନ କରୁଥିବା ମାଣିକପାଟଣାର ପ୍ରସିଦ୍ଧିର ଅନ୍ୟତମ କାରଣ ସେଠାସ୍ଥିତ ପୁରାତନ ଭାବକୁଣ୍ଡଳେଶ୍ୱର ଶିବମନ୍ଦିର। ୧୩ ଶହ ଶତାଦ୍ଦୀରେ ନିର୍ମିତ ଏବି ମନ୍ଦିର ପୂର୍ବ ଗଙ୍ଗବଂଶଙ୍କର କୀର୍ତ୍ତି ଓ ବୈଷ୍ଣବଧର୍ମ ସହ ଶୈବଧର୍ମ ପ୍ରତି ଥିବା ଅନୁରକ୍ତିକୁ ଦର୍ଶାଏ । ମାଣିକପାଟଣା ଏକଦା ଏକ ଚଳଚଞ୍ଚଳ ବନ୍ଦର ଭାବେ ବେଶ୍ ପ୍ରସିଦ୍ଧ ଥିଲା। ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରୁଥିଲା। ପୂର୍ବେ ଏହା ‘କଳିଙ୍ଗସାଗର’ ବା ‘କଳିଙ୍ଗୋଂଦ୍ରା’ ଭାବେ ସୁପରିଚିତ ସାଗର କୂଳରେ ଏକ ପ୍ରମୁଖ ବନ୍ଦର ଥିଲା। ମାଣିକପାଟଣାର ପ୍ରାଚୀନ ଐତିହ୍ୟର ମୂଲ୍ୟାୟନ ପାଇଁ ପ୍ରତ୍ନତତ୍ତ୍ୱବିଦ୍ ମାନେ ସମୟ ସମୟରେ ସେଠାରେ ଉତ୍-ଖନନ କାର୍ଯ୍ୟ ସଂପାଦନା କରିଛନ୍ତି ଏବଂ ଏହି ସଂକ୍ରାନ୍ତରେ ଅନେକ ତଥ୍ୟ, ବସ୍ତୁ ଆଦି ଲାଭ କରିଛନ୍ତି । ସେଥିପାଇଁ ମାଣିକପାଟଣାର ପ୍ରତ୍ନତାତ୍ତ୍ୱିକ ବିଭବ ସମ୍ପର୍କରେ ସାମାନ୍ୟ ଆଲୋଚନା ବା ଆଲୋକପାତ କରାଯିବା ଜରୁରି ମନେହୁଏ ।
‘ମାଣିକପାଟଣା’କୁ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରିବା ସକାଶେ କିଛି ସମ୍ଭାବ୍ୟ ସ୍ଥାନରେ ଉତ୍ଖନନ କରାଯାଇଛି ଏବଂ ସେଥିରୁ ଉପଲବ୍ଧ ଚୀନଦେଶର ପାତ୍ର, ଇଣ୍ଡୋନେସିଆର ମାଟି ଓ ବ୍ରୋଞ୍ଜ ନିର୍ମିତ ମୂର୍ତ୍ତି, କୁଶାଣ କାଳର ମୁଦ୍ରାଠାରୁ ଆରମ୍ଭ କରି ବ୍ରିଟିଶ୍ ଶାସନ ସମୟର ଅନେକବସ୍ତୁ ପ୍ରମାଣ କରେ ଯେ ସେଠାର ବନ୍ଦର ୧ମ ଶତାଦ୍ଦୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା। ସେହିପରି ଖରୋଷ୍ଟ୍ରୀଲିପି ସନ୍ନିହିତ ଖପରା ଟେରାକୋଟା, ମଧ୍ୟପ୍ରାଚ୍ୟ ମାଟିଚିଜ, ଘୂର୍ଣ୍ଣାୟମାନ ଯନ୍ତ୍ର, ରୋମାନ୍-ଜାର ଆଦି ମାଣିକପାଟଣାକୁ ପ୍ରାଚୀନ ନୌବାଣିଜ୍ୟ କେନ୍ଦ୍ର ଓ ବନ୍ଦର ଭାବେ ପରିଚୟ ଦିଏ । ‘ମାଣିକପାଟଣା’ରୁ ଆବିଷ୍କୃତ ଚିଜମାନଙ୍କ ମଧ୍ୟରେ ପଥରଲଙ୍ଗର ଉଲ୍ଲେଖନୀୟ। ଏହି ଲଙ୍ଗର ବିଭିନ୍ନ କିସମର ସମୁଦ୍ର ଶଯ୍ୟାକୁ ସାମ୍ନା କରିବାକୁ ବ୍ୟବହୃତ ହୁଏ। ଏକ ଦିଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାପ୍ରାପ୍ତ କ୍ଷେତ୍ର ଭାବରେ ଏହାର ମାନ୍ୟତା ତଥା ପ୍ରାଚୀନ ଭାବକୁଣ୍ଡଳେଶ୍ୱର ମନ୍ଦିର ହେତୁ ମହାଶମ୍ଭୁଙ୍କର ଆଶୀର୍ବାଦ ପ୍ରାପ୍ତ ସ୍ଥାନ ଭାବରେ ଏହାର ପ୍ରସିଦ୍ଧି ସହ ଇସ୍ଲାମ ବିଶ୍ୱାସର ପ୍ରତୀକ ଭାବେ ଦଣ୍ଡାୟମାନ ମସଜିଦ୍ ମାଣିକପାଟଣାର ଅସାଧାରଣ ବିଶେଷତ୍ୱକୁ ପ୍ରତିପାଦିତ କରେ। ‘ମାଣିକପାଟଣା’ ର ପ୍ରତ୍ନତାତ୍ତ୍ୱିକ ବିଶେଷତ୍ୱ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ତାହା ଜନସାଧାରଣଙ୍କ ନିକଟରେ ଅଳ୍ପ ପରିଚିତ । ପ୍ରାଚୀନ ଐତିହ୍ୟ ସଂସ୍କୃତି ପ୍ରତି ବୀତସ୍ପୃହ ଭାବ ଓ ସଚେତନତାର ଅଭାବ ଏବଂ ସର୍ବୋପରି ଅନେକ କଷ୍ଟସାଧ୍ୟ ପ୍ରୟାସ ଦ୍ୱାରା ଉପଲବ୍ଧ ବିଭିନ୍ନ ପୁରାତନ ସାମଗ୍ରୀମାନ ସଂଗ୍ରହାଳୟରେ ସଂରକ୍ଷିତ ଥିଲେ ବି ସେସବୁ ଜନସାଧାରଣଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରୁନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମାଣିକପାଟଣାକୁ ସୁରକ୍ଷିତ ରଖିଥାଉ ଏବଂ ମାଣିକର ଗାଁ ଭାବେ ବଞ୍ଚିରହୁ ଅନନ୍ତକାଳଯାଏଁ, ତା’ର ନବକଳେବର ହେଉ ଓ ପୁଣିଥରେ ଏକ ବିକଶିତ ଚଳଚଞ୍ଚଳ ବନ୍ଦର ଭାବେ ତାହା କାର୍ଯ୍ୟକ୍ଷମ ହେଉ।
ଅତିରିକ୍ତ ମହାସମୀକ୍ଷକ ସମବାୟ ସମିତି ସମୂହ (ଓ)
ତୋଷାଳୀ ଭବନ, ଭୁବନେଶ୍ୱର -୭

52 minutes ago
1


