ARTICLE AD BOX
କଣାସ(ବିରଞ୍ଚି ପଣ୍ଡା): ଆଦର୍ଶ ବିଦ୍ୟାଳୟରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପୁରୀଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ୱର ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମରେଶ୍ୱର କାଣ୍ଡିଙ୍କୁ କଣାସ ମଣ୍ଡଳ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରା ନିଲମ୍ବନ କରିଛନ୍ତି।
Job Fraud: ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି ଦେବା ନାଁରେ ଠକେଇ
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ କାଣ୍ଡି ଖୋର୍ଦ୍ଧାର ଜଣେ ଯୁବକଙ୍କୁ ଆଦର୍ଶ ବିଦ୍ୟାଳୟରେ ଚାକିରି ଦେବା ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଉକ୍ତ ଯୁବକଙ୍କ ଠାରୁ ଫୋନପେ ଓ ବ୍ୟାଙ୍କ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଇଥିଲେ। ଏହା ବଦଳରେ ଏକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପରେ କ୍ଷତିଗ୍ରସ୍ତ ଯୁବକଜଣକ ଏହି ନିଯୁକ୍ତିପତ୍ର ଜାଲ୍ ବୋଲି ଜାଣିପାରି ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ଅକ୍ଟୋବର ୧୩ରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୁଲିସ ହେଫାଜତ କିମ୍ବା ନ୍ୟାୟିକ ହାଜତରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ, ଓଡ଼ିଶା ବେସାମରିକ ସେବା(ବର୍ଗୀକରଣ, ନିୟନ୍ତ୍ରଣ ଓ ଆପିଲ୍) ନିୟମାବଳୀ, ୧୯୬୨ର ନିୟମ ୧୨(୨) ଅନୁସାରେ ତାଙ୍କୁ ଗିରଫ ହୋଇଥିବା ତାରିଖ (୧୩.୧୦.୨୦୨୬)ଠାରୁ ନିଲମ୍ବିତ କରାଯାଇଛି।
IAS officer Divya Mittal: ଆଇଏଏସ୍ ଚାକିରି ଛାଡ଼ି ନୂଆ ଦଳ ଗଢ଼ିଲେ ଦିବ୍ୟା ମିତ୍ତଲ
ନିଲମ୍ବନ ଅବଧିରେ ତାଙ୍କର ଶୃଙ୍ଖଳାଗତ ମୁଖ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ, କଣାସ ଧାର୍ଯ୍ୟ କରାଯାଇଛି। ଏହାସହ ସେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଓ ଆର୍ଥିକ ଦସ୍ତାବିଜ୍ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ପାଠପଢ଼ା ବ୍ୟାଘତ ନ ହେବା ପାଇଁ ଚନ୍ଦନେଶ୍ୱର କ୍ଲଷ୍ଟରର ସିଆରସିସି ସନ୍ତୋଷ କୁମାର ସ୍ୱାଇଁଙ୍କୁ ନିୟମିତ କ୍ଲାସ କରିବା ପାଇଁ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି।

46 minutes ago
1


