ARTICLE AD BOX
ଭୁବନେଶ୍ବର: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାହା ହାତରେ ଡଙ୍ଗା, ତ ଆଉ କାହା ହାତରେ ଦୀପ। କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ପ୍ରଭାତରେ ‘ଆ କା ମା ବୈ’ ଧ୍ୱନିରେ ମୁଖରିତ ହୋଇଉଠିବ ନଦୀ, ପୋଖରୀ ଓ ଜଳାଶୟ। ଡଙ୍ଗା ଭସାଇ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବେ ଓଡ଼ିଆ। ବିଭିନ୍ନ ଦେବାଳୟ ବିଶେଷ କରି ଶୈବପିଠମାନଙ୍କରେ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ଜମିବ। ହେଲେ ଏହି ଆନନ୍ଦ ଓ ଉତ୍ସାହ ଭିତରେ ଟିକିଏ ଅସାବଧାନତା ଯେ ଜୀବନ ପ୍ରତି ବିପଦ ଆଣିପାରେ, ଏଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ।
ବିଶେଷକରି ନଦୀ ଓ ପୋଖରୀର ଗଭୀରତା ନ ଜାଣି ପାଣି ଭିତରକୁ ଯିବା, ଗୋଡ଼ ଖସିଯିବା କିମ୍ବା ପାଣିର ସ୍ରୋତରେ ଭାସିଯିବା ଭଳି ଘଟଣାର ଆଶଙ୍କା ରହିଥାଏ। ତେଣୁ ଡଙ୍ଗା ଭସାଇବା ସମୟରେ ଲୋକେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଛୋଟ ପିଲାମାନଙ୍କୁ ଜଳାଶୟ ନିକଟରେ କେବେ ବି ଏକୁଟିଆ ଛାଡ଼ନ୍ତୁ ନାହିଁ। ସେହିପରି ଭିଡ଼ ଥିବା ସ୍ଥାନରେ ଠେଲାପେଲା ନ କରିବା ସହ ପାଣିରେ ପହଁରିବା ଓ ବିପଜ୍ଜନକ ସ୍ଥାନରେ ଫଟୋ ଉଠାଇବାରୁ ଦୂରେଇ ରହିବା ଦରକାର।
କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ
କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଶାର ଏକ ଅତ୍ୟନ୍ତ ପବିତ୍ର ଏବଂ ସାଂସ୍କୃତିକ ପର୍ବ। ଏହି ଦିନଟି ଧାର୍ମିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖେ।
• ବୋଇତ ବନ୍ଦାଣ ଓ ଐତିହାସିକ ଗୌରବ: ପ୍ରାଚୀନ କଳିଙ୍ଗର ସାଧବ ପୁଅମାନଙ୍କ ବୀରତ୍ୱ ଏବଂ ସମୁଦ୍ର ବାଣିଜ୍ୟର ସ୍ମୃତିରେ ଏହି ଦିନ ବୋଇତ ବନ୍ଦାଣ କରାଯାଏ। ଭୋର ସମୟରେ ଲୋକମାନେ ନଦୀ, ପୋଖରୀ ବା ଜଳାଶୟରେ କଦଳୀ ପଟୁଆ ବା କାଗଜରେ ତିଆରି ଡଙ୍ଗାରେ ଦୀପ, ପାନ ଓ ଗୁଆ ରଖି ଭସାନ୍ତି ଏବଂ "ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର" ଗୀତ ଗାଆନ୍ତି।
• ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ: କାର୍ତ୍ତିକ ମାସର ଶେଷ ଦିନ ହୋଇଥିବାରୁ ଏହି ଦିନ ଭଗବାନ ବିଷ୍ଣୁ, ଶିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ପବିତ୍ର ସ୍ନାନ, ଦୀପଦାନ ଓ ବ୍ରତ କଲେ ପୁଣ୍ୟ ମିଳେ ଏବଂ ଘରେ ଶାନ୍ତି ଓ ସମୃଦ୍ଧି ଆସେ।

18 minutes ago
1


