ARTICLE AD BOX
ଭୁବନେଶ୍ବର: ଶ୍ରାବଣ ମାସ ପ୍ରଥମ ସୋମବାର। ପ୍ରାୟ ୧୫ରୁ ୨୦ ହଜାର କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିବା ପାଇଁ ଖୁବ୍ ଭକ୍ତିଭାବ ଓ ଉତ୍ସାହର ସହ ସିଂହଦ୍ବାର ସମ୍ମୁଖରେ ରାତିରୁ ଧାଡ଼ିବାନ୍ଧି ଅପେକ୍ଷା କରିଥିଲେ। ମାତ୍ର ଭୋର୍ରେ ଦେଖାଗଲା ନୀତି ବିଭ୍ରାଟ। ପୂଜାପଣ୍ଡା ଓ ବଡ଼ୁ ସେବାୟତ ମଧ୍ୟରେ ଲାଗିରହିଥିବା ଗୋଷ୍ଠୀ ବିବାଦ ପାଇଁ ପୂଜାପଣ୍ଡା ସେବାୟତମାନେ ମନ୍ଦିରକୁ ଆସିଲେ ନାହିଁ। ତେଣୁ ଧାର୍ଯ୍ୟ ସମୟରେ ମଙ୍ଗଳ ଆଳତି ହୋଇପାରିଲା ନାହିଁ କି କାଉଡ଼ିଆମାନେ ଜଳଲାଗି କରିପାରିଲେ ନାହିଁ। ବହୁ ଦୂର ଚାଲିଚାଲି କ୍ଲାନ୍ତ ହୋଇପଡ଼ିଥିବା ହଜାର ହଜାର ମାନସିକଧାରୀ ଧାଡ଼ିରେ ଠିଆ ହୋଇ ଯନ୍ତ୍ରଣାରେ କଲବଲ ହେଲେ। ଏହାକୁ ନଜରରେ ରଖି ବଡ଼ୁ ସେବାୟତମାନେ ଆଉ ପୂଜାପଣ୍ଡାଙ୍କୁ ଅପେକ୍ଷା ନକରି ବିନା ମଙ୍ଗଳ ଆଳତିରେ ଠାକୁରଙ୍କ ଅବକାଶ ନୀତି କରାଇଲେ। ପରେପରେ ସାହାଣମେଲା ଦର୍ଶନ ଓ କାଉଡ଼ିଆଙ୍କ ଜଳଲାଗି ଆରମ୍ଭ ହେଲା। କିନ୍ତୁ କଥା ସେତିକିରେ ଅଟକି ନଥିଲା। ବିନା ମଙ୍ଗଳ ଆଳତିରେ ସାହାଣମେଲା ଦର୍ଶନ ଓ ଜଳଲାଗି ହୋଇଥିବାରୁ ନୀତି ମାରା ହୋଇଥିଲା ଏବଂ ଦୁଇ ଦୁଇଥର ମହାସ୍ନାନ କରାଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ତମ୍ବା କୁଣ୍ଡ ଦାନ ଅର୍ଥକୁ ନେଇ ଉପୁଜିଥିବା ଏହି ବିବାଦ ଯୋଗୁଁ ଆଜି ୧୫ହଜାର କାଉଡ଼ିଆ ଯନ୍ତ୍ରଣାର ଶିକାର ହେଲେ। ତେବେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବେଗ ପ୍ରକାଶ କରିବା ପରେ ବିବାଦର ଏକ ଅସ୍ଥାୟୀ ସମାଧାନ ହୋଇଛି।
Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ
ଶ୍ରାବଣର ପ୍ରଥମ ସୋମବାରରେ କାଉଡ଼ିଆ କଲବଲ
ତମ୍ବାକୁଣ୍ଡ ଦାନ ଅର୍ଥକୁ ନେଇ ଗୋଷ୍ଠୀ ବିବାଦ
ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଏହି ବିବାଦ କିଛି ବର୍ଷ ତଳର। କାଉଡ଼ିଆମାନେ ତମ୍ବାକୁଣ୍ଡରେ ପକାଉଥିବା ଦାନ ଅର୍ଥକୁ ବଡ଼ୁ ସେବାୟତମାନେ ପାଇବାକୁ ଦାବି କରୁଥିଲେ ଏବଂ ପୂଜାପଣ୍ଡା ସେବାୟତମାନେ ଏହାକୁ ବିରୋଧ କରୁଥିଲେ। ଟ୍ରଷ୍ଟ ବୋର୍ଡ ତଥା ମନ୍ଦିର ପ୍ରଶାସନ ଏହି ବିବାଦର ସମାଧାନ କରିବାରେ ବିଫଳ ହେବାରୁ ମାମଲା କୋର୍ଟକୁ ଯାଇଥିଲା। ଏବେ ବଡ଼ୁ ସେବାୟତମାନେ ତମ୍ବାକୁଣ୍ଡ ଦାନ ପାଉଣାରୁ ଭାଗ ପାଉଛନ୍ତି। କିନ୍ତୁ ବିବାଦର ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଆଜି ପୂଜାପଣ୍ଡା ସେବାୟତମାନେ ନିର୍ଘଣ୍ଟ ସମୟ ସାରଣୀରେ ମନ୍ଦିରକୁ ଆସିନଥିଲେ। ଫଳରେ ମଙ୍ଗଳ ଆଳତି ବିଳମ୍ବ ହୋଇଥିଲା। ଏଣେ ଲମ୍ବା ଧାଡ଼ିରେ ଗୋଡ଼ ଭାଙ୍ଗି ଠିଆ ହୋଇଥିବା କାଉଡ଼ିଆମାନଙ୍କ ଯନ୍ତ୍ରଣାକୁ ଦୃଷ୍ଟିରେ ରଖି ବଡ଼ୁ ସେବାୟତମାନେ ଜଳଲାଗି ବ୍ୟବସ୍ଥା କରିଦେଲେ। ଏହା ଦ୍ବାରା ମନ୍ଦିରର ନୀତି ମାରା ହେଲା ବୋଲି ପୂଜାପଣ୍ଡା ସେବାୟତମାନେ ଅଭିଯୋଗ କଲେ। ଫଳରେ ମନ୍ଦିରର ଅନ୍ୟାନ୍ୟ ନୀତିକାନ୍ତି ସବୁ ବନ୍ଦ ହୋଇଗଲା। ଆଜି ଭଳି ପବିତ୍ର ଦିନରେ ଲିଙ୍ଗରାଜ ମନ୍ଦିରରେ ଚାଲିଥିବା ଏଭଳି ନୀତି ବିଭ୍ରାଟ ସମଗ୍ର ରାଜଧାନୀରେ ଆଲୋଚନାର ପ୍ରସଙ୍ଗ ପାଲଟିଗଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ବାବୁ ସିଂ ମନ୍ଦିର ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡ଼ିଥିଲେ। ସକାଳ ୧୦ଟାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଲା। ବିଧାୟକ ଶ୍ରୀ ସିଂ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ଭାରିମଲ୍ଲ, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ମହାସୁଆର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ନୀତି ବିଭ୍ରାଟ ଓ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀ ୪/୫ ଦିନରେ ଟ୍ରଷ୍ଟ ବୋର୍ଡ ବୈଠକ କରାଯିବ ଏବଂ ଏହି ବିବାଦର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ପୂଜାପଣ୍ଡା ନିଯୋଗ ସେବାୟତ ମନ୍ଦିରରେ ନୀତି କରିବାକୁ ଆସିଥିଲେ। ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ହେଲା ଏବଂ ମହାସ୍ନାନ କରାଯାଇ ମଙ୍ଗଳ ଆଳତି କରାଗଲା। ଏହାପରେ ପୁଣି ମହାସ୍ନାନ କରାଯାଇ ବେଶ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ
ବିଧାୟକ ଶ୍ରୀ ସିଂ କହିଛନ୍ତି ଯେ ଆଜିର ଘଟଣା ଭକ୍ତଙ୍କ ଭାବାବେଗ ଉପରେ କୁଠାରାଘାତ ସଦୃଶ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୈଠକ କରାଯାଇଥିଲା ଏବଂ ଆସନ୍ତା ସୋମବାର ପୂର୍ବରୁ ଏହି ବିବାଦର ସମାଧାନ ହୋଇଯିବ। ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି ଯେ ପୂର୍ବରୁ ତାଙ୍କ ଗୋଷ୍ଠୀକୁ ତମ୍ବାକୁଣ୍ଡ ଦାନ ପାଉଣା ମିଳୁଥିଲା। ପରେ ଏହାକୁ ବନ୍ଦ କରାଗଲା। ଶ୍ରାବଣ ପାଉଣାରୁ ଅଧା ନେବା ପାଇଁ ସେମାନେ ୧୯୯୧ ମସିହରୁ ଦାବି କରି ଆସୁଛନ୍ତି। କିନ୍ତୁ ଅପରପକ୍ଷ କୋର୍ଟକୁ ଯାଇ ପାଉଣା ବନ୍ଦ କରାଇଥିଲେ। ୨୦୨୪ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବଡ଼ୁ ସେବାୟତଙ୍କୁ ପାଉଣା ମିଳୁନଥିଲା। ଏବେ ପାଉଣା ପାଇବାରୁ ପୂଜାପଣ୍ଡା ସେବାୟତମାନେ ଏଭଳି ବିଭ୍ରାଟ କରାଇଛନ୍ତି। ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡାଙ୍କ କହିବା କଥା ଠାକୁରଙ୍କୁ ସମର୍ପଣ କରାଯାଉଥିବା ଟଙ୍କାରେ କେବଳ ମନ୍ଦିର ପ୍ରଶାସନର ହକ୍। ଅନ୍ୟମାନେ କାହିଁକି ନେବେ ବୋଲି ସେ କହିଥିଲେ। ଯଦି ସେମାନେ ସମର୍ପଣ ପାଉଣାରୁ ଭାଗ ପାଇବେ, ପୂଜାପଣ୍ଡା ସେବାୟତ କାହିଁକି ରାତି ୩ଟାରୁ ଆସି ନୀତି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଗତକାଲି ଅର୍ଥାତ୍ ରବିବାର ଏନେଇ ବୈଠକ ହୋଇଥିଲେ ହେଁ କଥା ଛିଡ଼ି ନଥିଲା।

1 hour ago
1


