ARTICLE AD BOX
ବାଲିଶଙ୍କରା: ପାରମ୍ପରିକ ରୀତିନୀତି, ପୂଜାର୍ଚ୍ଚନା ଓ ନାଚଗୀତର ଆସର ମଧ୍ୟରେ ବାଲିଶଙ୍କରା ଭାଟିପଡ଼ାର ଉପରପଡ଼ାରେ ଚଳିତ ବର୍ଷର ଶେଷ କରମା ପୂଜା ପାଳିତ ହୋଇଯାଇଛି। ଆଶ୍ୱିନ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି ପୂଜାରେ ଗ୍ରାମବାସୀଙ୍କ ସମେତ ନୂଆ ଓ ପୁରୁଣା ବନ୍ଧୁବାନ୍ଧବଙ୍କ ସମାଗମ ହୋଇଥିଲା।
କରମା ପୂଜା ଦେଖିବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ
ଆଦିବାସୀ ସମାଜର ପାରମ୍ପରିକ ପର୍ବ କରମା ପୂଜା ଆଶ୍ୱିନ ମାସ ଆରମ୍ଭରୁ ବିଭିନ୍ନ ଗ୍ରାମ ଓ ପଡ଼ାରେ ପାଳନ କରାଯାଇ ଆଶ୍ୱିନ ପୂର୍ଣ୍ଣିମାରେ ସମାପନ ହୋଇଥାଏ। ଏହି ଅବସରରେ ଭାଟିପଡ଼ା ଉପରପଡ଼ାରେ ମଧ୍ୟ ପାରମ୍ପରିକ ବିଧିବିଧାନ ଅନୁସାରେ ପୂଜା ଆୟୋଜନ କରାଯାଇଥିଲା। ଗ୍ରାମର କୁଆଁରୀ ଝିଅମାନେ ନିର୍ଜଳା ଉପବାସ ରହି ମା’ କରମସାନିଙ୍କ ଆରାଧନା କରିଥିଲେ। ସନ୍ଧ୍ୟାରେ କୁଆଁରୀ ଝିଅ ଓ ବିବାହିତା ମହିଳାମାନେ ଏକତ୍ରିତ ହୋଇ ଗୀତ ଗାଇବା ସହ ମାଦଳ ବାଜାର ତାଳେ ତାଳେ ନୃତ୍ୟ କରି କରମା ଗଛ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜକ ପାହାନ ସମରା ବାର୍ଲା ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ କରମା ଗଛରେ ସାତଥର ନାଲି ସୂତା ଗୁଡ଼ାଇ ତିନି ଖଣ୍ଡ କରମା ଡାଳ କଟାଯାଇ ଅଖାଡ଼ା ସ୍ଥଳକୁ ଅଣାଯାଇଥିଲା। ଅଖାଡ଼ା ସ୍ଥଳରେ କରମା ଡାଳ ସ୍ଥାପନ କରି ପୁନର୍ବାର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ରାତିସାରା ପୁରୁଷ ଓ ମହିଳାମାନେ ପାରମ୍ପରିକ ନାଚଗୀତରେ ମସଗୁଲ ରହିଥିଲେ।
ସରିଲା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା: ‘ଆଦିବାସୀ କରମା ନୃତ୍ୟ’ ପ୍ରଥମ, ପାଲା ଦ୍ବିତୀୟ
ପରଦିନ ସକାଳେ ତିନି ଖଣ୍ଡ କରମା ଡାଳକୁ ଧରି ଗ୍ରାମ ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାଯାଇଥିଲା। ଏହି ପର୍ବରେ ନୂତନ ଓ ପୁରୁଣା ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା ସହ ନୂଆ ପୋଷାକ ଉପହାର ଦେବାର ପରମ୍ପରା ରହିଛି। କରମସାନିଙ୍କ ପୂଜା କରିବା ଦ୍ୱାରା ଗ୍ରାମରେ ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ବଜାୟ ରହିବା ସହ ଚାଷ ଜମିରେ ଧାନ ଫସଲକୁ ରୋଗପୋକରୁ ସୁରକ୍ଷା ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ଏହି ପୂଜାରେ ପାହାନ ସମରା ବାର୍ଲା ପୂଜାକାର୍ଯ୍ୟ ତୁଲାଇଥିବାବେଳେ ଅମିତ ଏକ୍କା, ସାନି ମିଞ୍ଜ, ଫଗୁ ମିଞ୍ଜ, ମନୋଜ ମିଞ୍ଜ, ସୁମିତ, ରୋହିତ, ପ୍ରଶାନ୍ତ, ବାସ୍ଟୁ, ଶଙ୍କର ଓ ଜଗଦୀଶଙ୍କ ସମେତ ପୂଜା କମିଟିର ସଦସ୍ୟମାନେ ଆୟୋଜନରେ ସହଯୋଗ କରିଥିଲେ।

52 minutes ago
1


