ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ତିନି-ଭାଷା ନୀତିକୁ ନେଇ ସୁପ୍ରିମ୍କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ନୂଆ ନୀତିରେ ଇଂରାଜୀକୁ ‘ଅଣ-ସ୍ବଦେଶୀ’ ଭାବେ ଦର୍ଶାଯାଇଥିବାରୁ ଏହାର ଆଧାର ନେଇ କୋର୍ଟ ପ୍ରଶ୍ନ କରିବା ସହ ନୀତିର ପୁନର୍ବିଚାର କରିବାକୁ କେନ୍ଦ୍ର, ଏନ୍ସିଇଆର୍ଟି ଓ ସିବିଏସ୍ଇକୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ବିଚାରପତି ବାଗ୍ଚୀ ପ୍ରଶ୍ନ କରିଥିଲେ ଯେ, ଭାରତରେ ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଥିବା ଇଂରାଜୀକୁ କିପରି ‘ଅଣ-ସ୍ୱଦେଶୀ’ ଭାଷା କୁହାଯାଇପାରିବ। ତାଙ୍କ ମତରେ ‘ମାତୃଭାଷା’ କିମ୍ବା ‘ସ୍ୱଦେଶୀ ଭାଷା’ ପରି ଶବ୍ଦ ବ୍ୟବହାରରେ ଐତିହାସିକ ଓ ସାମ୍ବିଧାନିକ ପ୍ରସଙ୍ଗକୁ ବିଚାର କରିବା ଆବଶ୍ୟକ। ଦେଶର ଅନେକ ରାଜ୍ୟରେ ଇଂରାଜୀ ସରକାରୀ ଭାଷା ଭାବେ ବ୍ୟବହୃତ ହେଉଥିବାରୁ ଏହି ପ୍ରସଙ୍ଗରେ ସାମ୍ବିଧାନିକ ଦିଗରୁ ମଧ୍ୟ ବିଚାର ଦରକାର ବୋଲି ସେ କହିଥିଲେ।
Accident: ହିମାଚଳର ଟନେଲ୍ରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ୪ ମୃତ, ୭ ଗୁରୁତର
ନୂଆ ନୀତିରେ ୨୩ଟି ଭାଷା ମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ଭାଷା ବାଛିବାର ସୁଯୋଗ ଥିବା କୁହାଯାଇଛି। କିନ୍ତୁ ଏହାକୁ ବାସ୍ତବରେ କେତେ ସ୍କୁଲ୍ ଲାଗୁ କରିପାରିବେ, ସେନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି। ଏତେ ସଂଖ୍ୟକ ଭାଷା ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପ୍ରଶିକ୍ଷିତ ଶିକ୍ଷକ, ପାଠ୍ୟପୁସ୍ତକ ଓ ଅନ୍ୟ ଶିକ୍ଷା ସାମଗ୍ରୀ ସ୍କୁଲ୍ଗୁଡ଼ିକରେ ଅଛି କି ନାହିଁ, ସେନେଇ ସିବିଏସ୍ଇକୁ ସୂଚନା ଦେବାକୁ କୋର୍ଟ କହିଛନ୍ତି। ଏହି ନୀତି ୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ କରାଯାଇଛି। ମାମଲାର ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ୍ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ବହୁ ବର୍ଷ ଧରି ପଢ଼ୁଥିବା ଭାଷାକୁ ହଠାତ୍ ବଦଳାଇବାକୁ ପଡ଼ୁଛି। ଅନେକ ସ୍କୁଲ୍ରେ ନୂଆ ଭାଷା ପାଇଁ ଶିକ୍ଷକ ଓ ପାଠ୍ୟପୁସ୍ତକ ମଧ୍ୟ ଉପଲବ୍ଧ ନ ଥିବା ସେ ଦାବି କରିଥିଲେ। ଏହି ନୀତି ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିପାରେ ବୋଲି ସେ କହିଥିଲେ।
ବରିଷ୍ଠ ଓକିଲ ଆନନ୍ଦ ଗ୍ରୋଭର ମଧ୍ୟ ଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ହଠାତ୍ ଅନ୍ୟ ଅଞ୍ଚଳର ଭାଷା ଶିଖିବାର ବ୍ୟାବହାରିକ ସମସ୍ୟା ଉଠାଇଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭଟ୍ଟି କହିଥିଲେ ଯେ, ସରକାର ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ଏବଂ ଏନେଇ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ରଖାଯାଇପାରିବ। କୋର୍ଟ ଏହି ପର୍ଯ୍ୟାୟରେ ତିନି-ଭାଷା ନୀତି ଉପରେ ରୋକ ଲଗାଇନାହାନ୍ତି। ତେବେ ଚଳିତ ଶିକ୍ଷାବର୍ଷର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କିଛି ସମୟ ପାଇଁ ରିହାତି ଦିଆଯାଇପାରିବ କି ନାହିଁ, ତାହା ବିଚାର କରିବାକୁ ବିଚାରପତି ବାଗ୍ଚୀ ପରାମର୍ଶ ଦେଇଛନ୍ତି। ଆଗାମୀ ଶିକ୍ଷାବର୍ଷରୁ ନୂଆ ବ୍ୟାଚ୍ ପାଇଁ ନୀତି ଲାଗୁ କରିବା ଦିଗରେ ବିଚାର କରିବାକୁ ମଧ୍ୟ ସେ କହିଛନ୍ତି। ସିବିଏସ୍ଇର ପ୍ରସ୍ତୁତି, ଶିକ୍ଷକ ଓ ପାଠ୍ୟପୁସ୍ତକ ଉପଲବ୍ଧତା ସମ୍ପର୍କରେ ରୋଡ୍ମ୍ୟାପ୍ ଦାଖଲ କରିବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି।

44 minutes ago
2


