ARTICLE AD BOX
ଭୁବନେଶ୍ୱର: ବରିଷ୍ଠ ନାଗରିକ କୁଞ୍ଜଲତା ନନ୍ଦଙ୍କ ହତ୍ୟା ଅଭିଯୁକ୍ତ କେୟାରଟେକର ବଳଭଦ୍ର ରାମଚରଣ ମହାରଣା ଓରଫ ବଳିଆ(୪୦)କୁ ସୁରତରୁ ଆଣି ଆଜି କମିସନରେଟ୍ ପୁଲିସ ଭୁବନେଶ୍ବରରେ ପହଞ୍ଚିଛି। ହତ୍ୟାକାଣ୍ଡ ପରଠୁ ୭ଦିନ ଭିତରେ ପାଖାପାଖି ୫ଟି ରାଜ୍ୟ ବୁଲିବୁଲି ପୁଲିସକୁ ଚକ୍ମା ଦେବା ପରେ ମଙ୍ଗଳବାର ରାତିରେ ତାକୁ ସୁରତ କ୍ରାଇମ୍ବ୍ରାଞ୍ଚ ଓ ବଡ଼ୋଦରା ସ୍ପେସାଲ ସ୍କ୍ବାଡ୍ ଗିରଫ କରିଥିଲା। ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାକୁ ଲକ୍ଷ୍ମୀସାଗର ଥାନା ପୁଲିସ ହେପାଜତରେ ରଖାଯାଇ ମାରାଥନ ଜେରା କରାଯାଉଛି। ଆସନ୍ତା ୧୬ ତାରିଖ କିମ୍ବା ତା’ ପୂର୍ବରୁ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ତା’ ପାଖରୁ ନଗଦ ୨୦,୬୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ନୂଆ ସିମ୍ ଜବତ କରାଯାଇଛି। ସେହିଭଳି କୁଞ୍ଜଲତାଙ୍କଠାରୁ ଲୁଟି ନେଇଥିବା ଗୋଟିଏ ସୁନା ଲକେଟ୍, ଗୋଟିଏ ମୁଦି, ହଳେ କାନଫୁଲ ଜବତ କରାଯାଇଛି। କିନ୍ତୁ ଯେଉଁ ସ୍କୁଟିରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ତାହା ଜବତ ହୋଇପାରିନାହିଁ। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର କନ୍ୱର ବିଶାଲ୍ ସିଂ ଓ ଡିସିପି ସରବଣା ବିବେକ୍ ଏମ୍. ବଳିଆ ଗିରଫର ବିବରଣୀ ଦେଇଛନ୍ତି।
ବଡ଼ ଚାଲ୍ ଖେଳିଥିଲା
କୁଞ୍ଜଲତାଙ୍କ ବଡ଼ପୁଅ ପାଖରେ ପ୍ରାୟ ୭ବର୍ଷ ଧରି କାମ କରୁଥିବା ବିଦ୍ୟାଧର ମହାରଣାଙ୍କ କଥାକୁ ବିଶ୍ବାସ କରି ବଳିଆକୁ କାମରେ ନିୟୋଜିତ କରାଯାଇଥିଲା। ତେଣୁ ବିଦ୍ୟାଧରଙ୍କଠାରୁ ବଳିଆର ଠିକଣା ହାତେଇବା ପରେ ପୁଲିସ ଲଗାତାର ପିଛା କଲା। ହତ୍ୟାକାଣ୍ଡ ପରେପରେ ବଳିଆ ପାରିକୁଦ ଯାଇ ପତ୍ନୀଙ୍କୁ ଭେଟିଥିଲା ଏବଂ ୪ ତାରିଖ ଦିନ ଚିଲିକା ଦେଇ ବ୍ରହ୍ମଗିରି ଓ ପୁରୀରେ ପହଞ୍ଚି ସେଠାରୁ ଟ୍ରେନ୍ରେ କୋଲକାତା ପଳାଇଥିଲା। କୋଲକାତାରେ ସେ ପୁରୁଣା ସିମ୍ ବଦଳାଇ ନୂଆ ସିମ୍ କିଣିଥିଲା। ୫ ତାରିଖ ଦିନ କୋଲକାତାରୁ ରାୟପୁର ପଳାଇଥିଲା। ଏମିତିରେ ସେ ହରିଆଣା ପାନିପଥ ଓ ପଞ୍ଜାବ ଲୁଧିଆନା ଓ ସୁରତରେ ପହଞ୍ଚିଥିଲା ଏବଂ ସୁରତରୁ ଦିଲ୍ଲୀ ପଳାଉଥିବା ବେଳେ ଧରାପଡ଼ିଥିଲା। ପୁଲିସକୁ ଭୁଆଁ ବୁଲାଇବାକୁ ସେ ମୋବାଇଲ୍ ସିମ୍ ବଦଳାଇବା ଓ ଗୋଟିଏ ସହରରୁ ଅନ୍ୟ ସହରକୁ ଖସି ପଳାଇବା ଚାଲ୍ ଖେଳିଥିଲା। କିନ୍ତୁ ପୁଲିସ ତା’ ପୁରୁଣା ମୋବାଇଲର ଇଏମ୍ଆଇଇ ନମ୍ବରକୁ ଟ୍ରାକ୍ କରୁଛି ବୋଲି ବଳିଆ ମୁଣ୍ଡରେ ଢୁକି ନଥିଲା। ସେ ଯେଉଁ ଯେଉଁ ସହରକୁ ପଳାଉଥିଲା, ଭୁବନେଶ୍ବର କମିସନରେଟ୍ ପୁଲିସ ସେହି ସବୁ ସହରର ପୁଲିସକୁ ବଳିଆର ଲୋକେସନ୍ ପଠାଉଥିଲା।
ଲୋଭ ଓ ରାଗରେ ମାରିଦେଲା
ଲୋଭ ଓ ରାଗରେ ବଳିଆ, ମାଲିକାଣୀ କୁଞ୍ଜଲତାଙ୍କୁ ହତ୍ୟା କରିଥିବା ଜେରା ବେଳେ ସ୍ବୀକାର କରିଥିବା କୁହାଯାଇଛି। କୁଞ୍ଜଲତାଙ୍କ ସ୍ବାମୀ ହାଡ଼ିବନ୍ଧୁଙ୍କ ପରଲୋକ ପରେ ବଳିଆର ପତ୍ନୀ ସେଠାରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ୩ ମାସ ଯାଇନି, ବଳିଆ ସ୍ତ୍ରୀଙ୍କ କାମ କୁଞ୍ଜଲତାଙ୍କ ମନକୁ ପାଇଲା ନାହିଁ। ତେଣୁ ତାଙ୍କୁ କାମରୁ ବାହାର କରି ବଳିଆକୁ ନିୟୋଜିତ କରାଗଲା। ଏହାକୁ ନେଇ ବଳିଆ ମନରେ ରାଗ ଥିଲା। ସେହିଭଳି କୁଞ୍ଜଲତାଙ୍କ ଟଙ୍କା ଓ ଗହଣା ଉପରେ ତା’ର ଲୋଭ ବଢ଼ିଥିଲା। ତେଣୁ ଲୁଟିବା ପାଇଁ ସେ ଯୋଜନା ପ୍ରସ୍ତୁତ କଲା ଏବଂ ୩ ତାରିଖ ରାତିରେ ସିସିଟିଭି ତାର କାଟି ତାଣ୍ଡବ ରଚିଥିଲା। କୁଞ୍ଜଲତା ଡାଇନିଂ ରୁମ୍ରେ ଔଷଧ ଖାଉଥିବା ବେଳେ ସେ ପଛପଟୁ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେ ତଳେ ପଡ଼ିଯିବା ପରେ ରକ୍ତମୁଖା ବଳିଆ ସବୁ ଶକ୍ତି ଲଗାଇ ତାଙ୍କ ତଣ୍ଟିକୁ ଚିପି ଧରିଥିଲା। ଏହାପରେ ବି କାଳେ ବଞ୍ଚିଯିବେ ଭାବି ସେ ଏକ କଇଁଚି ଆଣି କୁଞ୍ଜଲତାଙ୍କ ମୁଣ୍ଡକୁ ବାରମ୍ବାର ଖୋବି ପକାଇଥିଲା। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହରୁ ସୁନାଚେନ୍, କାନଫୁଲ, ମୁଦି, ଚୁଡ଼ି ଓ ଆଲ୍ମିରାରୁ ଟଙ୍କା ନେଇ ସ୍କୁଟିରେ ପଳାଇଥିଲା।

57 minutes ago
1


