Kotia issue: ବନ୍ୟା, କୋଟିଆକୁ ନେଇ କମ୍ପିଲା ଗୃହ

26 minutes ago 1
ARTICLE AD BOX

ଭୁବନେଶ୍ବର: ଏବେ ରେଭିନ୍ୟୁ ଡିପାର୍ଟମେଣ୍ଟ ରିଭର୍ସ ଡିପାର୍ଟମେଣ୍ଟ ହୋଇଯାଇଛି। ଏହି ବିଭାଗରେ ରାଜ୍ୟ ପାଇଁ ରାଜସ୍ବ ଆଦାୟ ନୁହେଁ, ନିଜସ୍ବ ରାଜସ୍ବ ଆଦାୟ ହେଉଛି। ବିପର୍ଯ୍ୟୟ ପରିଚାଳନା ବଦଳରେ ପରିଚାଳନା ବିପର୍ଯ୍ୟୟ ହୋଇଯାଇଛି। ଡବଲ୍‌ ଇଞ୍ଜିନ ସରକାର ଚାଲିନି, ବରଂ ଲୋକଙ୍କ ଦୁର୍ଦ୍ଦଶା ଡବଲ୍‌ ହୋଇଯାଇଛି। ଗଞ୍ଜାମରେ ଯେଉଁ ବନ୍ୟା ହେଲା ତାହାକୁ ପ୍ରକୃତିକୃତ କି ମନୁଷ୍ୟକୃତ କୁହାଯିବନି। ଏହା ସରକାରୀକୃତ ବନ୍ୟା ଥିଲା। ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମଜିଲ୍ଲା ପାଇଁ ଅକ୍ଟୋବର ୨୩ରୁ ଆଗୁଆ ରେଡ୍‌ ୱାର୍ଣ୍ଣିଂ ଜାରି କରିଥିବା ସତ୍ତ୍ବେ ସରକାରୀ ପ୍ରସ୍ତୁତି ଫେଲ୍‌ ମାରିଥିଲା। ଏହିପରି ଭାବେ ଆଜି ବିଜେଡି ବିଧାୟକ ଅରୁଣ ସାହୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Brain Stroke: ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ

ଏହା ସହ ସେ କହିଛନ୍ତି ଯେ ଗଞ୍ଜାମରେ ବିଭିନ୍ନ ନଦୀରୁ ଯେଉଁଭଳି ବାଲି ଲୁଟ୍‌ ହେଉଛି ସେଥିପାଇଁ ବିଭିନ୍ନ ସ୍ଥାନରେ ଘାଇ ହେଲା। ବାଲି ଚୋରିରେ ଯେଉଁମାନେ ସାମିଲ ଅଛନ୍ତି ସେମାନେ ବି ଏଥିପାଇଁ ଦାୟୀ। ୧୯୯୯ ମସିହା ଅକ୍ଟୋବର ୨୯ ବନ୍ୟା ପାଇଁ ରାଜ୍ୟର କଂଗ୍ରେସ ସରକାର ଯାଇଥିଲା। ଅକ୍ଟୋବର ୨୯, ୨୦୨୬ର ଗଞ୍ଜାମ ବନ୍ୟା ପାଇଁ ୨୦୨୯ରେ ଓଡ଼ିଶାର ବିଜେପି ସରକାର ବି ଯିବ। ଯେଉଁ ବିପର୍ଯ୍ୟୟ ପରିଚାଳନା ପାଇଁ ସାରା ବିଶ୍ବ, କେନ୍ଦ୍ରର ମୋଦୀ ସରକାର ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ, ସେହି ୨୪ ବର୍ଷର ମଡେଲ୍‌କୁ ଏ ସରକାର ୨୪ ଘଣ୍ଟାରେ ବିଗାଡ଼ିଦେଲେ। କୋଟିଆ ପ୍ରସଙ୍ଗରେ ଶ୍ରୀ ସାହୁ କହିଥିଲେ, ରାଜା ଦୁର୍ବଳ ହେଲେ ପଡ଼ୋଶୀ ରାଜ୍ୟ ମାଡ଼ି ଆସନ୍ତି। ଏହାର ପ୍ରମାଣ ଏ ରାଜ୍ୟ ସୂର୍ଯ୍ୟବଂଶୀ ରାଜା ପ୍ରତାପରୁଦ୍ର ଦେବଙ୍କ ଅମଳରେ ଦେଖିଛି। ଏବେ କୋଟିଆରେ ଦେଖୁଛି। 

ଗଞ୍ଜାମ ବନ୍ୟା ସରକାରୀକୃତ: ବିଜେଡି
କୋଟିଆ ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ
ବିଜେଡିର ‘ଶୂନ ମୃତ୍ୟୁ’ ମିଛ ପ୍ରଚାର: ଶାସକ ଦଳ

ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, କୌଣସି ବିଭାଗ ସହ ସରକାରଙ୍କ ସମନ୍ବୟ ରହୁନି। ପାଣିପାଗ ବିଭାଗ ରିପୋର୍ଟକୁ ସରକାର ଖାମଖିଆଲି ଭାବେ ନେଲେ ବୋଲି ଏଭଳି ବନ୍ୟା ସ୍ଥିତି ଉପୁଜିଲା। ବିଜେଡି ସରକାରର ସୁନାମକୁ ଏ ସରକାର ଦୁର୍ନାମ କରିଦେଲାଣି। ବ୍ୟୋ‌ମକେଶ ରାୟ କହିଥିଲେ, ଭଦ୍ରକ ବନ୍ୟାବେଳେ ବି ଡ୍ୟାମ ଓ ଜଳ ପରିଚାଳନା ଠିକ୍ ଭାବେ ହୋଇନଥିଲା। ଭଦ୍ରକରେ ପ୍ରଥମ ଦୁଇଟି ବନ୍ୟାବେଳେ ସରକାର ଚୁଡ଼ା, ଗୁଡ଼ ବି ଯୋଗାଇ ପାରିଲେନି। ସରପଞ୍ଚମାନେ ନିଜ ହାତରୁ କିଣିକି ଚୁଡ଼ା, ଗୁଡ଼ ଦେଲେ, କିନ୍ତୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ସେମାନଙ୍କୁ ଦିଆଗଲାନି। ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ବିପର୍ଯ୍ୟୟ ପରିଚାଳନା‌ରେ ୩୦% ଅର୍ଥ ମଧ୍ୟ ଖର୍ଚ୍ଚ କରିପାରିଲେନି। ଏବେ ୫ ହଜାର କୋଟି ନୁହେଁ, ୧୫ ହଜାର କୋଟି ଦରକାର। ପାରାଦୀପ ଡପଲାର୍ ରାଡାର ବ୍ୟତୀତ କିଛି କାମ କରୁନି। ଏମିତିରେ କେମିତି ଠିକ୍ ପାଣିପାଗ ଆକଳନ ହେବ? ବିଜେଡି ପକ୍ଷରୁ ଧ୍ରୁବଚରଣ ସାହୁ, ମନୋହର ରନ୍ଧାରୀ, ସାରଦା ପ୍ରସନ୍ନ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ତାରାପ୍ରସାଦ ବାହିନୀପତି କୋଟିଆ ପ୍ରସଙ୍ଗରେ କହିଥିଲେ, ପ୍ରତିଶ୍ରୁତି ବହୁତ ମିଳୁଛି, କିନ୍ତୁ କିଛି ହେଉନି। କିଏ କେତେ ବର୍ଷ ଶାସନ କଲା ସେଥିରୁ କ’ଣ ମିଳିବ? ଆମ ମାଟିକୁ ତ ସୁରକ୍ଷା ଦେଇପାରୁନ। ଆନ୍ଧ୍ର ସୁନା ଖଣି, ରତ୍ନପଥର, ବକ୍ସାଇଟ୍, ମାଙ୍ଗାନିଜ୍ ପାଇଁ କୋଟିଆ ଉପରେ ଆଖି ପକାଇଛି। ପୂର୍ବରୁ ୭ଟି ଗାଁ ବିବାଦୀୟ ଥିଲା, ଏବେ ୨୫ରୁ ଅଧିକ ଗାଁ ବିବାଦୀୟ ହେଲାଣି। କିପରି କୋଟିଆ ବିବାଦ ସୃଷ୍ଟି ହୋଇଛି, ସେ ସଂପର୍କରେ ଶ୍ରୀ ବାହିନୀପତି ବିସ୍ତୃତ ସୂଚନା ଦେଇଥିଲେ।

Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ

ଶାସକ ଦଳ ପକ୍ଷରୁ ସିଦ୍ଧାନ୍ତ ମହାପାତ୍ର ଜବାବ ଦେଇ କହିଥିଲେ, ପୂର୍ବ ସରକାର ବିପର୍ଯ୍ୟୟରେ ‘ଶୂନ ମୃତ୍ୟୁ’ ପ୍ରଚାର କରି ପ୍ରଶଂସା ସାଉଁଟିଥିଲେ। ହେଲେ ଫାଇଲିନ୍‌ରେ ୨୨ ଜଣ, ତିତିଲିରେ ୭୨ ଜଣ, ହୁଡହୁଡରେ ୩ ଜଣ ମରିଥିଲେ। ବନ୍ୟାରେ ବି ବହୁ ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ ସରକାର ଏହାକୁ ଲୁଚାଇ ମିଛ କହୁଥିଲେ। ବିରୋଧୀ ଗଞ୍ଜାମରେ ମନୁଷ୍ୟକୃତ ବନ୍ୟା ବୋଲି କହୁଛନ୍ତି, ସେମାନେ ଜାଣିବା ଦରକାର ଏହା ୨୪ ବର୍ଷର ସରକାରକୃତ। ଋଷିକୂଲ୍ୟା ନଦୀର ଜଳପ୍ରବାହ ନେଇ ଯେଉଁ ତଥ୍ୟ ଦିଆଯାଇଛି ତାହା ଭୁଲ୍‌। ଶାସକ ଦଳ ପକ୍ଷରୁ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସରୋଜ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଦୁର୍ଗାପ୍ରସନ୍ନ ନାୟକ, ପ୍ରତାପଚନ୍ଦ୍ର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ ବିଜେପି ସରକାରର ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିବା ସହ ପୂର୍ବ ସରକାରରେ ବାତ୍ୟା ବନ୍ୟା ହେଲେ କୌଣସି ନେତା, ମନ୍ତ୍ରୀଙ୍କ ଦେଖା ମିଳୁନଥିବାବେଳେ ଏବେ ମନ୍ତ୍ରୀ, ବିଧାୟକ, ଅଧିକାରୀ ସ‌ମସ୍ତେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ।

ଅପରାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କୋଟିଆ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତି ନ ଶୁଣିବାରୁ ସମସ୍ତ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗରେ ଧାରଣାରେ ବସିଥିଲେ। ଏହାପରେ ବାଚସ୍ପତି କହିଥିଲେ, ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନାବେଳେ କୋଟିଆ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ‌େହାଇଥିଲା। ସ୍ବତନ୍ତ୍ର ଆଲୋଚନା ପ୍ରସ୍ତାବ ବିଚାରାଧୀନ ଅଛି। ଏହାପରେ ରାଜସ୍ବ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କଂଗ୍ରେସ ବିଧାୟକମାନଙ୍କୁ ବୁଝାସୁଝା କରି ଆସନକୁ ନେଇଥିଲେ। ପ୍ରାୟ ୬ ଘଣ୍ଟା ୧୫ମିନିଟ ଧରି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା, ହେଲେ ମନ୍ତ୍ରୀ ଦୀର୍ଘ ସମୟ ଧରି ଉତ୍ତର ଦେବାବେଳେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉନଥିବା ଅଭିଯୋଗ କରି ବିଜେଡି ଓ କଂଗ୍ରେସ ଗୃହ ତ୍ୟାଗ କରିଥିଲେ। ଶେଷରେ ବାଚସ୍ପତି ବିଭାଗର ୪୯୯୯.୯୯କୋଟି ଟଙ୍କାର ଅତିରିକ୍ତ ବଜେଟ୍‌କୁ ବାଚନିକ ଭୋଟରେ ପାରିତ କରିଥିଲେ।

ସରକାରଙ୍କ ନିଷ୍ଠା ଉପରେ ସନ୍ଦେହ ନାହିଁ: ରାଜସ୍ବ ମନ୍ତ୍ରୀ

ଭୁବ‌ନେଶ୍ବର: ରାଜ୍ୟକୁ ବାତ୍ୟା ଆସିବ, ତା’ର ଛାପ ଛାଡ଼ିକି ଯିବ। ସରକାର ବି କ’ଣ କଲେ ତା’ର ଛାପ ଛାଡ଼ିକି ଯିବେ। ବାତ୍ୟା, ବନ୍ୟା ମୁକାବିଲାରେ ଆମ ସରକାରଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ସବୁ ସନ୍ଦେହରୁ ଊର୍ଦ୍ଧ୍ବରେ। ବିଜେଡି ସରକାରର ଅନୁଭବ ଥିଲା, କିନ୍ତୁ ନିଷ୍ଠା ଓ ପ୍ରତିବଦ୍ଧତା ନଥିଲା। ତେଣୁ ଲୋକ ପ୍ରତ୍ୟାଖ୍ୟାନ କଲେ। ବିରୋଧୀ କେବଳ ସମାଲୋଚନା କରିକି ଚାଲିଗଲେ, ହେଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ କିପରି କାମ କରିଥିଲେ କାହାର ବି ପ୍ରଶଂସା କଲେନି। ସମାଲୋଚନା ଭିତରେ ବିରୋଧୀ ଭଲ କାମ କରୁଥିବା ଲୋକଙ୍କୁ ବି ପ୍ରଶଂସା କରିବା ଶିଖିବା ଦରକାର ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାତ୍ୟା, ବନ୍ୟା ପରିଚାଳନା ‌ଭୁଲ୍‌ ହେଲା ବୋଲି କହି ଦୁଇଟି ଚିଠି ଲେଖିଲେ। ତାଙ୍କର ତ ବହୁତ ଅଭିଜ୍ଞତା ଅଛି, ସେ ଜଣେ ବର୍ଷୀୟାନ ନେତା, କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଦୁଇ ତିନିଟା ପ୍ରସ୍ତାବ ଦେଲେନି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ବିଧାୟକ ଥିଲେ। ଫୋନ୍ କରି କହିଥାନ୍ତେ ମୋହନ ବାବୁ ଏଠି ସମସ୍ୟା ଅଛି, ଏମିତି ପ୍ରସ୍ତୁତି କରନ୍ତୁ। କେବଳ ସେତିକି ନୁହେଁ, ବନ୍ୟା ନିୟନ୍ତ୍ରଣରେ ସରକାର ବିଫଳ ବୋଲି ବିରୋଧୀ କହିଲେ ଲୋକେ ବିଶ୍ବାସ କରିବେନି। ଏଥିପାଇଁ ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କୁ କାମରେ ଲଗାଇଲେ। ଭିଡିଓ ବାର୍ତ୍ତା ଦେଲେ। ସତ୍‌ସାହାସ ଥିଲା ତ ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ। ଦୁଇ ଚାରିଟା ପ୍ରଶ୍ନ ଶୁଣିଥାନ୍ତେ। ଯଦି ଏତେ ଅଭିଜ୍ଞତା ଥିଲା ସେତେବେଳେ କେହି ଜଣେ ଅଫିସରଙ୍କୁ (ଯେଉଁମାନେ ଆପଣଙ୍କ ଜୁନିୟର ଥିଲେ) ଫୋନ୍‌ କରି କିପରି କାର୍ଯ୍ୟ ହୁଏ କହିଥାନ୍ତେ। ତାହା ନକରି ଭୁଲ୍‌ ତଥ୍ୟ ଦେଇ ସମାଲୋଚନା କରିବାକୁ ଆଗକୁ ଆସିଲେ।  

ଚାନ୍ଦବାଲି ବିଧାୟକ ଜାଣିବା ଦରକାର ଭଦ୍ରକକୁ କେତେ ଟଙ୍କା ଦିଆଯାଇଛି। ମୁଁ ତାଙ୍କ ସହ ରାତି ୧୨ଟାରେ କଥା ହୋଇ କିଛି ସାହାଯ୍ୟ ଦରକାର ଥିଲେ ‌େଫାନ୍ କରି ଜଣାଇବାକୁ କହିଥିଲି। କିନ୍ତୁ ‌ସେ ତାହା ନକରି କହୁଛନ୍ତି ସରପଞ୍ଚଙ୍କୁ ଟଙ୍କା ମିଳିନି। ଅରୁଣ ବାବୁ ବହୁତ କଥା କହିକି ପଳାଇଲେ, ହେଲେ ତାଙ୍କ ସରକାରରେ କିପରି ମିଛ ଶୂନ ମୃତ୍ୟୁ କହି ପ୍ରଶଂସା ସାଉଁଟା ଯାଉଥିଲା, ତାହା ଶୁଣିବାକୁ ରହିଲେନି। ଅଧିକାରୀଙ୍କ ସହ ସମନ୍ବୟ ନାହିଁ ବୋଲି କହୁଛନ୍ତି, କିନ୍ତୁ ଜାଣିବା ଦରକାର ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସ୍ବାମୀଙ୍କର ଅପରେସନ୍ ହୋଇଥିଲା। ହେଲେ ସେ ତାଙ୍କୁ ସମୟ ନଦେଇ କଣ୍ଟ୍ରୋଲ ରୁମ୍‌ରେ ଦିନରାତି ସମୀକ୍ଷା କରୁଥିଲେ। ଅତିରିକ୍ତ ମୁଖ୍ୟ ସଚିବମାନେ ପାଳି କରି ଜିଲ୍ଲାଗୁଡ଼ିକ ଉପରେ ନଜର ରଖୁଥିଲେ। କନ୍ଧମାଳ ଜିଲ୍ଲାପାଳଙ୍କ ପତ୍ନୀ ହସ୍ପିଟାଲରେ ପ୍ରସବ କରିବାବେଳେ ସେ ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଥିଲେ। କୋଟିଆ ପ୍ରସଙ୍ଗରେ କୋରାପୁଟର ମହିଳା ଉପଜିଲ୍ଲାପାଳ, ଭୂସ୍ଖଳନ ଉଦ୍ଧାର କାର୍ଯ୍ୟରେ ଗଞ୍ଜାମର ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟକୁ ଶ୍ରୀ ପୂଜାରୀ ପ୍ରଶଂସା କରିଥିଲେ। କୋଟିଆ ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ, କୋଟିଆ ଓଡ଼ିଶାର ଥିଲା, ଆଜି ଅଛି, କାଲି ବି ରହିବ। ଏଥିପାଇଁ ଓଡ଼ିଶାର ବିଜେପି ସରକାର କାହା ସହ ସାଲିସ କରିବନି। ବିଜେଡି ସରକାରରେ ୨୦୨୧ରେ ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ସହ ବୁଥ୍‌ କରିଥିଲା। ହେଲେ ଆମେ ଏହା କରିବାକୁ ଦେଇନୁ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ବିଜେଡି ସରକାରଠୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମସ୍ତ ସମସ୍ୟାର ସମାଧାନ ମୋହନ ମାଝୀ ସରକାର କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.