ARTICLE AD BOX
କଟକ: ହକି ଇଣ୍ଡିଆ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ସହିତ ହକି ଆସୋସିଏସନ ଅଫ ଓଡ଼ିଶାର ସ୍ଥାୟୀ ସଦସ୍ୟତା ପଦକୁ ରଦ୍ଦ କରି ଆସୋସିଏଟ ସଦସ୍ୟ ଭାବେ ଏହାକୁ ଗ୍ରହଣ କରିବାକୁ ଜାରି କାରଣ ଦର୍ଶାଅ ନୋଟିସ ଉପରେ ହାଇକୋର୍ଟ ନଭେମ୍ବର ୬ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶ ଉଠାଇବାକୁ ହକି ଇଣ୍ଡିଆ ଦାୟର କରିଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥି ସହିତ ମୂଳ ମାମଲା ବିଚାରାଧୀନ ଥିବା ବେଳେ ନଭେମ୍ବର ୬ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶକୁ ବଳବତ୍ତର ରଖିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନଭେମ୍ବର ୬ରେ ହକି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଦାୟର ରିଟ ଆବେଦନର ହାଇକୋର୍ଟ ଶୁଣାଣି କରି ହକି ଇଣ୍ଡିଆ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ। ଏଥି ସହିତ ଆବେଦନକାରୀ ଆସୋସିଏସନକୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ଓ ହକି ଇଣ୍ଡିଆ ନିର୍ବାଚନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ହକି ଇଣ୍ଡିଆର ବାଇ-ଲ’ ପାଳନରେ ଅବହେଳା ଓ ଜିଲ୍ଲା ସଂଘଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ‘ହକି ଆସୋସିଏସନନ୍ ଅଫ୍ ଓଡ଼ିଶା’କୁ ହକି ଇଣ୍ଡିଆ ଗତ ଅକ୍ଟୋବରରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଏଥି ସହିତ ପରବର୍ତ୍ତୀ ସମୟରେ ହକି ଇଣ୍ଡିଆ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହକି ଇଣ୍ଡିଆର ଏପରି ପଦକ୍ଷେପ ବିରୋଧରେ ଆବେଦନକାରୀ ଆସୋସିଏସନ ତରଫରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ହକିର ପ୍ରଚାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଓଡ଼ିଶାର ଅବଦାନ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶା ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେସନ୍ ହକିର ପ୍ରମୋସନ୍ ପାଇଁ ଗତ ୩ବର୍ଷ ମଧ୍ୟରେ ସର୍ବଭାରତୀୟ ସ୍ତରରେ ପ୍ରାୟ ୧୦୫କୋଟି ଟଙ୍କା ଯୋଗାଇ ଦେଇଛି। ଓଡ଼ିଶାର ହକି ତାରକା ଦିଲ୍ଲୀପ ତିର୍କୀ ୨୦୨୨ରେ ଅନୁଷ୍ଠିତ ନିର୍ବାଚନରେ ହକି ଇଣ୍ଡିଆର ସଭାପତି ଓ ଭୋଳାନାଥ ସିଂ ସେକ୍ରେଟାରି ଜେନେରାଲ୍ ହୋଇଥିଲେ ଓ ଉଭୟଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରୁ ସରିଗଲାଣି।
କାର୍ଯ୍ୟକାଳ ସରିବା ପରେ ଭୋଲାନାଥ ସିଂ ନିଜକୁ ସେକ୍ରେଟାରି ଜେନେରାଲ ଭାବେ ପ୍ରତିପାଦନ କରି ଆବେଦନକାରୀ ଆସୋସିଏନକୁ ସ୍ଥାୟୀ ସଦସ୍ୟ ପଦରୁ ବଞ୍ଚିତ କରିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାସହ ଭାରତ ସରକାରଙ୍କ ଦ୍ବାରା ପ୍ରଣିତ ନ୍ୟାସନାଲ ସ୍ପେର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ, ୨୦୨୫ର ମଧ୍ୟ ଏହି ପ୍ରସଂଗରେ ଉଲ୍ଲଂଘନ ହୋଇଛି। ଭାରତ ସରକାର ଏକ ସ୍ବତନ୍ତ୍ର ଆଦେଶ ଜରିଆରେ କ୍ରୀଡ଼ା ସଂଗଠନଗୁଡ଼ିକର ନିର୍ବାଚନ ପ୍ରକ୍ରିୟା ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଆବେଦନକାରୀ ଆସୋସିଏସନକୁ ସ୍ଥାୟୀ ସଦସ୍ୟତା ପଦରୁ ବଞ୍ଚିତ କରିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଓ ସଦସ୍ୟତା ପଦର ବୈଧତା ନିର୍ଦ୍ଧାରଣ ହେବା ପୂର୍ବରୁ ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏପରି ପଦକ୍ଷେପ ବେଆଇନ ଓ ଅସଂଗତ ବୋଲି ଆବେଦନରେ ଦର୍ଶାଯାଇଥିଲା। ହକି ଆସୋସିଏସନନ୍ ଅଫ୍ ଓଡ଼ିଶା ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

26 minutes ago
1


