ARTICLE AD BOX
ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ୍କୁ ବଡ଼ ଟିକସ ଆଶ୍ବସ୍ତି ମିଳିଛି। ଆୟକର ଅପିଲେଟ୍ ଟ୍ରିବ୍ୟୁନାଲ୍ (ଆଇଟିଏଟି) ଜିଓ ବିରୋଧରେ ଲାଗୁ ହୋଇଥିବା ଏହି ଟିକସକୁ ବାତିଲ କରିଛନ୍ତି। ଏହି ମାମଲା ୨୦୧୯-୨୦ ଆକଳନ ବର୍ଷ ସହ ଜଡିତ ଥିଲା। ବିବାଦର ମୁଖ୍ୟ ବିଷୟ ଥିଲା ଜିଓର ପ୍ରାୟ ୧୧,୦୦୩ କୋଟି ଟଙ୍କାର ବିଭିନ୍ନ ଖର୍ଚ୍ଚ। କମ୍ପାନି ଏହି ଖର୍ଚ୍ଚକୁ ନିଜ ହିସାବ ବହିରେ ‘ଅଗ୍ରଗତିରେ ଥିବା ପୁଞ୍ଜି’ ଭାବେ ଦର୍ଶାଇଥିଲା, କିନ୍ତୁ ଆୟକର ହିସାବ କରିବା ସମୟରେ ଏହାକୁ ରାଜସ୍ବ ଖର୍ଚ୍ଚ ଭାବେ ଦାବି କରିଥିଲା। ଏଥିରେ ଇଣ୍ଟରକନେକ୍ଟ ଚାର୍ଜ, କର୍ମଚାରୀ ଖର୍ଚ୍ଚ, ପ୍ରଫେସନାଲ୍ ଫି, କଲ୍ ସେଣ୍ଟର ଖର୍ଚ୍ଚ, ବିଦ୍ୟୁତ ଓ ଇନ୍ଧନ, ମରାମତି, ନେଟୱର୍କ ଅପରେଟିଂ ଖର୍ଚ୍ଚ ଆଦି ସାମିଲ ଥିଲା।
ବିବାଦର ମୁଖ୍ୟ ବିଷୟ ଥିଲା ଜିଓର ପ୍ରାୟ ୧୧,୦୦୩ କୋଟି ଟଙ୍କାର ବିଭିନ୍ନ ଖର୍ଚ୍ଚ
ତେବେ ଆୟକର ବିଭାଗର ଆସେସିଂ ଅଫିସର ଏହି ଖର୍ଚ୍ଚଗୁଡ଼ିକୁ ଜିଓର ଟେଲିକମ୍ ନେଟୱର୍କର ଉନ୍ନତି ସହ ଜଡିତ ଦର୍ଶାଇ ଏହାକୁ ପୁଞ୍ଜିଗତ ଖର୍ଚ୍ଚ ଭାବେ ଗ୍ରହଣ କରିଥିଲେ। ଏଥି ସହିତ କମ୍ପାନିକୁ ୧୧,୦୦୩ କୋଟି ଟଙ୍କାର ଟିକସ ଦେବାକୁ କୁହାଯାଇଥିଲା। ଟ୍ରିବ୍ୟୁନାଲ କହିଛନ୍ତି ଯେ କୌଣସି ଖର୍ଚ୍ଚକୁ କମ୍ପାନି ନିଜ ହିସାବ ବହିରେ କିପରି ଦର୍ଶାଇଛି, କେବଳ ସେହି ଆଧାରରେ ତାହାର ଟିକସ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ଖର୍ଚ୍ଚର ପ୍ରକୃତି, ଉଦ୍ଦେଶ୍ୟ ଓ ସେଥିରୁ ନୂଆ ପୁଞ୍ଜି ସମ୍ପତ୍ତି ସୃଷ୍ଟି ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବା ଆବଶ୍ୟକ। ଟ୍ରିବ୍ୟୁନାଲ୍ ଆହୁରି କହିଛନ୍ତି ଯେ ଟେଲିକମ୍ ନେଟୱର୍କରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ ନିରନ୍ତର ଉନ୍ନତୀକରଣ, ରକ୍ଷଣାବେକ୍ଷଣ ଓ ନେଟୱର୍କ ସୁଦୃଢୀକରଣ ଆବଶ୍ୟକ ହୋଇଥାଏ। ଏପରି ଖର୍ଚ୍ଚକୁ ସ୍ୱତଃସ୍ଫୂର୍ତ୍ତ ଭାବେ ପୁଞ୍ଜିଗତ ଖର୍ଚ୍ଚ କୁହାଯାଇପାରିବ ନାହିଁ। ଟ୍ରିବ୍ୟୁନାଲ କହିଛନ୍ତି ବିବାଦୀୟ ଖର୍ଚ୍ଚଗୁଡ଼ିକ ପୂର୍ବରୁ ସ୍ଥାପିତ ଓ ବ୍ୟବହାରରେ ଥିବା ନେଟୱର୍କ ସମ୍ପତ୍ତିର ଗୁଣବତ୍ତା ଓ ସେବା ମାନ ବଜାୟ ରଖିବା ପାଇଁ ହୋଇଥିଲା। ଏଥିରୁ କୌଣସି ନୂଆ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ହୋଇନଥିଲା। ତେଣୁ ଜିଓ ବିରୋଧରେ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ୧୧,୦୦୩ କୋଟି ଟଙ୍କାର ଟିକସକୁ ବାତିଲ କରାଯାଇଛି।
Supreme Court: ଟାଟା ଷ୍ଟିଲ୍କୁ ସୁପ୍ରିମକୋର୍ଟ ନୋଟିସ୍: ଓଡ଼ିଶାର ୪୩୧୩ କୋଟି ଦାବି ପ୍ରସଙ୍ଗ

1 hour ago
1


