ARTICLE AD BOX
ନୂଆଦିଲ୍ଲୀ: ଖାଲି ପାଦରେ ଶାଢ଼ି ପିନ୍ଧି ଦୌଡ଼ୁଥିବା ଜଣେ ମହିଳାଙ୍କ ଭିଡିଓ ଆପଣମାନେ ନିଶ୍ଚୟ ସୋସିଆଲ ମିଡିଆରେ ଦେଖିଥିବେ। ଝାଡ଼ଖଣ୍ଡର କବିତା ମହତୋ ହୋମ୍ଗାର୍ଡ ନିଯୁକ୍ତି ପରୀକ୍ଷାରେ ଏଭଳି ଦୌଡ଼ିଥିଲେ ଯେ, ତାଙ୍କ ପରିଶ୍ରମକୁ ସାରା ଦେଶର ଲୋକେ ପ୍ରଶଂସା କରିଥିଲେ। ସେ ବିନା ଜୋତାରେ ଶାଢ଼ି ପିନ୍ଧି ୧୬୦୦ ମିଟର ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ।ସମ୍ପ୍ରତି ସେ ଗୋଟିଏ ପରୀକ୍ଷାରେ ଅସଫଳ ହୋଇଯିବାରୁ ତାଙ୍କ ହାତରୁ ସରକାରୀ ଚାକିରି ପାଇବାର ସୁଯୋଗ ଖସିଯାଇଛି। ଦୁଇ ସନ୍ତାନର ମା’ କବିତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି। ଏବେ ସେ ନିଜେ ପୂରା ପରିବାରର ଦାୟିତ୍ୱ ବହନ କରୁଛନ୍ତି। ତେବେ ହୋମ୍ଗାର୍ଡଚାକିରି ପାଇବାର ତାଙ୍କ ସ୍ୱପ୍ନ ଏବେ ଅଧୁରା ରହିଯାଇଛି।
ହାଇଜମ୍ପରେ ବିଫଳ ହେବାରୁ ଭାଙ୍ଗିଗଲା ସ୍ୱପ୍ନ
କବିତା ମହତୋ ୧୦ ମିନିଟ୍ ମଧ୍ୟରେ ଶେଷ କରିବାକୁ ଥିବା ୧୬୦୦ ମିଟର ଦୌଡ଼କୁ ମାତ୍ର ୮ ମିନିଟ୍ ୫୭ ସେକେଣ୍ଡରେ ପୂରଣ କରିଥିଲେ। ଏହି ସମୟରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା ଏବଂ ଲୋକେ ତାଙ୍କ ପରିଶ୍ରମକୁ ଖୁବ୍ ପ୍ରଶଂସା କରିଥିଲେ। ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଅନେକ ଲୋକ ସରକାରଙ୍କୁ କବିତାଙ୍କୁ ଚାକିରି ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ହୋମ୍ଗାର୍ଡ ନିଯୁକ୍ତିର ହାଇଜମ୍ପ ପରୀକ୍ଷାରେ କବିତା ସଫଳ ହୋଇପାରି ନଥିଲେ। ଏଥିପାଇଁ ତାଙ୍କୁ ତିନୋଟି ସୁଯୋଗ ମିଳିଥିଲା, ହେଲେ ସେ ହାଇଜମ୍ପ ପୂରଣ କରିପାରି ନଥିଲେ। ଫଳରେ ଚାକିରି ପାଇବାର ତାଙ୍କ ଆଶା ଭାଙ୍ଗିଯାଇଛି। ଏହି ପରୀକ୍ଷାରେ ମୋଟ ୯୩୦ ଜଣ ମହିଳା ପ୍ରାର୍ଥୀ ସାମିଲ ହେବାକୁ ପହଞ୍ଚିଥିଲେ।
ଏମିତି ଥିଲା କବିତାଙ୍କ ସଂଘର୍ଷର କାହାଣୀ
ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ବାସିନ୍ଦା କବିତା ମହତୋଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଛି। କିଛି ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ହଠାତ୍ ତାଙ୍କ କାନ୍ଧରେ ଦୁଇ ସନ୍ତାନ ଏବଂ ବୟସ୍କ ଶାଶୁ-ଶ୍ୱଶୁରଙ୍କ ଦାୟିତ୍ୱ ପଡ଼ିଥିଲା। ପରିବାରର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା ଯେ ଦିନକୁ ତିନିବେଳା ଠିକ୍ ଭାବେ ଖାଇବା ମଧ୍ୟ ମିଳୁ ନଥିଲା। ଏପରି ସମୟରେ ହୋମ୍ଗାର୍ଡ ନିଯୁକ୍ତି ବାହାରିବା ଏବଂ ଏଥିରେ ଦୌଡ଼ ପରୀକ୍ଷା ଥିବା ଜାଣିବା ପରେ କବିତା ବିନା ଚପଲ କିମ୍ବା ଜୋତାରେ ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ଖାଲି ପାଦରେ ଦୌଡ଼ି ପରୀକ୍ଷା ଦେଇଥିଲେ। ପରିବାରର ସାହାରା ହେବା ଏବଂ ନିଜ ଗୋଡ଼ରେ ଠିଆ ହେବାର ଆଶା ନେଇ ସେ ଏହି ପରୀକ୍ଷାରେ ଭାଗ ନେଇଥିଲେ। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ କବିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଯାହାଦ୍ୱାରା ସେ ନିଜର ପ୍ରସ୍ତୁତି ଜାରି ରଖିବା ସହ ପରିବାରର ଦାୟିତ୍ୱ ନେଇପାରିବେ। ୧୬୦୦ ମିଟର ଦୌଡ଼ରେ ତାଙ୍କ ସଫଳତା ନୂଆ ଆଶା ସୃଷ୍ଟି କରିଥିଲା। କିନ୍ତୁ ହାଇଜମ୍ପରେ ବିଫଳ ହେବାରୁ ତାଙ୍କ ଚୟନ ହୋଇପାରିଲା ନାହିଁ।
କବିତାଙ୍କ କାହାଣୀ ସଂଘର୍ଷ, ସାହସ ଓ ଦୃଢ଼ ମନୋବଳର ଏକ ଉଦାହରଣ। ଏହା ସହିତ ଆର୍ଥିକ ଦୁର୍ବଳତା ଯୋଗୁଁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ପ୍ରାର୍ଥୀଙ୍କୁ କେତେ କଷ୍ଟ ସହିବାକୁ ପଡ଼େ, ତାହା ମଧ୍ୟ ଏହି କାହାଣୀ ଦର୍ଶାଉଛି।

2 hours ago
2


