ARTICLE AD BOX
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ସାମ୍ପ୍ରତିକ ପରିସ୍ଥିତି, ସୀମା ପରିଚାଳନା, ସୀମା ନିର୍ଦ୍ଧାରଣ ଓ ସୀମାପାର ସହଯୋଗ ଭଳି ପ୍ରସଙ୍ଗକୁ ନେଇ ଗୁରୁବାର ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଭୟ ଦେଶ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ କୂଟନୀତିକ ଏବଂ ସାମରିକ ସ୍ତରରେ ନିୟମିତ ସମ୍ପର୍କ ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ବୈଠକଟି ଭାରତ-ଚୀନ୍ ସୀମା ବ୍ୟାପାର ସମ୍ପର୍କିତ ‘ୱାର୍କିଂ ମେକାନିଜମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋ-ଅର୍ଡିନେସନ୍’ (ଡବ୍ଲ୍ୟୁଏମ୍ସିସି)ର ୩୬ତମ ବୈଠକ ଭାବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ବିଭାଗର ଯୁଗ୍ମ ସଚିବ ସୁଜିତ ଘୋଷ କରିଥିଲେ । ଚୀନ୍ ପକ୍ଷର ପ୍ରତିନିଧି ଦଳର ନେତୃତ୍ବ ତାଙ୍କ ବୈଦେଶିକ ମନ୍ତ୍ରଣାଳୟର ସୀମା ଓ ସମୁଦ୍ର ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହାଉ ୟାନ୍କି କରିଥିଲେ ।
Gen-Z: ଜେନ୍-ଜି ପିଢ଼ିକୁ ଯୋଡ଼ିବାରେ ଆର୍ଏସ୍ଏସ୍ର ସଫଳତା; ବିଜେପି ପଛରେ ପଡ଼ିଛି
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବୈଠକରେ ଉଭୟ ପକ୍ଷ ଭାରତ-ଚୀନ୍ ସୀମା ଅଞ୍ଚଳର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଥିଲେ । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରହିଥିବାରୁ ଉଭୟ ଦେଶ ସନ୍ତୋଷ ପ୍ରକାଶ କରିଥିଲେ । ଆଲୋଚନାରେ ସୀମା ନିର୍ଦ୍ଧାରଣ, ସୀମା ପରିଚାଳନା, ଦ୍ୱିପାକ୍ଷିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସୀମାପାର ସହଯୋଗ ବୃଦ୍ଧି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା । ଭାରତ ପକ୍ଷରୁ ସୀମାପାର ନଦୀ ସମ୍ପର୍କିତ ବିଶେଷଜ୍ଞସ୍ତରୀୟ ବ୍ୟବସ୍ଥାର ପରବର୍ତ୍ତୀ ବୈଠକ ଶୀଘ୍ର ଆୟୋଜନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଉଭୟ ପକ୍ଷ ୨୪ତମ ସ୍ପେସିଆଲ୍ ରିପ୍ରେଜେଣ୍ଟେଟିଭ୍ (ଏସ୍ଆର୍) ବୈଠକରେ ହୋଇଥିବା ସହମତି ଅନୁଯାୟୀ କୂଟନୈତିକ ଓ ସାମରିକ ସ୍ତରରେ ବିଦ୍ୟମାନ ବ୍ୟବସ୍ଥା ମାଧ୍ୟମରେ ନିୟମିତ ସମ୍ପର୍କ ଓ ଆଲୋଚନା ଜାରି ରଖିବାକୁ ରାଜି ହୋଇଥିଲେ । ଏହା ସହ ପରବର୍ତ୍ତୀ ଏସ୍ଆର୍ ବୈଠକ, ଯାହା ଚୀନ୍ରେ ହେବ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ମିଳିତ ଭାବେ କରିବାକୁ ମଧ୍ୟ ସହମତି ପ୍ରକାଶ କରିଥିଲେ ।

58 minutes ago
3


