Kotia dispute: କୋଟିଆ ବିବାଦ ଥାନାକୁ ଗଲା: ୪ ଜଣଙ୍କୁ ଅପହରଣ ନେଇ ଆନ୍ଧ୍ରର ଏତଲା

4 hours ago 3
ARTICLE AD BOX

କୋରାପୁଟ: ଆନ୍ଧ୍ରର ସରପଞ୍ଚ ନିର୍ବାଚନ ପୂର୍ବରୁ କୋଟିଆ ସୀମା ବିବାଦ ନୂଆ ମୋଡ଼ ନେଇଛି। ଓଡ଼ିଶା ପ୍ରଶାସନ ବିରୋଧରେ ଆନ୍ଧ୍ରର ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦାୟର ହୋଇଛି। କୋଟିଆରୁ ୪ଜଣଙ୍କୁ ଅପହରଣ କରାଯାଇଥିବା ନେଇ ଏତଲାରେ ଉଲ୍ଲେଖ ଅଛି। ସରପଞ୍ଚ ନିର୍ବାଚନର ଠିକ୍‌ ସପ୍ତାହକ ପୂର୍ବରୁ ଆନ୍ଧ୍ରର ଏଭଳି ଚାଲ୍‌ କୋଟିଆ ବିବାଦକୁ ଆହୁରି ଗୋଳମାଳିଆ କରିଛି। ଅନ୍ୟପଟେ ଓଡ଼ିଶା ପୁଲିସ ଏବଂ ପ୍ରଶାସନ ଆନ୍ଧ୍ରର ଅଭିଯୋଗକୁ ଖଣ୍ଡନ କରି ମିଛ ବୋଲି କହିଛନ୍ତି। ଏତଲାରେ ଉଲ୍ଲେଖ ଥିବା ସମସ୍ତ ଚାରିଜଣ ଗାଁରେ ଥିବା ସ୍ପଷ୍ଟ କରାଯାଇଛି।

୪ ଜଣଙ୍କୁ ଅପହରଣ 
ନେଇ ଆନ୍ଧ୍ରର ଏତଲା
ସମସ୍ତେ ଗାଁରେ ଅଛନ୍ତି: ଓଡ଼ିଶା ପ୍ରଶାସନ ଓ ପୁଲିସ

ଜିଲ୍ଲା ପରିଷଦ ନିର୍ବାଚନରେ ଭୋଟହାର ଉଦ୍‌ବେଗଜନକ ଭାବେ କମିଯିବାରୁ ଏବେ ସରପଞ୍ଚ ନିର୍ବାଚନରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି ଆନ୍ଧ୍ର। ତେଣୁ ସରପଞ୍ଚ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ବଦନାମ କରି କୋଟିଆରୁ ସମବେଦନା ଗୋଟାଇବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ରାଜନୈତିକ ଗୋଟି ଚଳାଇଛି। ଯାହାର ଅଂଶବିଶେଷ ହେଲା ଓଡ଼ିଶା ପ୍ରଶାସନ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେବା। ଗଞ୍ଜେଇପଦର ଗାଁର ବିଶୁ ଗେମେଲ, ତଳକୋଟିଆ ଅଞ୍ଚଳର ଜିମୁଲୁ ଡାମ୍ବୁ, ଧୂଳିପଦର ଗାଁର ଚୋଡ଼ିପାଲି ରାଜୁ ଏବଂ ଫଗୁଣସିନେରି ଗାଁର କୁନେତୁ ବେଥ୍ରୁଙ୍କୁ ଅପହରଣ କରାଯାଇଛି ବୋଲି ଏତଲାରେ ଅଭିଯୋଗ ହୋଇଛି। ଏଥିରେ ଦର୍ଶାଯାଇଛି, କିଛି ବ୍ୟକ୍ତି ପୁଲିସ ପରିଚୟ ଦେଇ ଏମାନଙ୍କ ସହ ଯୋଗାଯୋଗ କରିଥିଲେ। ରାଜନୈତିକ ବୈଠକ ଆଳରେ ଗାଁରୁ ନେଇଯାଇଥିଲେ। ଏହାପରେ ସେମାନଙ୍କର ଖୋଜଖବର ମିଳୁନି। ଅପହରଣ ପଛରେ ନିର୍ବାଚନୀ ଏବଂ ରାଜନୈତିକ ବିବାଦ ରହିଥିବାରୁ ସେମାନଙ୍କ ସନ୍ଧାନ ଲାଗି ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଆନ୍ଧ୍ରର ଜିଲ୍ଲାପରିଷଦ ଓ ସମିତିସଭ୍ୟ ନିର୍ବାଚନରେ କୋଟିଆବାସୀଙ୍କୁ ମତଦାନରୁ ଅଟକା ଯାଇଥିଲା। ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭୋଟ ଦେବାରୁ ବଞ୍ଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରାଯାଇଛି।

ଆନ୍ଧ୍ରର ଏଭଳି ସଙ୍ଗିନ ଅଭିଯୋଗ ପରେ ଓଡ଼ିଶା ପକ୍ଷରୁ ତୁରନ୍ତ ଜବାବୀ ପଦକ୍ଷେପ ନିଆଯିବାରୁ ଆନ୍ଧ୍ରର ଷଡ଼ଯନ୍ତ୍ର ବିଫଳ ହୋଇଛି। କୋରାପୁଟ ପୁଲିସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। କାହାକୁ ଅପହରଣ କରାଯାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ମଧ୍ୟ ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି। ଅନ୍ୟପଟେ ଆନ୍ଧ୍ର କରିଥିବା ଅଭିଯୋଗର ଅନୁସନ୍ଧାନ କରିବାରୁ ଯେଉଁ ୪ଜଣଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି, ସମସ୍ତେ ଏବେ ଗାଁରେ ଅଛନ୍ତି। ପାରିବାରିକ କାର୍ଯ୍ୟକ୍ରମ ପାଇଁ ‘ଆର୍‌କୁ’ ଯାଇଥିଲେ। ସେମାନଙ୍କୁ କେହି ଅପହରଣ କରିନାହାନ୍ତି। ସେମାନେ ମଧ୍ୟ ଅଭିଯୋଗକାରୀଙ୍କୁ ଆଦୌ ଚିହ୍ନି ନଥିବା ଗଣମାଧ୍ୟମକୁ କହିଛନ୍ତି। ଏମିତି ମିଛ ଅଭିଯୋଗ କରିବା ପଛର କାରଣ ଆନ୍ଧ୍ରର ଏଜେଣ୍ଟ ଗିରଫ ଘଟଣା ସହ ଯୋଡ଼ାଯାଉଛି। କୋଟିଆରେ ବିଶୃଙ୍ଖଳା କରୁଥିବା ଓ ପୁଲିସକୁ ବାଧା ଦେଇଥିବା ଏଜେଣ୍ଟଙ୍କୁ ଓଡ଼ିଶା ପୁଲିସ ବାନ୍ଧିବା ପରେ ଥାନାରେ ପାଲଟା ଏତଲା ଦେଇ ଆନ୍ଧ୍ର ହଟଚମଟ ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଏଭଳି ମିଛ ଏତଲା ଆଧାରରେ ଆନ୍ଧ୍ର ପୁଲିସ ତଦନ୍ତ ଆଳରେ କୋଟିଆରେ ଅନୁପ୍ରବେଶ କରିବ। ହୁଏତ ଏହି ଚାଲ୍‌ ଖେଳି କିଛି ଓଡ଼ିଶା ସପକ୍ଷବାଦୀଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.