Landslides: ରାୟଗଡ଼ାରେ ଭୂସ୍ଖଳନ ବଢ଼ାଇଲା ପଥଚାରୀଙ୍କ ଚିନ୍ତା

4 days ago 4
ARTICLE AD BOX

ଗୁଡ଼ାରି (ମକରଧ୍ଵଜ କାଦମ୍ବାଲୁ): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାଗୁଡ଼ାରି ଅଞ୍ଚଳର ପାହାଡ଼ିଆ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ପ୍ରବଳ ବର୍ଷା ଫଳରେ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ଅନେକ ଗାଁକୁ ଯାତାୟାତ ଏକପ୍ରକାର ଠପ ହୋଇଯାଇଛି।ଗୁଡ଼ାରି ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ସୁକୁଡ଼ୁବାଜୁ ଗାଁକୁ ଯିବା ରାସ୍ତାରେ ଏଭଳି ଅଘଟଣ ଘଟିଛି। 

ପେଣ୍ଡିଲି ପଞ୍ଚାୟତର ତେମ୍ବାଗୁଡ଼ା ଛକରୁ ସୁକୁଡ଼ୁବାଜୁ ଗାଁ ନିକଟସ୍ଥ ପାହାଡ଼ିଆ ରାସ୍ତାରେ ମାଟି ଅତଡ଼ା ସହ ଦୁଇଟି ବିଶାଳ ପଥର ଖସି ପଡ଼ିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି।ଏହି ରାସ୍ତାଟି ବଡ଼ କତିଲି, ସାନ କତିଲି, ବଣ୍ଡିଲି, ତାଡ଼ିଲୋଟା ସମେତ ଅନେକ ଗାଁର ଲୋକଙ୍କ ପାଇଁ ଯାତାୟାତର ଏକମାତ୍ର ମୁଖ୍ୟ ମାଧ୍ୟମ। ରାସ୍ତା ଅବରୋଧ ହେବା ଫଳରେ ଏହି ସବୁ ଗାଁର ଲୋକେ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରବଳ ବର୍ଷା ହେଲେ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ଏଠାରେ ନିୟମିତ ଘଟଣା ପାଲଟିଛି। 

ଗୁଡ଼ାରିରେ ମାଓ ପୋଷ୍ଟର, ୨୭ଜଣଙ୍କୁ ପ୍ରଜାକୋର୍ଟରେ ହାଜର ଚେତାବନୀ

ପୂର୍ବରୁ ମଧ୍ୟ ଏହି ରାସ୍ତାରେ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନଜିର ରହିଛି। ତେଣୁ ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳବାସୀଙ୍କ ମନରେ ଆଶଙ୍କା ଦେଖାଦେଉଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ପାହାଡ଼ିଆ ରାସ୍ତାର ସୁରକ୍ଷା ପାଇଁ ଆବଶ୍ୟକ ପ୍ରତିରୋଧକ ବ୍ୟବସ୍ଥା କରିବାକୁ ସୁକୁଡ଼ୁବାଜୁ ଗ୍ରାମର ପୂର୍ବତନ ସରପଞ୍ଚ ପାଣି ମାମ୍ବଲାକା, ନୀର ମାମ୍ବଲାକା ଓ ଗମାଙ୍ଗ ମାମ୍ବଲାକା ଦାବି କରିଛନ୍ତି। ତୁରନ୍ତ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ନଘଟିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.