ARTICLE AD BOX
ଇସଲାମାବାଦ: ପାକିସ୍ତାନର ଇସଲାମାବାଦରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜଣେ ବରିଷ୍ଠ କମାଣ୍ଡର କାରି ସଇଦ୍ ଅବଦୁଲ ଅଜିଜ୍ର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଅଗଷ୍ଟ ୯ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସେ ଇସଲାମାବାଦର କୁବା ମସଜିଦରେ ନମାଜ ପଢ଼ିବା ପାଇଁ ପହଞ୍ଚିବା ପୂର୍ବରୁ ଏକ ଅପରିଚିତ ଖାଦ୍ୟ ଦୋକାନରେ ଖାଦ୍ୟ ଖାଇଥିଲେ। ପରେ ମସଜିଦର ପ୍ରବେଶଦ୍ବାର ନିକଟରେ ହଠାତ୍ ଅଚେତ ହୋଇପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତୁରନ୍ତ ଜଣାପଡ଼ିନାହିଁ।
କାରି ସଇଦ୍ ଅବଦୁଲ ଅଜିଜ୍ ଲସ୍କର-ଏ-ତୋଇବାର ଏକ ବିଭାଗର ଦାୟିତ୍ବରେ ଥିଲା। ଜମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀ ସହ ସଂଘର୍ଷରେ ନିହତ ଲସ୍କର ସଦସ୍ୟଙ୍କ ପରିବାରକୁ ସହାୟତା ଯୋଗାଇବା ତା’ ବିଭାଗର କାମ ଥିଲା। କାରି ସଇଦ୍ ଅଜିଜ୍ର ମୃତ୍ୟୁ ଏପରି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନରେ ଲସ୍କର-ଏ-ତୋଇବାର ଏକାଧିକ ସଦସ୍ୟଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି।
କିଛି ଦିନ ପୂର୍ବରୁ ଲସ୍କର ସହ ସମ୍ପୃକ୍ତ ରିଜୱାନ୍ ହନିଫ୍ ଏକ ଭିଡିଓରେ ଦାବି କରିଥିଲା ଯେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଗତ ୩ରୁ ୪ ବର୍ଷ ମଧ୍ୟରେ ତାଙ୍କ ସଂଗଠନର ୩୦ରୁ ଅଧିକ ସଦସ୍ୟଙ୍କୁ ‘ଅଜଣା ବ୍ୟକ୍ତି’ ହତ୍ୟା କରିଛନ୍ତି। ପେଶାୱାର, କରାଚୀ, ରାୱଲପିଣ୍ଡି, ରାୱଲାକୋଟ୍ ଓ ମୁଜାଫରାବାଦ୍ ଭଳି ସ୍ଥାନରେ ଏଭଳି ଘଟଣା ଘଟିଥିବା ଦାବି କରାଯାଇଛି।

1 hour ago
3


