ARTICLE AD BOX
ନୂଆଦିଲ୍ଲୀ: ଯେଉଁ ପୁଅକୁ ଡାକ୍ତର କରିବାର ସ୍ୱପ୍ନ ଦେଖିଥିଲେ ବାପା-ମା' । ଯିଏ ଦିନେ ଧଳା ଆପ୍ରୋନ୍ ପିନ୍ଧି ରୋଗୀଙ୍କ ସେବା କରିଥାନ୍ତେ, ଆଜି ସେହି ପୁଅର ମୃତଦେହକୁ ଅପେକ୍ଷା କରି ରହିଥିଲେ ପରିବାର। ବିଦେଶ ମାଟିରେ ଅଧାରେ ରହିଗଲା ଡାକ୍ତର ହେବାର ସ୍ୱପ୍ନ। ୬ ଦିନର ଅପେକ୍ଷା ପରେ ନିଜ ମାଟିକୁ ଫେରିଛି କାଶ୍ମୀରର ମେଧାବୀ ଛାତ୍ର ଅଦନାନ ଅଲତାଫ ରାଥରଙ୍କ ମୃତଦେହ। ଆଉ ଶେଷରେ ନିଜ ଜନ୍ମମାଟିରେ ସରିଛି ତାଙ୍କର ଶେଷକୃତ୍ୟ। ଜମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳର ଅଦନାନ ଅଲତାଫ ରାଥର ବାଂଲାଦେଶର ଇଷ୍ଟର୍ଣ୍ଣ ମେଡିକାଲ କଲେଜରେ ଏମବିବିଏସ୍ ପଢୁଥିଲେ। ଡାକ୍ତରୀ ପାଠ୍ୟକ୍ରମର ଶେଷ ସେମିଷ୍ଟରରେ ଥିଲେ ସେ। ହେଲେ ହଠାତ୍ ତାଙ୍କ ଜୀବନରେ ଘଟିଥିଲା ଅଘଟଣ। ନଭେମ୍ବର ୨ ତାରିଖ ରାତିରେ କଲେଜ କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲେ ଅଦନାନ। ଅନେକ ଖୋଜାଖୋଜି ପରେ ନଭେମ୍ବର ୪ ତାରିଖରେ ବାଂଲାଦେଶର କୁମିଲ୍ଲା ଜିଲ୍ଲାର ବୁରିଚଙ୍ଗ ଉପଜିଲ୍ଲା ଅନ୍ତର୍ଗତ ମୋନିପୁର ଗାଁର ଏକ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।
Accident: ଦିଲ୍ଲୀରେ ଖୋଲା ନର୍ଦ୍ଦମାରେ ଖସିପଡ଼ିଗଲା ୪ ବର୍ଷ ବୟସର ବାଳକ, ଖୋଜାଖୋଜି ଜାରି
ଏହି ଖବର ପହଞ୍ଚିବା ପରେ ପରିବାର ଉପରେ ମାଡ଼ି ଆସିଥିଲା ଦୁଃଖର ପାହାଡ଼। ଦୀର୍ଘ ଅପେକ୍ଷା ପରେ ସୋମବାର ସନ୍ଧ୍ୟାରେ ଅଦନାନଙ୍କ ମୃତଦେହ ନୂଆଦିଲ୍ଲୀରେ ପହଞ୍ଚିଥିଲା। ମଙ୍ଗଳବାର ସକାଳେ ବିମାନ ଯୋଗେ ଶ୍ରୀନଗର ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ସୋପୋରସ୍ଥିତ ତାଙ୍କ ପୈତୃକ ଗାଁକୁ ନିଆଯାଇଥିଲା। ଜମ୍ମୁ-କାଶ୍ମୀର ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପକ୍ଷରୁ ଅଦନାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ଦିଆଯାଇଛି। ଶେଷ ଦର୍ଶନ ପାଇଁ ଗାଁରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ଲୋକ। ଯେଉଁ ପୁଅ ବିଦେଶରୁ ଡାକ୍ତର ହୋଇ ଫେରିଥାନ୍ତା, ସେ ଆଜି ଫେରିଛି ନିରବ ନିଥର ହୋଇ। ଅଦନାନଙ୍କ ଅକାଳ ବିୟୋଗରେ ପୂରା ଗାଁ ସ୍ତବ୍ଧ।

1 day ago
1


