ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡରେ ଜେପିଏସ୍ସି ଓ ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ରବିବାର ମଧ୍ୟ ଥମିନାହିଁ। ତିନି ଦିନ ଧରି ଆଲୋଚନା ପରେ ଝାଡ଼ଖଣ୍ଡ ସରକାର ୧୪ଶ ଜେପିଏସ୍ସି ପରୀକ୍ଷା ବାତିଲ କରିବା ସହ ୨୦୨୩ ଓ ୨୦୨୫ର ବ୍ୟାକ୍ଲଗ୍ ନିଯୁକ୍ତିରେ ହୋଇଥିବା ଅନିୟମିତତାର ତଦନ୍ତ, ଦ୍ରୁତଗତିରେ ମାମଲାର ବିଚାର ଓ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ପାଇଁ ରାଜି ହୋଇଛନ୍ତି। ତଥାପି ସିବିଆଇ ତଦନ୍ତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଶେଷ କରିବେ ନାହିଁ ବୋଲି ଛାତ୍ରନେତାମାନେ କହିଛନ୍ତି।
ଆହୁରି ପଢନ୍ତୁ:World Tribal Day ଘୁ.ଉଦୟଗିରିରେ କୁଇ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ଛାତ୍ରମାନେ ଜେଏସ୍ଏସ୍ସିର ମିଳିତ ସ୍ନାତକସ୍ତର (ସିଜିଏଲ୍) ପରୀକ୍ଷାକୁ ମଧ୍ୟ ବାତିଲ କରିବାକୁ ଦାବି କରୁଛନ୍ତି। ତେବେ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁ କହିଛନ୍ତି ଯେ, ହାଇକୋର୍ଟ ଓ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଓ ନ୍ୟାୟିକ ନଜରଦାରିରେ ସିଜିଏଲ୍ ପରୀକ୍ଷା ହୋଇଥିବାରୁ ସରକାର ଏହାକୁ ଏକତରଫା ଭାବେ ବାତିଲ କରିପାରିବେ ନାହିଁ। ଏହାର ଫଳ ପ୍ରକାଶ ପାଇସାରିଛି ଏବଂ ଚୟନ ହୋଇଥିବା ପ୍ରାର୍ଥୀମାନେ ଚାକିରିରେ ଯୋଗ ଦେଇସାରିଛନ୍ତି। ଅନିୟମିତତାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନିରୀକ୍ଷଣ କମିଟି ଗଠନ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ। ଛାତ୍ରମାନେ ଏହାକୁ ଗ୍ରହଣ କରିନାହାନ୍ତି।
ଆହୁରି ପଢନ୍ତୁ: Bank Theft Attempt ଏସ୍ବିଆଇ ବ୍ୟାଙ୍କ୍ରେ ପଶିଲେ ଚୋର: କିଛି ପାଇଲେନି, ଫେରିଗଲେ
ସରକାରଙ୍କ ଯୋଜନା ଅନୁସାରେ, ୧୪ଶ ଜେପିଏସ୍ସି ଓ ୨୦୨୩-୨୫ ବ୍ୟାକ୍ଲଗ୍ ନିଯୁକ୍ତି ସମ୍ପର୍କିତ ଅନିୟମିତତାର ତଦନ୍ତ ସିଆଇଡି କରିବ। ସନ୍ଦେହଜନକ ଆର୍ଥିକ କାରବାରର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ପାଇଁ ସୁପାରିସ କରାଯିବ। ଏହା ସହ ଦ୍ରୁତ ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ ଏବଂ ୯୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ପଦକ୍ଷେପ ନିଆଯିବ। ଭବିଷ୍ୟତରେ ନିଯୁକ୍ତି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଆଇଆଇଟି-ଆଇଏସ୍ଏମ୍, ଆଇଆଇଏମ୍ ରାଞ୍ଚି ଓ ଏକ୍ସଏଲ୍ଆର୍ଆଇର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯିବ। ମନ୍ତ୍ରୀ ସୋନୁ କହିଛନ୍ତି ଯେ, ଛାତ୍ରମାନଙ୍କ ୯୮ ପ୍ରତିଶତ ଦାବି ସରକାର ଗ୍ରହଣ କରିଛନ୍ତି। କିନ୍ତୁ ଛାତ୍ରମାନେ ସିବିଆଇ ତଦନ୍ତ ଦାବିରୁ ଓହରିନାହାନ୍ତି। ସେମାନେ ଅଗଷ୍ଟ ୧୦ରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ବଡ଼ ଧରଣର ଶୋଭାଯାତ୍ରା କରିବାକୁ ଡାକରା ଦେଇଛନ୍ତି। ଏଥିରେ ହଜାର ହଜାର ପରୀକ୍ଷାର୍ଥୀ ଯୋଗ ଦେବାର ସମ୍ଭାବନା ରହିଛି।

1 hour ago
1


