Landslides: ଗିଡ଼ିପାବାଲି ଭୂସ୍ଖଳନ: ଉଦ୍ଧାର କାର୍ଯ୍ୟରେ ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ

1 hour ago 1
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):ଗଞ୍ଜାମ ଓ କନ୍ଧମାଳଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଗିଡ଼ିପାବାଲି ଗ୍ରାମରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ସକାଳୁ ଏନଡିଆରଏଫ୍, ଓଡ୍ରାଫ୍, ଓଏସଜି, ବିଭିନ୍ନ ବ୍ଲକରୁ ଆସିଥିବା କର୍ମଚାରୀ, ଅଗ୍ନିଶମ ବିଭାଗ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପାଖାପାଖି ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ହୋଇଥିବା ଜଣାପଡ଼ିଛି। 

ତେବେ ଘଟଣାସ୍ଥଳର ଭୌଗୋଳିକ ସ୍ଥିତି, ବିରାଟ ପଥର ଓ ମାଟି ଅତଡ଼ା ଯୋଗୁଁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଗିଡ଼ିପାବାଲି ଗ୍ରାମରେ ମୋଟ ୯ଟି ପରିବାରର ୨୬ ଜଣ ସଦସ୍ୟ ବସବାସ କରୁଥିଲେ। ବୁଧବାର ରାତି ପ୍ରାୟ ୩ଟା ସମୟରେ ଏହି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଥିଲା। ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ଗ୍ରାମ ମାଟି, ପଥର ଓ ଗଛଲତା ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି। ଗ୍ରାମର ୨୬ ଜଣଙ୍କ ମଧ୍ୟରୁ ୧୩ ଜଣ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ କିଲାପଙ୍ଗା ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଅନ୍ୟ ୧୩ ଜଣ ନିଖୋଜ ଥିବା ଜଣାପଡ଼ିଥିଲା। ଏହାପରେ ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଗୁରୁବାର ରାତିରୁ ଘୁ. ଉଦୟଗିରି ପ୍ରଶାସନର ଅଧିକାରୀମାନେ ଉଦ୍ଧାର କାର୍ଯ୍ୟର ରୂପରେଖ ନେଇ ଆଲୋଚନା ଆରମ୍ଭ କରିଥିଲେ। ତହସିଲଦାର ସମୁଦ୍ର ମିଶ୍ର, ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏବଂ ଉପଜିଲ୍ଲାପାଳ ପ୍ରଣିତା ଦାସ ବାଲିଗୁଡ଼ାରେ ରହି ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଗିଡ଼ିପାବାଲି ଗ୍ରାମକୁ କିପରି ପହଞ୍ଚି ନିଖୋଜ ଲୋକଙ୍କୁ ଉଦ୍ଧାର କରାଯାଇପାରିବ, ସେନେଇ ଯୋଜନା କରାଯାଇଥିଲା। ପରେ ରାତିରେ ଅଧିକାରୀମାନେ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। କିନ୍ତୁ ଘନ ଅନ୍ଧାର ଓ ପାହାଡ଼ର ପ୍ରାୟ ଏକ ହଜାର ଫୁଟ ତଳକୁ ଓହ୍ଲାଇବାର ଦୁର୍ଗମ ରାସ୍ତା ଯୋଗୁଁ ଅଧାବାଟରୁ ଫେରିବାକୁ ପଡ଼ିଥିଲା। ଅନ୍ଧାରରେ ଆଗକୁ ବଢ଼ିବା ଓ ପୁଣି ସୁରକ୍ଷିତ ଭାବେ ଫେରିବା ବିପଦପୂର୍ଣ୍ଣ ଥିବାରୁ ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା।

Screenshot 2026-10-31 205346

ନିଖୋଜ ଲୋକଙ୍କୁ ଯଥାଶୀଘ୍ର ଖୋଜି ବାହାର କରିବା ପାଇଁ ସେମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଭୟାବହ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଯେଉଁ ସ୍ଥାନରେ ଗିଡ଼ିପାବାଲି ଗ୍ରାମ ଥିଲା, ସେଠାରେ ଏବେ ଗ୍ରାମର କୌଣସି ସ୍ପଷ୍ଟ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଘରଦ୍ୱାର ମାଟି ଓ ପଥର ତଳେ ଚାପି ହୋଇଯାଇଛି। ଚାରିଆଡ଼େ ବିରାଟ ବିରାଟ ପଥର, ଗଛ ଓ ମାଟି ଅତଡ଼ା ଜମା ହୋଇ ରହିଛି। କେତେକ ସ୍ଥାନରେ ପ୍ରାୟ ୨୦ ଫୁଟ ଉଚ୍ଚରେ ମାଟି ଓ ପଥର ଜମା ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଏହି ସ୍ଥାନରେ ଗୋଟିଏ ଗ୍ରାମ ଥିଲା ବୋଲି ମଧ୍ୟ ସହଜରେ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

landslide in Bolingia: ବଲିଙ୍ଗିଆରେ ଭୟଙ୍କର ଭୂସ୍ଖଳନ

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦଳଗୁଡ଼ିକ ପାଖରେ ଆବଶ୍ୟକ ଆଧୁନିକ ଯନ୍ତ୍ରପାତିର ଅଭାବ ଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ବର୍ତ୍ତମାନ ଶାବଳ, କୋଦାଳ ଓ ଅନ୍ୟାନ୍ୟ ସାଧାରଣ ଉପକରଣ ସାହାଯ୍ୟରେ ମାଟି ଓ ପଥର ହଟାଇବାକୁ ପଡ଼ୁଛି। ବିରାଟ ପଥର ଓ ମାଟି ଅତଡ଼ା ତଳେ କେହି ଜୀବିତ ଅଛନ୍ତି କି ନାହିଁ, କିମ୍ବା କେତେଜଣ ଚାପି ହୋଇ ରହିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

#୧୩_ଜଣଙ୍କ_ନିଖୋଜ_ନେଇ_ଚିନ୍ତା
ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୧୩ ଜଣ ନିଖୋଜ ଥିବାରୁ ବଢ଼ିଛି ଚିନ୍ତା। ମାଟି ଓ ବିରାଟ ପଥର ତଳେ ସେମାନେ ଚାପି ହୋଇଥିବା ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟରେ ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଜଣଙ୍କ ମୃତଦେହ ଦେଖାଯାଇଥିବା ସୂଚନା ମିଳିଛି। ତେବେ ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର… pic.twitter.com/IBvyeYFfZe

— Sambad (ସମ୍ବାଦ) (@sambad_odisha) October 31, 2026

ଉଦ୍ଧାରକାରୀ ଦଳ ପକ୍ଷରୁ ଗୋଟିଏ ମୃତଦେହ ଦେଖାଯାଇଥିବା ସୂଚନା ମିଳିଛି। ତାହା ଏକ ବିରାଟ ପଥର ତଳେ ଚାପି ହୋଇ ରହିଥିବାରୁ ବାହାର କରିବା ସମ୍ଭବ ହୋଇନାହିଁ। ପଥର ହଟାଇବା ସମୟରେ ଅଧିକ ମାଟି ଓ ପଥର ଖସିବାର ଆଶଙ୍କା ଥିବାରୁ ଉଦ୍ଧାରକାରୀ ଦଳ ସତର୍କତା ଅବଲମ୍ବନ କରୁଛନ୍ତି। ଏତେ ସମୟ ଧରି ମାଟି ତଳେ ରହିଥିବାରୁ ମୃତଦେହର ଅବସ୍ଥା ମଧ୍ୟ ଚିନ୍ତାର ବିଷୟ ହୋଇଛି।ଅନ୍ୟପକ୍ଷରେ ଭୂସ୍ଖଳନରେ ଅନେକ ଗାଈ ଓ ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ ଗାଈକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ମଧ୍ୟ କୁହାଯାଉଛି।ଏହି ସମସ୍ତ ଉଦ୍ଧାର କାର୍ଯ୍ୟ ମଧ୍ୟରେ ପାଣିପାଗ ମଧ୍ୟ ଚିନ୍ତା ବଢ଼ାଇଛି। 

ଘଟଣାସ୍ଥଳରେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ମାଟି ଓ ପଥର ଖସିବାର ଆଶଙ୍କା ରହିଛି। ଏହା ସହିତ ଦିନ ଗଡ଼ି ସନ୍ଧ୍ୟା ହେବାକୁ ବସିଥିବାରୁ ଉଦ୍ଧାରକାରୀ ଦଳଙ୍କ ସୁରକ୍ଷା ମଧ୍ୟ ଏକ ବଡ଼ ପ୍ରଶ୍ନ ହୋଇଛି। ଗିଡ଼ିପାବାଲିରୁ ସିପାଏଜୁକୁ ଫେରିବା ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଛି। ପାହାଡ଼ର ପ୍ରାୟ ଏକ ହଜାର ଫୁଟ ତଳକୁ ଓହ୍ଲାଇ ଉଦ୍ଧାର କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅନ୍ଧାର ପରେ ଫେରିବା ଅତ୍ୟନ୍ତ କଷ୍ଟକର ଓ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ନିଖୋଜଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବା ଆବଶ୍ୟକ। ବର୍ଷା ଓ ଅନ୍ଧାର ବଢ଼ିବା ପୂର୍ବରୁ ସୁରକ୍ଷିତ ଭାବେ ପାହାଡ଼ ଉପରକୁ ଫେରିବା ଏବେ ଉଦ୍ଧାରକାରୀ ଦଳଙ୍କ ପାଇଁ ଏକ ବଡ଼ ଆହ୍ୱାନ।୧୩ ଜଣଙ୍କ ନିଖୋଜ ଖବରକୁ ନେଇ ଗିଡ଼ିପାବାଲି ସମେତ ଆଖପାଖ ଅଞ୍ଚଳରେ ଗଭୀର ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି। ଏବେ ସମସ୍ତଙ୍କ ନଜର ଉଦ୍ଧାରକାରୀ ଦଳ ଉପରେ। ମାଟି ଓ ପଥର ତଳେ ନିଖୋଜ ଲୋକଙ୍କ ପ୍ରକୃତ ସ୍ଥିତି କ'ଣ, ତାହା ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସ୍ପଷ୍ଟ ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.