ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଆହୁରି ଲକ୍ଷାଧିକ ଲୋକ ଭତ୍ତା ଅପେକ୍ଷାରେ ରହିଛନ୍ତି। ଭତ୍ତା ପାଇବା ପାଇଁ ସେମାନେ ଆବେଦନ କରିଥିଲେ ହେଁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ନିକଟରେ ଆଉ ସଂଖ୍ୟା ଖାଲି ନାହିଁ। କିଛିମାସ ତଲେ ମଧୁବାବୁ ପେନ୍ସନ୍ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ଆବେଦନକାରୀଙ୍କୁ ଆସନ୍ତା ଅକ୍ଟୋବର ମାସ ବେଳକୁ ଭତ୍ତା ମିଳିପାରେ ବୋଲି ସୂଚନା ମିଳିଛି।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ
ସୂଚନାଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଭତ୍ତା ପାଇଁ ଆଉ ୪ଲକ୍ଷ ୬୩ହଜାର ୩୧୩ଜଣ ଆବେଦନ କରିଛନ୍ତି। ଏଥିରେ ୮୦ବର୍ଷରୁ ଅଧିକ ୨୩୮୮ଜଣ, ୬୦-୭୯ବର୍ଷ ଭିତରେ ୪ଲକ୍ଷ ୨୬ହଜାର ୪୩୮ଜଣ ଓ ୩୪ହଜାର ୪୮୭ଜଣ ହେଉଛନ୍ତି ଭିନ୍ନକ୍ଷମ। ୮୦ବର୍ଷ ଅଧିକ ଆବେଦନକାରୀଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୨୩, ଯାଜପୁର ୨୬୧, କଟକ ୨୧୦, ମୟୂରଭଞ୍ଜ ୧୭୫, ବଲାଙ୍ଗୀର ୧୬୦ ଓ ଅନୁଗୁଳର ୧୨୦ଜଣ ବ୍ୟକ୍ତି ରହିଛନ୍ତି। ସେହିପରି ଭିନ୍ନକ୍ଷମ ଆବେଦନକାରୀଙ୍କ ଭିତରେ ବାଲେଶ୍ବର ୩୮୦୨, ସୁନ୍ଦରଗଡ଼ର ୩୨୯୦, ନୟାଗଡ଼ ୩୧୬୨, ଯାଜପୁର ୨୩୮୯, ଗଞ୍ଜାମ ୨୦୪୩, କେନ୍ଦୁଝର ୨୦୧୦ ଓ ଖୋର୍ଦ୍ଧାରୁ ୧୬୪୮ଜଣ ଅଛନ୍ତି। ୬୦-୭୯ବର୍ଷର ଭତ୍ତା ପାଇଁ ଗଞ୍ଜାମର ସର୍ବାଧିକ ୪୭ହଜାର ୫୯୬ଜଣ ଅପେକ୍ଷାରେ ରହିଛନ୍ତି।
ଅକ୍ଟୋବର ପରେ ମଧୁବାବୁ ପେନ୍ସନ୍ରେ ସାମିଲ ହୋଇପାରନ୍ତି
କେନ୍ଦ୍ର, ରାଜ୍ୟ ଯୋଜନାରେ ୮୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟା ୩.୮୪ଲକ୍ଷ
ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭତ୍ତା ପାଇଁ ଆବେଦନ କରିବାର ୧ମାସ ଭିତରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ଦିଆଯାଏ। ମଧୁବାବୁ ପେନ୍ସନ୍ ପାଇଁ ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଧାର୍ଯ୍ୟ କରିଛନ୍ତି। ଏହାଠାରୁ ଅଧିକ ବ୍ୟକ୍ତିଙ୍କୁ ଭତ୍ତା ଦିଆଯାଇପାରିବ ନାହିଁ। ଏହି ସଂଖ୍ୟାରେ ଖାଲି ହେଲେ ହିଁ ଜଣେ ବ୍ୟକ୍ତି ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇପାରିବେ। ଯେହେତୁ ମଧୁବାବୁ ପେନ୍ସନ୍ର ପରିସର ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ତେଣୁ ଆସନ୍ତା ଅକ୍ଟୋବର ମାସ ବେଳକୁ ଆବେଦନ କରିଥିବା ସମସ୍ତ ଯୋଗ୍ୟଙ୍କୁ ଭତ୍ତା ପ୍ରଦାନ କରାଯିବ। ଉଲ୍ଲେଖ ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍ଏସ୍ଏପି) ଯୋଜନାରେ ରାଜ୍ୟରେ ୨୦ଲକ୍ଷ ୩୩ହଜାର ୯୫୯ଜଣ ଭତ୍ତା ପାଉଛନ୍ତି। ଏହାସହ ମଧୁବାବୁ ପେନ୍ସନ୍ ଯୋଜନାରେ ୩୬ଲକ୍ଷ ୭୫ହଜାର ୮ଜଣଙ୍କୁ ଭତ୍ତା ଦିଆଯାଉଛି। ରାଜ୍ୟ ସରକାରଙ୍କ ଯୋଜନାରେ ବୟସ୍କ, ଭିନ୍ନକ୍ଷମ, ଏଚ୍ଆଇଭି ଆକ୍ରାନ୍ତ, କୋଭିଡ୍ରେ ଅନାଥ ଓ ବିଧବା, ବିବାହ ବିଚ୍ଛେଦ କିମ୍ବା ନିରାଶ୍ରୟ ବ୍ୟକ୍ତି ସାମିଲ ଅଛନ୍ତି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ଭତ୍ତା ପାଉଥିବା ୮୦ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ହେଉଛି ୩ଲକ୍ଷ ୮୪ହଜାର ୨୭୩। ଏଥିପାଇଁ ସମୁଦାୟ ୧୩୪କୋଟି ୪୯ଲକ୍ଷ ୫୫ହଜାର ୫ଶହ ଟଙ୍କା ପ୍ରଦାନ କରାଯାଉଛି।

1 hour ago
2


